• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ । ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ । ମହାପ୍ରଭୁଙ୍କ ଏ ଅନନ୍ୟ ଯାତ୍ରା ଦେଖିବାକୁ ଲୋକରାଣ୍ୟ ଶ୍ରୀକ୍ଷେତ୍ର । ଆସନ୍ତାକାଲି ବାହାରିବ ଆଡପ ଅବଢ଼ା ।

ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି । କିଏ ବର୍ଷାରେ ଭିଜି ଭିଜି ଦୀପଟିଏ ଜାଳୁଛି ତ ଆଉ କିଏ ବାପା କାନ୍ଧରେ ବସି ଭଗବାନଙ୍କୁ ମୁଣ୍ଡିଆ ମାରୁଛି । କାଳିଆ ଭାବରେ ବାନ୍ଧି ହୋଇ କିଏ ସୁଦୁର କଲମ୍ବିଆରୁ ଆସି ସରଧାବାଲିରେ ଜଣାଣ ଗାଉଛି ତ ଆଉ କିଏ ଦୁଇ ହାତ ଟେକି ଦେଇଛି । କାଲିର ଖରା ଆଜିକୁ ନାହିଁ, କି କାଲିର ତାତି ଆଜିକୁ ନାହିଁ ।

ଆଜି ରଥ ଭିଜୁଛି, ପଥ ଭିଜୁଛି ଭକ୍ତ ବି ଭିଜୁଛି । ଆଜି ପାଗ ସମ୍ପୂର୍ଣ୍ଣ ଶୀତଳ । ଗୋଟେପଟେ ଭକ୍ତପାଇଁ ଭଗବାନ ରତ୍ନ ସିଂହାସନ ଛାଡ଼ି ଥିବା ବେଳେ ଆଜି ଧରାଧାମକୁ ମୌସୁମୀ ମଧ୍ୟ ଓହ୍ଲାଇ ଆସିଛି । ଥଣ୍ଡା ପାଗରେ ଭଗବାନଙ୍କୁ ମନଭରି ଦେଖୁଛି ଭକ୍ତ । ଲଗାତାର ତିନି ଦିନ ମହାପ୍ରଭୁଙ୍କୁ ମନ ଆନନ୍ଦରେ ଦର୍ଶନ କରିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ।

ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଯାଇଥିଲା । ଗୋଟି ପହଣ୍ଡିରେ ମହାପ୍ରଭୁଙ୍କ ଅନନ୍ୟ ଦୃଶ୍ୟ ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ଘଣ୍ଟ ଘଣ୍ଟା ବିଜେ କାହାଳିରେ କମ୍ପି ଉଠୁଥିଲା ପରିବେଶ । କିଏ କାଳିଆ ପାଇଁ ଓଡ଼ିଶୀ ନାଚୁଥିଲା ତ ଆଉ କିଏ ବୁଲାଇଥିଲା ବନାଟି । ଆଜି ଆଡପ ମଣ୍ଡପ ବିଜେ ପରେ ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ସମ୍ପନ୍ନ ହେବ । ଆସନ୍ତାକାଲି ସକାଳୁ ସକାଳୁ ପହଡ ଭାଙ୍ଗିବା ପରେ ମଙ୍ଗଳଆଳତୀ ସାଙ୍ଗକୁ ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ବର୍ଷେ ବ୍ୟାପୀ ଯେଉଁ ଅବଢ଼ାକୁ ଭକ୍ତ ଅପେକ୍ଷା କରିଥିଲେ ସେହି ଆଡ଼ପ ଅବଢ଼ା ପାଇବେ ।

 

  • Reported by:
  • MADHUSUDAN MISHRA , KAPILENDRA PRADHAN