• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରଥଯାତ୍ରା ସୁପରିଚାଳନା ପାଇଁ ସରିଛି ପୋଲିସ ବିଭାଗର ପ୍ରସ୍ତୁତି । ମହାପ୍ରଭୁଙ୍କ ଘୋଷଯାତ୍ରାରେ କିଭଳି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ରଥଟଣା, ଭିଡ଼ ନିୟନ୍ତ୍ରଣ କରାଯିବ, ସେ ନେଇ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପୋଲିସ ପକ୍ଷରୁ ଆଜି ପୁରୀରେ ରଥଟଣାର ମକ୍ ଡ୍ରିଲ୍ ସହ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ସମ୍ପର୍କରେ ଅବଗତ କରାଯାଇଛି । ରଥଯାତ୍ରାବେଳେ ଏଥର ପ୍ରଥମ ଥର ପାଇଁ ହେଲିକପ୍ଟର ଓ ଫାଷ୍ଟ ପାଟ୍ରୋଲିଂ ଭେଇକିଲ୍ ବ୍ୟବହାର କରି ଟ୍ରାଫିକ ଉପରେ ନଜର ରଖିବ ପୋଲିସ ।

ଦିନକ ପରେ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତା’ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର । ସବୁ ବର୍ଷ ଭଳି ଏ ବର୍ଷ ବି ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ । ଟ୍ରାଫିକ ପରିଚାଳନା ଲାଗି ସହରକୁ ମୋଟ ୧୪ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି ।

ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଟୁରିଷ୍ଟ ବସ୍ ସବୁ ମାଳତୀପାଟପୁରଠାରେ ପାର୍କିଂ କରିବେ । ନିୟମିତ ବସ୍‌ଗୁଡ଼ିକ ତାଳବଣିଆ ଷ୍ଟାଣ୍ଡରେ ରହିବ । ସେହିଭଳି ବ୍ରହ୍ମଗିରି ପଟୁ ଆସୁଥିବା ଗାଡିଗୁଡ଼ିକ ଫ୍ଲୋରିସ ଇଣ୍ଡିଆ ନିକଟେର ରହିବେ । ୪ ଚାକିଆ ଯାନ ପାଇଁ ଇଣ୍ଡୋର ଷ୍ଟାଡିୟମ, ହେଲିପ୍ୟାଡ୍, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଆଇଟିଆଇ କଲେଜ୍, ନଲି ଫିଲ୍ଡ ଓ ୟାତ୍ରିକା ନିକଟରେ ବ୍ୟବସ୍ଥା ହୋଇଛି ।

ସେହିଭଳି ଦୁଇ ଚକିଆ ଗାଡ଼ିସବୁ ଜଗନ୍ନାଥ ବଲ୍ଲଭ, ମଶାଣିଚଣ୍ଡି, ମାଟି ତୋଟା ପାର୍କିଂ, ନୀଳାଚଳ ଅଶୋକ ଏବଂ ବ୍ଲୁ ଫ୍ଲାଗ୍ ବିଚ୍ ନିକଟରେ ପାର୍କିଂ କରିବେ । ଏହି ଟ୍ରାଫିକ୍ ନିୟମ ୧୯ ତାରିଖ ରାତି ୧୨ଟାରୁ ୨୧ ତାରିଖ ରାତି ୧୨ଟା ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଲାଗୁ କରାଯିବ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଯିବା ଆସିବା ଲାଗି ତାଳବଣିଆରୁ ଜିଲ୍ଲା ସ୍କୁଲ ଏବଂ ମାଳତୀ ପାଟପୁରରୁ ଅଠର ନଳା ପର୍ଯ୍ୟନ୍ତ ସଟଲ୍ ସର୍ଭିସ ବ୍ୟବସ୍ଥା କରାଯାଇଛି ।

ଏପଟେ ରଥଟଣାରେ କୌଣସି ପ୍ରକାର ବିଶୃଙ୍ଖଳା ଏବଂ ଅଘଟଣକୁ ଏଡ଼ାଇବାକୁ ପୋଲିସ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ରଥଟଣା ବେଳେ କର୍ଡନ କିଭଳି କରାଯିବ ଏବଂ ବିଭିନ୍ନ ପୋଲିସ କର୍ମଚାରୀମାନେ କିଭଳି ରଥଟଣା କାର୍ଯ୍ୟରେ ନିୟୋଜିତ ହେବେ, ସେ ନେଇ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ଆଜି ରଥ ଟଣାର ମକଡ୍ରିଲ ହୋଇଛି ।

ରଥଯାତ୍ରା ପାଇଁ ରେଲୱେ ଓ ତଟ ସୁରକ୍ଷା ଏଡିଜି ଆଜି ପୁରୀରେ ବିଭାଗୀୟ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି । ଷ୍ଟେସନରେ ଏଥର ପ୍ରଥମ ଥର ପାଇଁ ବ୍ୟବହୃତ ହେବ ମୁହଁ ଚିହ୍ନା ବ୍ୟବସ୍ଥା ବା ଫେସ୍ ରେକଗନାଇଜେସନ ସିଷ୍ଟମ । ଏହା ପକେଟମାର, ଲୁଟେରା ଓ ଅନ୍ୟ ଦୁର୍ବୃତ୍ତଙ୍କ ଚିହ୍ନିବାରେ ସହାୟକ ହେବ । ଘୋଷଯାତ୍ରାରେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଜଳ, ସ୍ଥଳ ଓ ଆକାଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତଟସୁରକ୍ଷାରେ ହେଲିକପଟର ମୁତୟନ ସହ ରାସ୍ତାରେ ଫାଷ୍ଟ ପାଟ୍ରୋଲିଂ ଭେହିକିଲ ନଜର ରଖିବ । ଆସନ୍ତାକାଲି ନବଯୌବନ ଦର୍ଶନ ବେଳେ ସହରରେ ୬୦ ପ୍ଲାଟୁନ୍ ଓ ରଥଯାତ୍ରା ଦିନ ୧୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ।

  • Reported by:
  • PRADEEP MAHANTY , MADHUSUDAN MISHRA