• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌରାଣିକ ଚରିତ୍ର ଏବଂ ଓଡ଼ିଶାର କଳା, ସଂସ୍କୃତିର ନିର୍ଦ୍ଦଶନ ଏବେ ପୁରୀରେ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡ଼ିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ବେଶ ଆୟୋଜିତ ହୋଇଛି । ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ । ପରେ ଶ୍ରୀଜିଉଙ୍କ ଅଜ୍ଞାମାଳ ପାଇଁ ରାମ-ଲକ୍ଷ୍ମଣ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିଥିଲେ ।

ସେହିପରି ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଚରିତ୍ର ପରିବେଷଣ କରାଯାଇଥିଲା । ବିର ବେଶରେ ସଜିତ ପର୍ଶୁରାମ ବାଦ୍ୟର ତାଳେ ତାଳେ ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ । ପର୍ଶୁରାମଙ୍କ ସମେତ ନାଗା, ମେଢ଼, ବନାଟୀ ଖେଳ ସମେତ ଅନେକ ଚରିତ୍ର ବାହାରି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ ।

ସେହିଭଳି ଆଜି ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡ଼କ ଯାତ୍ରାରେ ବେଶ ଭିଡ଼ ଜମିଛି । ଏ ଅବସରରେ ଭୋରରୁ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ନୀତିକାନ୍ତି । ୧୩ ଦିନ ଧରି ଚାଲୁଥିବା ଏହି ପର୍ବର ଆଜି ଅନ୍ତିମ ପର୍ବ । ଏହାକୁ ପାଟ ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଚଡ଼କ ପର୍ବର ଶେଷ ତିନିଦିନ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହି କ୍ରମରେ ଆଜି ଦେହ ଅର୍ଘ୍ୟ ଓ ମାଳ ଚନ୍ଦନ ଅନୁଷ୍ଠିତ ହେବ । ଦେହରେ କଣ୍ଟାଫୋଡ଼ି ମାନସିକଧାରୀ ମାନେ ନିଜକୁ ବାବାଙ୍କଠାରେ ସମର୍ପିତ କରିବେ । ଆଜି କେବଳ ଦେଉଳିଆ, ଶ୍ରିବେକେଡି ଓ ପାଟଭୁକ୍ତାଙ୍କୁ ନେଇ ଚଡ଼କ ଯାତ୍ରା ଅନୁଷ୍ଠିତ ହେବ ।

ଗତକାଲି କଟକଣାରେ ନୀଳପର୍ବ ପାଳିତ ହୋଇଥିଲା । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ମେଳା ବନ୍ଦ କରିଛି ପ୍ରଶାସନ । ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ସୀମିତ ସେବାୟତଙ୍କୁ ନେଇ କେବଳ ନୀତିକାନ୍ତି ଅନୁଷ୍ଠିତ ହେଉଛି । କିମ୍ବଦନ୍ତୀ କହେ କାମିନୀ ନାମର ରାକ୍ଷାସୀ ତପସ୍ୟା କରି ସିଦ୍ଧିଲାଭ କରିବା ପରେ ବାବା ଚନ୍ଦନେଶ୍ୱରଙ୍କୁ ବିବାହ କରିବାକୁ ଇଚ୍ଛାପ୍ରକାଶ କରିଥିଲା । ରାକ୍ଷାସୀର କଥା ରଖି ବାବା କାମିନୀଙ୍କୁ ବିବାହ କରିଥିଲେ । ଏହା ଚୈତ୍ର ମାସରେ ୧୩ ଦିନ ଧରି ଚାଲିଥିଲା । ସେହି ଅନୁସାରେ ଏବେବି ପର୍ବ ପାଳିତ ହୋଇ ଆସୁଛି ।

ସେପଟେ ସୁରଟର ଓଡ଼ିଆ ସମାଜ ପକ୍ଷରୁ ହନୁମାନ ଜୟନ୍ତୀ ପାଳନ କରାଯାଉଛି । ଆସନ୍ତାକାଲିର ଏହି ପର୍ବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏହି ଅବସରରେ ଆଜି ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା । ପ୍ରଥମେ ମହାବୀର ସେବା ସମାଜର ସଭ୍ୟମାନେ ପବିତ୍ର ତାପି ନଦୀରୁ ଜଳ ଉଠାଇଥିଲେ । କଳସରରେ ଏହି ଜଳ ନେଇ ନୀଳଗିରିର ହନୁମାନ ମନ୍ଦିରକୁ ଯାଇଥିଲେ । ପୂଜାର୍ଚ୍ଚନା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ୩ କିଲୋମିଟରର ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଭାଗ ନେଇଥିଲେ । ପୂଜାସ୍ଥଳରେ ପହଞ୍ଚିବା ପରେ ସେଠାରେ ମନ୍ତ୍ରପାଠ ସହିତ କଳସ ସ୍ଥାପନ କରାଯାଇଛି ।