• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସଂପନ୍ନ ହେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି ।

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ଏବେ କେବଳ ଅପେକ୍ଷା ସେହି ଶୁଭ ଲଗ୍ନ ସମୟକୁ ।

ଅନ୍ୟପଟେ ବାଲୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୀ ସମୁଦ୍ର ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା କଳା କରିଛନ୍ତି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାବେଳେ ତା ପୂର୍ବରୁ ସୁଦର୍ଶନଙ୍କ ବାଲୁକା କଳା ଦେଖିବାକୁ ବେଳାଭୂମିରେ ଭିଡ଼ ଲାଗିଛି ।

ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସ୍ୟାଣ୍ଡ ଆନିମେସନରେ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି । ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଗୁଆ ଚାଉଳ ଦେଇ ରାଜଗୁରୁଙ୍କୁ ବରଣ, ବ୍ରାହ୍ମଣଙ୍କ ଦ୍ୱାରା ଅଂକୁର ରୋପଣ, ତ୍ରିଦେବଙ୍କ ଆବାହନ ସ୍ୟାଣ୍ଡ ଆନିମେସନରେ ସ୍ଥାନ ପାଇଛି ।

ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଦୃଶ୍ୟ ମଧ୍ୟ ରହିଛି ଆନିମେସନ ଭିଡ଼ିଓରେ । ୩ ମିନିଟ ୩୯ ସେକେଣ୍ଡର ଏହି ଭିଡିଓ ପ୍ରସ୍ତୁତ କରିବାକୁ ୧୫ ଘଣ୍ଟା ଲାଗିଥିଲା ବୋଲି କହିଛନ୍ତି ମାନସ ସାହୁ ।

  • Reported by:
  • MADHUSUDAN MISHRA