• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଦଳି ଯାଇଛି କ୍ୟାଲେଣ୍ଡର । ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସମସ୍ତେ ସ୍ୱାଗତ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମସ୍ତେ ଖୁସିରେ ସ୍ୱାଗତ କରିଛନ୍ତି ୨୦୨୪କୁ । ଭାରତ ସହ ଦେଶ ବିଦେଶରେ ବି ବେଶ ଧୁମ୍ ଧାମରେ ପାଳନ କରାଯାଇଛି ନୂଆବର୍ଷକୁ । ବିଶେଷ କରି ନୂଆବର୍ଷର ଆଗମନରେ ଯୁବପିଢ଼ି ଓ ଛୋଟଛୋଟ ପିଲାଙ୍କ ନିକଟରେ ଦେଖିବାକୁ ମିଳିଛି ଅଧିକ ଉତ୍ସାହ ।

ନୂଆ ବର୍ଷରେ ବହୁ ସଂଖ୍ୟାରେ ଭକ୍ତ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବାରୁ ଶୀଘ୍ର ନୀତିକାନ୍ତି ସରିଛି । ଗତକାଲି ରାତି ୧୧ଟା ବେଳେ ମହାପ୍ରଭୁଙ୍କ ପହଡ଼ ନୀତି କରାଯାଇଛି । ଏବଂ ରାତି ଗୋଟାଏରେ ସର୍ବସାଧାରଣ ପାଇଁ ସିଂହ ଦ୍ୱାର ଖୋଲା ଯାଇଥିଲା । ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଛି । ଲୋକେ ବିଭିନ୍ନ ହୋଟେଲରେ ସୁସ୍ୱାଦୁ ଖାଦ୍ୟ ଖାଇବା ସହ ଡ଼ିଜେର ତାଳେ ତାଳେ ଝୁମିଛନ୍ତି । ଭୁବନେଶ୍ବରର ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବ ଗୁଡ଼ିକରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । କେବଳ ଯେ ଭୁବନେଶ୍ୱର ନୁହେଁ ବରଂ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, କଟକ, ଜୟପୁର ରେ ମଧ୍ୟ ବେଶ ଧୁମ୍ ଧାମରେ ସେଲିବ୍ରେସନ୍ କରାଯାଇଛି । ବିଭିନ୍ନ ସ୍ଥାନ ମାନଙ୍କରେ ହୋଟେଲ ଗୁଡ଼ିକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ତାସହ ନାଚଗୀତ, ଆତସବାଜି ଓ ସୁସ୍ୱାଦୁ ଖାଦ୍ୟର ଆସର ବି ଜମିଥିଲା ।

ସେପଟେ ନୂଆ ବର୍ଷର ପ୍ରଥମ ଆଲୋକ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି । ପୁରୀ ସମୁଦ୍ର ବେଳାଭୂମୀ ସହ ଚନ୍ଦ୍ରଭାଗାରେ ନୂଆ ବର୍ଷର ପ୍ରଥମ ସକାଳର ସୂର୍ଯ୍ୟ ଉଦୟ ଦେଖିବା ସହ ମହୋଦଧିରେ ସ୍ନାନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବର୍ଷର ପ୍ରଥମ ଦିନକୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ଆରମ୍ଭ କରିବା ଲାଗି ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି ।

ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ । ଆଜିଠାରୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ଶାଳୀନତାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଆସିବେ । ସେହିପରି ମନ୍ଦିର ପରିସରକୁ ଗୁଟଖା କିମ୍ବା ପାନ ମନା ହୋଇଛି । ଯଦି କେହି ଧରାପଡେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ କହିଛି ।

ସେହିପରି ଶ୍ରୀମନ୍ଦିରରକୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ଏପଟେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଲିଙ୍ଗରାଜ ଦର୍ଶନ କରିବା ସହ ନୂଆବର୍ଷରେ ନିଜର ଓ ନିଜ ପରିବାରର ଲୋକଙ୍କ ମଙ୍ଗଳ ମନାସିଛନ୍ତି ଭକ୍ତ ।

ନୂଆ ବର୍ଷର ପ୍ରଥମ ଦିନରେ ଦେବାଦେବୀଙ୍କ ଦର୍ଶନ ସହ ଦିନ ଆରମ୍ଭ କରିବା ପାଇଁ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ଭିଡ଼ ଲାଗିଛି । ଦୂରଦୁରାନ୍ତରୁ ଶ୍ରଦ୍ଧାଳୁମାନେ ବଡି ଭୋରରୁ ଆସି ମନ୍ଦିର ପରିସରରେ ପହଞ୍ଚିଛନ୍ତି ।

ମା' ଙ୍କର ଦର୍ଶନ ପାଇଁ ଲମ୍ବା ଲାଇନରେ ରହି ଦର୍ଶନ କରୁଛନ୍ତି । ମା' ଙ୍କର ଆର୍ଶୀବାଦ ସହ ଦିନଟି ଆରମ୍ଭ କଲେ ବର୍ଷ ସାରା ଭଲରେ କଟିବ ବୋଲି ଲୋକମାନଙ୍କର ଧର୍ମ ବିଶ୍ୱାସ ରହିଛି ।