• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ପବିତ୍ର ମହାଶିବରାତ୍ରି । ଜାଗର ପାଇଁ ଚଳଚଞ୍ଚଳ ସବୁ ଶୈବପୀଠ । ଶିବ ଆରାଧନାରେ ସମସ୍ତ ଭକ୍ତ ଓ ସାରା ଜଗତ । ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଅପେକ୍ଷା - ମହାଦୀପ
ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ ।

ସବୁଠି ଶୁଭୁଛି ଓମ୍ ନମଃ ଶିବାୟ ... ଶିବମୟ ସାରା ଜଗତ... ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ଏକାମ୍ର କ୍ଷେତ୍ର । ଲିଙ୍ଗରାଜ ମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟା ହୋଇଥିବା ବେଳେ ବହୁ ଆଗରୁ ଭକ୍ତମାନେ ଧାଡ଼ିରେ ଲାଗି ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ସଂଧ୍ୟାରେ ଅଧିକ ଭିଡ଼ ହୋଇଛି । ମହାଦୀପ ଉଠିବା ସମୟକୁ ଅପେକ୍ଷା କରିଛନ୍ତି ସେମାନେ ।

ପୁରୀ ଲୋକନାଥ ପୀଠରେ ବି ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ରାତି ୨ଟାରୁ ଆରମ୍ଭ ହୋଇଥିଲା ଦର୍ଶନ । ଧୂପ, ଦୀପ ଓ ନୈବେଦ୍ୟ ଦେଇ ଆରାଧନା କରିଛନ୍ତି ଭକ୍ତମାନେ । ପୁରୀରେ ଶିବରାତ୍ରୀରେ ରହିଛି ହରିହର ଭେଟର ନିଆରା ପରମ୍ପରା । ଜାଗର ପାଇଁ କଟକର ଧବଳେଶ୍ୱର ପୀଠ ମଧ୍ୟ ଚଳଚଞ୍ଚଳ ।

କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତିର ତୃତୀୟ ପ୍ରହରରେ ମାଣ୍ଡୁଅ ଭୋଗ ପରେ ବେଢ଼ା ପରିକ୍ରମା କରାଯିବ । ରାତି ଗୋଟାଏରେ ଉଠିବ ମହାଦୀପ । ଢେଙ୍କାନାଳର କପିଳାସରେ ମଧ୍ୟ ଚନ୍ଦ୍ରଶେଖରଙ୍କ ପୀଠରେ ଜାଗର ସବୁ ବ୍ୟବସ୍ଥା ହୋଇଛି । ରାତି ୪ଟା ୨୦ରେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଛି କପିଳାସରେ । ତା ପରେ ହେବ ହରିହର ଭେଟ ।

ରାଜ୍ୟର ଅନ୍ୟତମ ଶୈବପୀଠ ସମ୍ବଲପୁରରେ ମଧ୍ୟ ଶିବରାତ୍ରୀରେ ଆଧ୍ୟାତ୍ମିକ ପରିବେଶ । ମନ୍ଦିରଗୁଡ଼ିକରେ ଭୋରରୁ ଏପର୍ଯ୍ୟନ୍ତ ଲାଗିଛି ଗହଳି । ବୁଢ଼ାରଜା, ବାଲିବନ୍ଧାର ମନ୍ଦିରରେ ଭକ୍ତମାନେ ମହାଦେବଙ୍କ ଆରାଧାନାରେ ନିମଗ୍ନ ରହିଛନ୍ତି । ମହାଶିବରାତ୍ରୀ ଅବସରରେ ଭଦ୍ରକ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଛି ।

କୌଣସି ଅଘଟଣକୁ ଏଡ଼ାଇବାକୁ ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଜଳପଥରେ ଓଡ୍ରାଫ ଟିମ ସଜାଗ ଅଛନ୍ତି । ଏଠାରେ ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ଉଠିବ ମହାଦୀପ । ବାଲେଶ୍ୱରର ଚନ୍ଦନେଶ୍ୱରରେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ଏଠାରେ
ଭୋର୍ ୪ଟାରେ ଉଠିବ ମହାଦୀପ ।

ନୟାଗଡ଼ର ଶରଣକୁଳର ଲଡୁବାବାଙ୍କ ପୀଠରେ ଭୋର୍ ୪ଟାରୁ ଚାଲିଛି ଦର୍ଶନ । ଭକ୍ତଙ୍କ ପାଇଁ ସବୁ ବ୍ୟବସ୍ଥା କରିଛି ପ୍ରଶାସନ । ଏଠାରେ ରାତି ୧୨ଟାରେ ଉଠିବ ମହାଦୀପ । ସେହିପରି କୋରାପୁଟର ଗୁପ୍ତେଶ୍ୱରରେ ଆଦିବାସୀ ପରମ୍ପରା ପୂଜା ପାଉଛନ୍ତି ମହାଦେବ । ଗଂଜାମ କବିସୂର୍ଯ୍ୟନଗରର ଜମୁନାଗିରି ପର୍ବତସିଦ୍ଧେଶ୍ୱର ପୀଠର ପାରଦ ଶିବ ଲିଙ୍ଗ ଦର୍ଶନ କରି ଭକ୍ତମାନେ କୃତ୍ୟକୃତ୍ୟ ହୋଇଛନ୍ତି ।

ବିଶାଖାପାଟଣାର ଆର୍ କେ ବିଚ୍ ରେ କରାଯାଇଛି ବିରାଟ ଶିବଲିଙ୍ଗ । ଛୋଟ ଛୋଟ ୧ କୋଟି ୧ ଶିବଲିଙ୍ଗରେ ତିଆରି ହୋଇଛି ଏହି ଶିବଲିଙ୍ଗ। ପ୍ରବାସୀ ଓଡ଼ିଆ ମାନେ ବି ଏଥିରେ ଭାଗ ନେଇଛନ୍ତି । ଏଠାରେ ରାତି ସାଢ଼େ ୧୧ଟାରେ ଉଠିବ ମହାଦୀପ ।