• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ୍ ମାନ୍ୟତା ପାଇଁ ଉଦ୍ୟମ । ଏଥିଲାଗି ନାମାଙ୍କନ ଦାଖଲ ପାଇଁ ଚିଠା ପ୍ରସ୍ତୁତ କରିବାକୁ ଏକ ପରାମର୍ଶ କମିଟି ଗଠନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି । ପ୍ରଶାସନ ପକ୍ଷରୁ ଏନେଇ ବୈଠକ କରାଯାଇ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ଗତବର୍ଷଠୁ ଏଥିପାଇଁ ଆବଶ୍ୟକ ସମସ୍ତ ତଥ୍ୟପ୍ରମାଣ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ଯେହେତୁ ଆଦ୍ୟପୀଠ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ ବିଶ୍ୱର କୋଣ ଅନୁକୋଣର ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେଉଛି, ତେଣୁ ପୁରୀ ରଥଯାତ୍ରା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବାର ଆବଶ୍ୟକତା ରହିଛି । ୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।

ଗତବର୍ଷ ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗ ଜରିଆରେ ୟୁନେସ୍କୋକୁ ଚିଠି ଲେଖିଥିଲେ । ତେଣୁ ଏଥିପାଇଁ ନାମାଙ୍କନ ଦାଖଲ ନେଇ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ୩ ଜଣ ସଦସ୍ୟ ଓ ୨ ଜଣ ମଠାଧୀଶଙ୍କୁ ନେଇ ପରାମର୍ଶ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ପରେ ଏଥିରେ ସଂଶୋଧନ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧିଙ୍କ ସହ ଦୁଇ ଜଣ ମଠାଧୀଶଙ୍କୁ ନେଇ କମିଟି ଗଠନ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଗତବର୍ଷର ଅକ୍ଷୟ ତୃତୀୟାଠାରୁ ରଥଯାତ୍ରା ଓ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିର ଭିଡିଓ ଫୁଟେଜ୍ ଦାଖଲ କରାଯିବ ।