• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ । ଗତକାଲିଠାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ, ଆଜି ଦ୍ବାର ଭାଙ୍ଗି ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ବାବା ଧବଳେଶ୍ବରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବଡ଼ ଓଷାରେ ଅସମ୍ଭାଳ ଭିଡ଼; ପୂଜକଙ୍କ ପ୍ରତିବାଦକୁ କେହି ମାନିଲେନି । ପ୍ରଶାସନ ସହ ଆଲୋଚନା ବିଫଳ ହେବାରୁ ଆଜି ଅସମ୍ଭାଳ ସ୍ଥିତି ଉପୁଜିଛି ।

ଘଟଣାକ୍ରମରେ ଗତକାଲି ସେବାୟତ-ପ୍ରଶାସନ କଳିର କୁପରିଣତି ସ୍ୱରୂପ ଧବଳେଶ୍ୱର ବାବାଙ୍କ ଦୁଆରରେ ତାଲା ପଡ଼ିଥିଲା । ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଥିଲା ପ୍ରଶାସନ । ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଛିଡ଼ା ହୋଇ ଠାକୁରଙ୍କ ଦର୍ଶନରୁ ଗତକାଲି ବଞ୍ଚିତ ହୋଇଥିଲେ ଭକ୍ତ ।

ଶୁକ୍ରବାର ଦିନ ଧବଳେଶ୍ୱରଙ୍କ ରାତି ୩ଟାରୁ ନୀତିକାନ୍ତି ସରିଥିଲା । ପରେ ବ୍ୟାରିକେଡରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିଲା । କିନ୍ତୁ ସକାଳ ୧୦ଟାରେ ହଠାତ୍ ପୂଜକମାନେ ମନ୍ଦିରର ମୁଖ୍ୟ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରି ପାର୍ବତୀ ମନ୍ଦିରରେ ତାଲା ପକାଇ ଧାରଣା ଦେଇଥିଲେ । ପଞ୍ଚୁକରେ ପ୍ରଶାସନ ନୂଆ ପୋଲଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ କରିବା ଫଳରେ ଭକ୍ତମାନେ ପୂଜକଙ୍କୁ ଭୋଗ କି ଦକ୍ଷିଣା ଦେଇପାରୁ ନାହାନ୍ତି । ଏପରି ଅଭିଯୋଗ ନେଇ ଧାରଣାରେ ବସିଥିଲେ ପୂଜକ ଗୋଷ୍ଠୀ ।

ସେହିପରି ମନ୍ଦିର ପୂଜକ କମିଟି ସାଇକେଲ ଷ୍ଟାଣ୍ଡ ନିଲାମ ଆଣିଥିବା ବେଳେ କଟକ ଜିଲ୍ଲା ପ୍ରଶାସନ, ମନଇଚ୍ଛା ଆଉ ଦୁଇଟି ସାଇକେଲ ଷ୍ଟାଣ୍ଡ ନିଲାମ କରିଛି । ଯଦ୍ୱାରା ସେମାନଙ୍କ ଘୋର କ୍ଷତି ହୋଇଛି ବୋଲି କହିଛନ୍ତି ସେବାୟତ ଗୋଷ୍ଠୀ ।