• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାର୍ତ୍ତିକ ପୂର୍ଣ୍ଣମୀରେ ମିଳିବ ତ ଶ୍ରୀଜିଉଙ୍କ ସୁନାବେଶ ସାନିଧ୍ୟ ? ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶ ଦର୍ଶନରୁ ନିରାଶ ହେବେନି ତ ଭକ୍ତ ? ସମୟ ଯେତିକି ପାଖୋଉଛି, ଦ୍ୱନ୍ଦ୍ୱ ସେତିକି ବଢୁଛି । ଶ୍ରୀମନ୍ଦିର ପରଂପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ ଓ ଲକ୍ଷାଧିକ ଭକ୍ତ ଏହାକୁ ଦର୍ଶନ କରି କୃତ୍ୟ କୃତ୍ୟ ହୁଅନ୍ତି । ତେଣୁ ସେଥିପାଇଁ ଭକ୍ତ ଏବେ ଉତ୍କଣ୍ଠାରେ ।

ହେଲେ ଏଥର ବାଧକ ସାଜିଛି ଚନ୍ଦ୍ର ଗ୍ରହଣ । ଯେହେତୁ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍‌ସରେ ଉଲ୍ଲେଖ ରହିଛି-ଗ୍ରହଣ ତିଥିରେ ପାକତ୍ୟାଗ ପୂର୍ବରୁ ମହାପ୍ରଭୁ ତଡ଼ପ ବେଶରେ ଅର୍ଥାତ୍ ଉତ୍ତରୀୟ ପରିଧାନ ବେଶରେ ରହିବେ । ତେଣୁ ଆସନ୍ତାକାଲି ଦ୍ୱାରଫିଟା ସହ ଅନ୍ୟ ନୀତିକାନ୍ତି ପରେ ଭକ୍ତ ଦର୍ଶନ ପାଇବା ବେଳକୁ ଠାକୁରମାନଙ୍କ ସୁନାବେଶ ଓଲାଗି ହୋଇସାରିଥିବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ-ଆଜି ରାତି ୧୦ଟାରେ ଠାକୁରଙ୍କ ପହୁଡ଼ ନୀତି ହେବ । ଏହାପରେ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତୀ, ଅବକାଶ, ମଇଲମ ଆଦି ନୀତି ଚାଲିବ । ରାତି ୨ଟା ୩୦ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ ହେବ । ଭୋର ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଉଠାଇବାକୁ ଛତିଶା ନିଯୋଗରେ ନିଷ୍ପତ୍ତି ହୋଇଛି । ତେଣୁ ସକାଳୁ ଦର୍ଶନ ଆରମ୍ଭ ହେବା ବେଳକୁ ଠାକୁର ସୁନାବେଶରେ ଥିବେ ନା ଓଲାଗି ହୋଇଥିବେ ତାହା କେହି ସ୍ପଷ୍ଟ କରିପାରୁ ନାହାନ୍ତି । ଖୋଦ୍ ଶ୍ରୀମନ୍ଦିର ନୀତି ପ୍ରଶାସକ ବି ଏ ପ୍ରଶ୍ନର ଗୋଳମାଳିଆ ଉତ୍ତର ଦେଇଛନ୍ତି ।

ଆସନ୍ତାକାଲି ଅପରାହ୍ନ ୨ଟା ୩୮ ମିନଟ୍‌ରେ ଗ୍ରହଣ ସ୍ପର୍ଶ ହେବ । ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନଟ୍‌ରେ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଗ୍ରହଣ ଦିନ ସୂର୍ଯ୍ୟୋଦୟଠାରୁ ସନ୍ଧ୍ୟା ୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି । ଏଥିସହ ମହୋଦଧି, ନଦୀ ଓ ପୁସ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ପୂର୍ବରୁ ଶେଷ କରିବାକୁ କୁହାଯାଇଛି ।

ସେପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି । ପୁରୀକୁ ଅଧିକ ଯାନବାହନ ଆସିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ବି କରାଯାଇଥିବା ଏସ୍‌ପି କହିଛନ୍ତି । ଏଣେ ଆଜି ପଞ୍ଚୁକ ଚତୁର୍ଥ ଦିନରେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ସିଂହଦ୍ୱାର ଆଗରେ ଲାଗିଛି ପ୍ରବଳ ଭିଡ଼ । ଆସନ୍ତାକାଲି ପଞ୍ଚୁକର ଶେଷ ଦିନରେ ଜଗାଦର୍ଶନ କରି ଦୀର୍ଘ ୧ ମାସ ଧରି କାର୍ତ୍ତିକ ବ୍ରତର ଉଦ୍‌ଯାପନ କରିବେ ହବିଷ୍ୟାଳୀ ।