Advertisment

ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ଏଥର ଜଗିବ ହେଲିକପ୍ଟର

ଦାୟିତ୍ୱରେ ୫୦୦ ଅଧିକାରୀ, ୧୮୦ ପ୍ଲାଟୁନ୍ ଫୋର୍ସ । କୋଷ୍ଟଗାର୍ଡର ହେଲିକପ୍ଟର ଓ ଜାହାଜ ମୁତୟନ ।

author-image
Satyendu Shekher Mishra
Ratha Jatra

Ratha Jatra

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ସ୍ଥଳ, ଜଳ ଓ  ଆକାଶ, ତିନି ପଥରେ ଟାଇଟ୍ ସିକ୍ୟୁରିଟି । ସବୁଆଡୁ ପୁରୀ ଉପରେ ରହିଛି ୨୪ ଘଂଟିଆ ନଜର । ପ୍ରଥମ ଥର ପାଇଁ ରଥଯାତ୍ରାରେ ମୁତୟନ ହୋଇଛି ହେଲିକପ୍ଟର । ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ସମୁଦ୍ର କୂଳରେ ମାରୁଛି ପଇଁତରା। ଆକାଶ ପଥରୁ ଚିଲ ଭଳି ନଜର ରଖିଛି ପ୍ରତିଟି ହଲଚଲ ଉପରେ ।

Advertisment

ଜଳପଥରେ ବି ସତର୍କ ଇଣ୍ଡିଆନ୍ କୋଷ୍ଟଗାର୍ଡ। ବଙ୍ଗୋପସାଗରରେ ଘନ ଘନ ବୁଲୁଛି ଜାହାଜ। ସମୁଦ୍ର ସୀମା ଦେଇ ଆସୁଥିବା ପ୍ରତିଟି ଛୋଟ ବଡ ଜାହାଜକୁ ତନ୍ନ ତନ୍ନ କରି ଯାଂଚ୍ କରାଯାଉଛି । ଜୁଲାଇ ୨ ତାରିଖ ଅର୍ଥାତ୍ ମହାପ୍ରଭୁଙ୍କ ରଥ ପର୍ବ ସରିବା ଯାଏଁ କାମ କରିବ ଫାଷ୍ଟ ପାଟ୍ରୋଲିଂ ଭେହିକିଲ୍ । ଏଥିସହ ପାରାଦୀପ ତଟରେ ମୁତୟନ ରହିଛି ଫାଷ୍ଟ ଇଣ୍ଟରସେପ୍ଟପ ବୋଟ୍। ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନାର ବୈଷୟିକ ଟିମ୍ ଏବଂ ଗୁଇନ୍ଦା ସୂଚନା ପାଇଁ ସାଗର ମିତ୍ରର ମଧ୍ୟ ସହାୟତା ନିଆଯାଇଛି ।

ଏପଟେ ସ୍ଥଳଭାଗରେ ସୁରକ୍ଷା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ସିସିଟିଭି ନଜରରେ ରହିଛି ପୁରା ଶ୍ରୀକ୍ଷେତ୍ର। ଡ୍ରୋନର ବ୍ୟବହାର ବି କରାଯାଇଛି। ପୁରୀକୁ ସବୁ ପ୍ରବେଶ ପଥରେ କଡା ଯାଂଚ୍ କରୁଛି ପୋଲିସ। ଏଥର ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ। ଆଇନ୍ ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୫ଶହରୁ ଅଧିକ ଅଫିସର।

Advertisment

କୁମ୍ଭାରପଡା ଥାନାରୁ ସହରର ସୁରକ୍ଷା ବ୍ୟବସ୍ଥାକୁ ସିସିଟିଭିରେ ଯାଂଚ୍ କରାଯାଉଛି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ କଣ୍ଟ୍ରୋଲ ରୁମ୍, ପର୍ଯ୍ୟାପ୍ତ ଆରପିଏଫ୍, ଜିଆରପି ପୋଲିସ ଏବଂ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି । ରେଳଷ୍ଟେସନରେ ଫେସ୍ ରେକଗନିସନ ସିଷ୍ଟମ ବ୍ୟବହାର କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଲକ୍ଷାଧିକ ଶ୍ରଦ୍ଧାଳୁ କେମିତି ଶ୍ରୀଜିଉଙ୍କ ଘୋଷଯାତ୍ରାର ଦର୍ଶନ କରିପାରିବେ, ସେଥିପାଇଁ ସବୁ ପ୍ରକାରର ବନ୍ଦୋବସ୍ତ ହୋଇଛି ।

Ratha Jatra
Advertisment
Advertisment