• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ଖଣ୍ଡଗିରିରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କୁମ୍ଭମେଳା । ପ୍ରତିବର୍ଷ ଭଳି ଏବର୍ଷ ବି ଭଳିକି ଭଳି ସାଧୁସନ୍ଥ, ନାଗାବାବା ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଖଣ୍ଡଗିରି ପାଦଦେଶରେ । ଆସନ୍ତା ୧୮ ତାରିଖରୁ ଜମିବ ରଙ୍ଗମଞ୍ଚର ଧୁମ୍ । ସେପଟେ କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ମେଳାରେ ଗତରାତିଠୁ ଲାଗିଛି ପ୍ରବଳ ଗହଳି । ପରିବାରକୁ ରୋଗ, ଶୋକ ଓ ଭୟରୁ ମୁକ୍ତ ରଖିବାକୁ ମନସ୍କାମନା କରି ଚନ୍ଦ୍ରଭାଗାରେ ବୁଡ଼ି ପକାଇଛନ୍ତି ଶ୍ରଦ୍ଧାଳୁ ।

ହର୍ ହର୍ ମହାଦେବ ଧ୍ୱନିରେ କମ୍ପୁଛି ଖଣ୍ଡଗିରି ପାଦଦେଶ । ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ବା କୁମ୍ଭ ମେଳା । ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ନାଗା ବାବା, ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ । କିଏ ଗୌରିକ ବସ୍ତ୍ର ପିନ୍ଧିଛନ୍ତି, ତ କିଏ ବାଘଛାଲ ଭଳି ବସ୍ତ୍ର ଓ ରୁଦ୍ରାକ୍ଷ । କିଏ କୌପିନରେ ଅଛନ୍ତି, ତ ଆଉ କିଏ ସମ୍ପୂର୍ଣ୍ଣ ନିର୍ବସ୍ତ୍ର ।

ମୁଣ୍ଡରେ ଟୋପି, ଲମ୍ବା ପାଚିଲା ଦାଢ଼ି, ଶରୀରରେ ଭସ୍ମ । ମହାକାଳ ନଗରୀ ଉଜ୍ଜୈନରୁ ଆସିଥିବା ନାଗାବାବା ଶ୍ରୀ ଦିଗମ୍ବର ନାଗାଜୀ ମହାରାଜ । ଆଉ ଜଣେ ରହିଛନ୍ତି ଷ୍ଟାଣ୍ଡିଙ୍ଗ୍ ବାବା, ସେ ହରିଦ୍ୱାରରୁ ଆସିଛନ୍ତି । ମେଳା ଆରମ୍ଭରୁ ଶେଷ ଯାଏଁ ଠିଆ ହୋଇ ରହିବେ । ଆଉ ଜଣେ ତ୍ରିଶୁଳ ଧାରୀ ବାବା ଆସିଛନ୍ତି ଗୟା ପ୍ରେତଶିଳାରୁ ।

କଳସ ଯାତ୍ରା ସହ ଆଜି ହୋଇଥିଲା ଖଣ୍ଡଗିରି ମାଆ ବାରଭୁଜାଙ୍କର କୁମ୍ଭ ମେଳାର ଅୟମାରମ୍ଭ । ଖଣ୍ଡଗିରି ପାହାଡ଼ରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତା କୁଣ୍ଡରୁ ପାଣି ଆଣି କୁମ୍ଭ ସ୍ଥାପନ କରାଯାଇଛି । ସାଧୁସନ୍ଥ ମାନେ ମାଟି ଖୋଳି ଯଜ୍ଞ କୁଣ୍ଡ ପ୍ରସ୍ତୁତ କରି ମହାକାଳଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ବହୁ ଶ୍ରଦ୍ଧାଳୁ ସେମାନଙ୍କ ଆଶୀର୍ବାଦ ନେବା ସହିତ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୁହାରି କରୁଥିବା ଦେଖିବାକୁ ମିଳୁଛି ।

