• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ଆସନ୍ତା ୭ ତାରିଖରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଦିବାସୀଙ୍କ ସହିତ ଆଲୋଚନା କରିସାରିଛି ପୋଲିସ ପ୍ରଶାସନ । ଆଗରୁ କଟକଣା ରହୁଥିବାରୁ ବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଆଦିବାସୀ ଓ ପୋଲିସ ପ୍ରଶାସନ । କିନ୍ତୁ ଏବେ ପ୍ରଶାସନର କଟକଣା ନାହିଁ । ତେଣୁ ବଳିକୁ ନେଇ ବିବାଦ ନଥିବା ବେଳେ, ମୁଣ୍ଡ ଟେକିଛି ନୂଆ ବିବାଦ । ସୁଲିଆ ମହୋତ୍ସବକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ । ଏଥର କୁମୁରିଆ ଓ ଖଇରଗୁରାରେ ଦୁଇଟି ସୁଲିଆ ମହୋତ୍ସବ ହେବ । ମହୋତ୍ସବ କମିଟୀରେ ଅଣ ଆଦିବାସୀ ସଂପୃକ୍ତି ନେଇ ଆଦିବାସୀଙ୍କ ଅଭିଯୋଗ । ତେଣୁ ଏଥର ସୁଲିଆ ଯାତ୍ରା ପୂର୍ବରୁ ଦୁଇ ଫାଳ ଆଦିବାସୀ । ଏହାକୁ ନେଇ ବଢ଼ିଛି ପ୍ରଶାସନର ଚିନ୍ତା ।

ଆସନ୍ତା ୭ ତାରିଖ, ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । କିନ୍ତୁ ଯାତ୍ରା ପୂର୍ବରୁ, ପ୍ରଶାସନର ପ୍ରସ୍ତୁତି ବୈଠକରେ, ମିଳିତ ସୁଲିଆ ଯାତ୍ରା କମିଟୀର ସଭାପତି ମୟ ପ୍ରଧାନୀଙ୍କ ପ୍ରଶାସନ ଆଗରେ ରୋକଠୋକ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଗୋଟିଏ ଯାତ୍ରାରେ ମହୋତ୍ସବ ହେଉଥିବା ବେଳେ, ଏଥର ଆଉ ଏକ ମହୋତ୍ସବକୁ ଅନୁମତି ନଦେବା ପାଇଁ ପ୍ରଶାସନକୁ ଦରଖାସ୍ତ ଦିଆଯାଇଛି । ଖାଲି ସେତିକି ନୁହେଁ, ଆଦିବାସୀ ପରମ୍ପରାରେ ଅଣ ଆଦିବାସୀଙ୍କ ସଂପୃକ୍ତିକୁ ମଧ୍ୟ ବିରୋଧ କରାଯାଇଛି ।

ସେପଟେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀର ଆୟୋଜନ କରାଯାଇଛି । ଦେଓଗାଁ ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଲକ୍ଷ୍ମଣ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆଦିବାସୀଙ୍କ ଅନ୍ୟ ଗୋଷ୍ଠୀ ଏଥିରେ ସାମିଲ ହୋଇଥିଲେ । ଆସନ୍ତା ୫ ରୁ ୭ ତାରିଖ, କୁମୁରିଆରେ ସୁଲିଆ ମହୋତ୍ସବ ପାଇଁ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ପୂର୍ବ ବର୍ଷ ମାନଙ୍କରେ କେବଳ ଖଇରଗୁରାରେ ମିଳିତ ଭାବରେ ସୁଲିଆ ମହୋତ୍ସବ ଅନୁଷ୍ଠିତ ହେଉଥିଲା । କିନ୍ତୁ ଏଥର ଉଭୟ କୁମୁରିଆ ଓ ଖଇରଗୁରାରେ ଆୟୋଜିତ ହେବ ସୁଲିଆ ମହୋତ୍ସବ । ତେଣୁ ଦୁଇଟି ମହୋତ୍ସବ ଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି।

ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଖଇରଗୁରା ଗାଁ । ଆଦିମ କାଳରୁ ଏଇଠି ପାଳିତ ହୋଇ ଆସୁଥିଲା ସୁଲିଆ ଯାତ୍ରା । କିନ୍ତୁ ସାଧାରଣ ବିବାଦ ଯୋଗୁଁ, ୧୯୭୦ ମସିହାରେ, ନିକଟ କୁମୁରିଆ ଗାଁରେ ଆଉ ଗୋଟେ ଖଳା ସୃଷ୍ଟି କରି ଆଦିବାସୀ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇ ଆସୁଛି ସୁଲିଆ ଯାତ୍ରା । ତେଣୁ ୧୯୭୦ ମସିହାରୁ ଉଭୟ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ବଳି ଆୟୋଜିତ ହୁଏ ।

କିନ୍ତୁ ମୂଳପୀଠସ୍ଥଳୀ ଖଇରଗୁରାରେ ଆୟୋଜିତ ହେଉଥିଲା ସୁଲିଆ ମହୋତ୍ସବ । କିନ୍ତୁ ଏଥର ପ୍ରଥମ କରି କୁମୁରିଆରେ ଆୟୋଜିତ ହେବ ମହୋତ୍ସବ । ଏଥିପାଇଁ ଦୁଇ ଭାଗ ହୋଇଯାଇଛନ୍ତି ଆଦିବାସୀ ସମାଜ । କୁମୁରିଆ ଓ ଖଇରଗୁରା, ଦୁଇ ପଡୋଶୀ ଗାଁରେ ମହୋତ୍ସବ ହେଉଥିବାରୁ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ । ନୂଆ ସୁଲିଆ ମହୋତ୍ସବ କମିଟୀକୁ ଅନୁମତି ନଦେବା ପାଇଁ ପ୍ରଶାସନ ପାଖରେ ଅନୁରୋଧ କରିଛି ମିଳିତ ସୁଲିଆ ଯାତ୍ରା କମିଟୀ । ଏହି ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବାରୁ, ଏହା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଉପ-ଜିଲ୍ଳାପାଳ ।

 

  • Reported by:
  • MANARANJAN JOSHI , Ghateswar Mishra

OTV is now on Whatsapp

Join and get latest news update delivered to you via whatsapp

Join Now