• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ମନାସି ସଧବା ମହିଳା ନିଷ୍ଠାର ସହ ପାଳିବେ ଓଷା। ସାବିତ୍ରୀ ବ୍ରତରେ ଫଳର ଏକ ସ୍ୱତନ୍ତ୍ର ସ୍ଥାନ ଥିବାରୁ ସବୁବର୍ଷ ଭଳି ଏ ବର୍ଷ ବି ବଜାରରେ ଫଳର ଚାହିଦା କାହିଁରେ କଣ। କିନ୍ତୁ ଆମ୍ବ, ପଣସ ଓ ସପୁରୀ ଭଳି କିଛି ଦେଶୀ ଫଳକୁ ଛାଡ଼ିଦେଲେ ବାକି ସବୁ ବିଦେଶୀ ଓ ଆମଦାନୀ ହେଉଥିବାରୁ ସେସବୁର ଦର ଏବେ ଆକାଶଛୁଆଁ। ଏପଟେ ବିଧି ପାଇଁ କିଣିବା ବାଧ୍ୟତାମୂଳକ ଥିବାରୁ ଗ୍ରାହକ କେଉଁ ଫଳରୁ କେତେ କିଣିବ, ତାକୁ ନେଇ ଦ୍ୱନ୍ଦ୍ୱରେ।

ଭୁବନେଶ୍ବର, କଟକ, ବାଲେଶ୍ବର । କାଲିି ସାବିତ୍ରୀ ପାଇଁ ଆଜି ସବୁଠି ବଜାର ଭିଡ଼। ଫଳରୁ ପୂଜା ସାମଗ୍ରୀ, ଶାଢିରୁ ଶଙ୍ଖା ସିନ୍ଦୁର, ଦିନକ ପୂର୍ବରୁ ସାଇତି ରଖିବାକୁ ଲାଗିଛି ଗ୍ରାହକଙ୍କ ଗହଳି ଚହଳି। ଭୁବନେଶ୍ବର କଳ୍ପନା-ରାଜମହଲ ରାସ୍ତାରେ ସାବିତ୍ରୀର ଦିନକ ଆଗରୁ ଖୁବ ଜମିଛି ଫଳ ବ୍ୟବସାୟ। ତେବେ ଏବର୍ଷ ଗ୍ରାହକଙ୍କ ଚାହିଦା ଅନୁସାରେ ମାର୍କେଟରେ ମାଲ ନାହିଁ। ତେଣୁ କେବଳ ଆମ୍ବକୁ ଛାଡ଼ି ବାକି ସବୁ କିସମର ଫଳ ଦର ପ୍ରାୟ ଆକାଶ ଛୁଆଁ।

କଟକ ଛତ୍ରବଜାରରେ ବ୍ରତର ଦିନକ ଆଗରୁ ଆଗୁଆ ସାମଗ୍ରୀ ପାଇଁ ନାହିଁ ନଥିବା ଗହଳି। ତେବେ ରାଜ୍ୟର ଏ ବଡ଼ ହୋଲସେଲ ମାର୍କେଟରେ ବି ଫଳ ଦରରେ ନିଆଁ ଲଗା ସ୍ଥିତି। କେବଳ କଦଳୀ, ତାଳ, ଆମ୍ବ, ଖଜୁରୀ ଓ ପଣସ ଭଳି ଦେଶୀ ଜିନଷକୁ ବାଦ୍ ଦେଲେ, ବାହାରୁ ଆମଦାନୀ ହେଉଥିବା ଫଳ ଦାମ୍ ସାଧାରଣ ଗ୍ରାହକଙ୍କ ବଜେଟ୍ ବାହାରେ। ତେଣୁ ବିଧି ରକ୍ଷା ପାଇଁ ଅଳ୍ପ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ। ସେହିଭଳି ବାଲେଶ୍ବର ସହରରେ ବି ଅନୁରୂପ ସ୍ଥିତି। ବଜାରରେ ଭେରାଇଟି ମିଳୁଛି, କିନ୍ତୁ ମନ ମୁତାବକ କିଣିବାକୁ ଗ୍ରାହକଙ୍କ ସାମର୍ଥ୍ୟ ନାହିଁ।

ପୂର୍ବ ଦୁଇ ବର୍ଷ କରୋନାର କଟକଣା ପାଇଁ ସଧବା ମହିଳାଙ୍କ ମନରୁ ସାବିତ୍ରୀର ଖୁସି ଛଡାଇ ନେଇଥିଲା ଲକଡାଉନ୍ ସ୍ଥିତି। ହେଲେ ଏ ବର୍ଷ ସେମିତି ପରିବେଶ ନାହିଁ। ସେଥିପାଇଁ ସାବିତ୍ରୀ ଦୁଇ-ତିନି ଦିନ ଆଗରୁ ସବୁଠି ଜମିଛି ମାର୍କେଟ୍। ତେବେ ଫଳ ମାର୍କେଟରେ ମିଳୁଥିବା ଭେରାଇଟିରୁ ଅଧିକାଂଶ ବିଦେଶୀ ହୋଇଥିବାରୁ ଭାଉ ଅଧିକ ରହୁଥିବା ବ୍ୟବସାୟୀଙ୍କ ମତ। ସେପଟେ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ଫଳ ଶୀଘ୍ର ନଷ୍ଟ ହେଉଥିବାରୁ ତାର ପ୍ରଭାବ ମଧ୍ୟ ଦର ଉପରେ ପଡୁଛି।

ଫଳରେ ସେଓ କିଲୋଗ୍ରାମ ପ୍ରତି ଦର ୨୦୦ରୁ ୨୫୦ ଟିପିଥିବା ବେଳେ ଲିଚୁ ୨୦୦ ଛୁଇଁଛି। ଅଙ୍ଗୁର ୨୦୦ରୁ ତେଣିକି ଏବଂ ପିଜୁଳି କିଲୋ ୧୦୦ରୁ ଅଧିକ। ସପୁରୀ ଗୋଟା ୫୦ରୁ କମ୍ ନଥିବା ବେଳେ କଦଳୀ ଡର୍ଜନ ୧୫୦ ପାର। ଏପଟେ ସାବିତ୍ରୀ ପାଇଁ ଶାଢି ଓ ପୋଷାକ ବଜାରରେ ବି ଖଚାଖଚ ଭିଡ଼। ରାଜ୍ୟର ସବୁ ଛୋଟବଡ଼ ବଜାରରେ ଲୁଗା ଦୋକାନୀଙ୍କୁ ହାତକୁ ଫୁରସତ ନାହିଁ। ଗ୍ରାହକଙ୍କୁ ମନ ପସନ୍ଦର ଜିନିଷ ସହ ଡିସକାଉଣ୍ଟ ଓ ଅଫର ଦେଇ ଏ ବର୍ଷ ଖୁବ୍ ଭଲ ବ୍ୟବସାୟ କରୁଛନ୍ତି ଲୁଗା ବ୍ୟବସାୟୀ।

  • Reported by:
  • PRAVAT BISOI , RASHMIRANJAN DAS , ARACHANA SATPATHY , NIRANJAN REDDY