Advertisment

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।

author-image
Chandan Shishu
ଅଦ୍ୟତନ ହୋଇଛି
Puri Suna Besha 2023

Puri Suna Besha

ଅପୂର୍ବ ଏ ଦୃଶ୍ୟ...ଦିବ୍ୟ ସେ ଅନୁଭବ....ରାଜରାଜେଶ୍ୱର ବେଶରେ ରଥାରୂଢ଼ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି।  ଅଣ୍ଟାରେ ସୁନାପଟି ଓଡ଼ିଆଣିି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି। ତା ସାଙ୍ଗକୁ ତିନି ଦିଅଁଙ୍କ ସ୍ବତନ୍ତ୍ର ଆୟୁଧ, ସ୍ବତନ୍ତ୍ର ଆଭୂଷଣ।

Advertisment

ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଦେଖି, ଚକିତ, ପୁଲକିତ, ପୁଣି କେତେବେଳେ ଆଧ୍ୟାତ୍ମିକତାର ଶିହରଣରେ ଶିହରିତ, ଲକ୍ଷ ଲକ୍ଷ ଭକ୍ତ। ମଧ୍ୟାହ୍ନ ଧୂପ ଓ ମଇଲମ, ଶାଢ଼ୀ ଖଣ୍ଡୁଆ ଲାଗି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ବାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜୀଉ।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....

Advertisment

ପାଗ ଭଲ ଥିବାରୁ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ପ୍ରଥମ ଥର ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ପାଇଁ ଡ୍ରୋନର ବ୍ୟବହାର କରାଯାଇଛି। ଆଜି ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।

Ratha Jatra Suna Besha
Advertisment
Advertisment