ସେପଟେ ୧୮ ତାରିଖରୁ ଜମିବ ଖଣ୍ଡଗିରି କୁମ୍ଭମେଳାର ଆଉ ଏକ ପ୍ରମୁଖ ଆକର୍ଷଣ 'ଯାତ୍ରା' । ରାଜଧାନୀ ଓ ଆଖପାଖ ଅଞ୍ଚଳର ଯାତ୍ରାପ୍ରେମୀଙ୍କୁ ଆକର୍ଷିତ କରିବାକୁ ରାସ୍ତାକଡ଼ରେ ଛାଇ ହୋଇଗଲାଣି ପୋଷ୍ଟର-ବ୍ୟାନର୍ । ୬ଟି ପେଣ୍ଡାଲରେ ଯାତ୍ରା ମଞ୍ଚସ୍ଥ କରିବେ ନାମୀଦାମୀ ୧୨ଟି ଗଣନାଟ୍ୟ । ତେବେ ଏବର୍ଷ ଟିକେଟ୍ ଦାମ ୧୫୦ରୁ ୨୫୦ ମଧ୍ୟରେ ରଖିବାକୁ ଏବଂ ମେଲୋଡ଼ି, ରେକର୍ଡ ଡ୍ୟାନ୍ସ ଓ ଯାତ୍ରାରେ ଶାଳୀନତାକୁ ଗୁରୁତ୍ୱ ଦେବାକୁ ପ୍ରଶାସନ ପକ୍ଷରୁ କମିଟିକୁ ତାଗିଦ କରାଯାଇଥିବା ସୂଚନା ମିଳିଛି । ଖଣ୍ଡଗିରି କୁମ୍ଭମେଳା ଆସନ୍ତା ୨୯ ଯାଏଁ ଚାଲିବ ।

ଆଉ ଇଏ ଅର୍କକ୍ଷେତ୍ର କୋଣାର୍କ । ଭୋର ସାଢ଼େ ୪ଟାରୁ ପବିତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇ, ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି ସାଧୁସନ୍ଥ ଓ ଶ୍ରଦ୍ଧାଳୁ । କିମ୍ବଦନ୍ତୀ କହେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମତିଥି ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ ଲାଙ୍ଗୁଳା ନରସିଂହ ଦେବ । ତେବେ ସପ୍ତମୀ ବୁଡ଼ ପାଇଁ ଗତକାଲି ଷଷ୍ଠୀରୁ ଭିଡ଼ ଜମିଥିଲା ଚନ୍ଦ୍ରଭାଗା ମେଳା ପଡ଼ିଆରେ ।

ଅସ୍ଥାୟୀ କୁଡ଼ିଆ କରି ମାଟି ହାଣ୍ଡିରେ ରୋଷେଇ କରିବା ପରେ, ହାଣ୍ଡି ବାଡ଼ିଆ ପୋଖରୀରେ ତାକୁ ଭାଙ୍ଗିଥିଲେ ଶ୍ରଦ୍ଧାଳୁ । ପଂରପରା ଅନୁସାରେ, ସୁସଜ୍ଜିତ ବିମାନରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ ପ୍ରଭୁ ତ୍ରିବେଣୀଶ୍ୱର, ଐଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର । ଆଜି ବଡ଼ି ଭୋରରୁ ତିନି ଠାକୁରଙ୍କ ମହାସ୍ନାନ ପରେ, ହୋଇଥିଲା ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ଏଥିଅନ୍ତେ, ଆରମ୍ଭ ହୋଇଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ବୁଡ଼ । ଏହାକୁ ଶୃଙ୍ଖଳିତ କରିବା ପାଇଁ, ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ ୪ ଜଣ ଅତିରିକ୍ତ ଏସପି ସମେତ ମୁତୟନ ହୋଇଥିଲେ ୩୩ ପ୍ଲାଟୁନ ଫୋର୍ସ ।

  • Reported by:
  • NIRANJAN REDDY