Advertisment

ସେ ଓଡିଶାର ପ୍ରଥମ ଗ୍ରାଜୁଏଟ୍-ପ୍ରଥମ MA-ପ୍ରଥମ ବିଲାତ ଯାତ୍ରୀ- ପ୍ରଥମ LLB...

ଦେଶ ତଥା ରାଜ୍ୟ ପାଇଁ ଯାହାର ଅବଦାନ ଅବର୍ଣ୍ଣନୀୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭାରତ ରତ୍ନ ସମ୍ମାନ ନମଳିବାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Utkal Gaurab Madhusudan Das Jayanti

Utkal Gaurab Madhusudan Das Jayanti

ସେ ହେଉଛନ୍ତି ଓଡିଶାର ପ୍ରଥମ ଗ୍ରାଜୁଏଟ୍, ପ୍ରଥମ ପୋଷ୍ଟ ଗ୍ରାଜୁଏଟ୍ ଆଉ ପ୍ରଥମ ଆଡଭୋକେଟ୍ । ଏମିତି ଅନେକ କ୍ଷେତ୍ରରେ ପ୍ରଥମ ହେବାର ଗୌରବ ମୁଣ୍ଡାଇଥିବା ଏହି ମହାନ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ଆଉ ଆଜି ହେଉଛି ଏହି ମହାପୁରୁଷଙ୍କ ୧୭୫ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ମଧୁବାବୁଙ୍କ ଜନ୍ମଭୂମି ସାଲେପୁର ଠାରେ ସାଲେପୁର ମହୋତ୍ସବ ସାଙ୍ଗକୁ ମଧୁଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି ।

Advertisment

ସେହପରି ସାଲେପୁର ସ୍ଥିତ ଗୋପୀନାଥପୁରରେ ବିରୂପା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି । ଆମ ରାଜ୍ୟ ଓଡିଶାକୁ ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହେଉ ଅବା ଆମ ଭାଷାର ସୁରକ୍ଷା ହେଉ ସବୁ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଚୀର ସ୍ମରଣୀୟ। ସେହିପରି ଆଜିର ଦିବସକୁ ସାରା ରାଜ୍ୟରେ ଓକିଲ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ହେଲେ ଦେଶ ତଥା ରାଜ୍ୟ ପାଇଁ ଯାହାର ଅବଦାନ ଅବର୍ଣ୍ଣନୀୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭାରତ ରତ୍ନ ସମ୍ମାନ ନମଳିବାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଅଧିକ ପଢ଼ନ୍ତୁ: ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅବହେଳା କାହିଁକି…

ମଧୁସୂଦନ ଦାସ ୨୮ ଅପ୍ରେଲ ୧୮୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୪ ଫେବୃଆରୀ ୧୯୩୪ରେ ତାଙ୍କର ପରଲୋକ ହୋଇଥିଲା । ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ।

Advertisment

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।

ଏହା ବାଦ୍ ଓଡ଼ିଶାର ସ୍କୁଲ ପାଠ୍ୟ ପୁସ୍ତକରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟା ଅଧ୍ୟୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ବ୍ୟକ୍ତି ହେବା ପାଇଁ ଓ ଦେଶ ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି:

"ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢିବି ।
ଜାତି ଡାକ ଶୁଣି ଛାତି ଫୁଲେଇ ମୁଁ
କାଳିଆ ଘୋଡାରେ ଚଢିବି।"

ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ:

"ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ସନ୍ତାନ
ଦେଲ ଉତ୍କଳଙ୍କୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ !"

Madhusudan Das
Advertisment
Advertisment