• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୨୦୧୨ରୁ ବିଶ୍ୱ ହସ୍ତୀ ଦିବସ ପାଳିତ ହେଉଛି

  • ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ମାଡି ଆସୁଛନ୍ତି ହାତୀ

ଭୁବନେଶ୍ୱର : ଆଜି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହାତୀମାନେ ଖାଦ୍ୟ ଅନ୍ୱେଷଣ ଜନବସତି ଭିତରକୁ ଆସି କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି । ଏପରିକି ହାତୀ ଦାନ୍ତ ନେବା ପାଇଁ ସେମାନଙ୍କୁ ଶିକାର କରାଯାଉଛି । ସେପଟେ ବରଗଡ ଜିଲ୍ଲାରେ ଗତ ୫ ବର୍ଷ ଭିତରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ‌ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବରଗଡ ଏସିଏଫ୍ ସୂଚନା ଦେଇଛନ୍ତି ।

ଆଜି ବିଶ୍ୱ ହସ୍ତୀ ଦିବସ ପାଳନ ହେଉଥିବା ବେଳେ ସେପଟେ ସଙ୍କଟରେ ଅଛନ୍ତି ଗଜରାଜ । କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜରେ ଥମୁନି ହାତୀ ମୃତ୍ୟୁ । ଗତ ମାସକ ମଧ୍ୟରେ ଗଲାଣି ୪ଟି ହାତୀଙ୍କ ଜୀବନ, ଦୁଇ ଦିନ ତଳେ ଗୋଟିଏ ହାତୀର ଜୀବନ ଯାଇଛି । ଏହାପୂର୍ବରୁ ଗତ ୭ ତାରିଖରେ ସେହି ରେଞ୍ଜର ତଳଚମ୍ପେଇରେ ନିଜ ନିଜ ଲଢ଼େଇ ଭିତରେ ପାହାଡ଼ରୁ ପଡ଼ି ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା । ସେହିପରି ଜୁଲାଇ ୧୯ରେ ବିଜେପି ରେଞ୍ଜର ବାଂଶପାଳ ଅଞ୍ଚଳରେ ଗୋଟିଏ ମାଆ ହାତୀ ଏବଂ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଏଭଳି ଭାବେ ମାସକରେ ୪ଟି ହାତୀଙ୍କ ମୃତ୍ୟୁ ପରେ ଏସବୁର ଅନୁଧ୍ୟାନ କରାଯାଇଛି ।

Also Read

କେନ୍ଦୁଝର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ OUAT ଏବଂ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରର ଏକ ବିଶେଷଜ୍ଞ ଦଳ ସହିତ କେନ୍ଦୁଝର ଡିଏଫ୍ଓ ଏବଂ ଆଞ୍ଚଳିକ ବନ ସଂରକ୍ଷକ ଅରୁଣ ମିଶ୍ର ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ତେବେ ଯେଉଁ ୩ଟି ହାତୀ ମରିଛନ୍ତି, ସେମାନଙ୍କ ଫୁସଫୁସ୍ ନଷ୍ଟ ହୋଇଯାଇଥିବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ମରିଥିବା ହାତୀର ବ୍ୟବଛେଦ ଓ ଅନୁସନ୍ଧାନ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ କହିଛି ।