• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାପ୍ରଭୁଙ୍କ ଘୋଷଯାତ୍ରା ଯେତେ ପାଖୋଉଛି, ପୁରୀ ରଥଖଳାରେ ନିର୍ମାଣ କାମ ବି ସେତିକି ଆଗୋଉଛି । ଆଜି ଭଉଁରୀ ତିଥିରେ ଆଜ୍ଞାମାଳ ଆସିବା ପରେ ସମ୍ପନ୍ନ ହୋଇଛି ତିନି ରଥର ଚକଡେରା ନୀତି । ତେଣେ ଅକ୍ଷୟ ତୃତୀୟାରୁ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ଶେଷ ଦିନ  ଥିବାବେଳେ କାଲିଠୁ ୨୧ ଦିନ ଧରି ଶ୍ରୀମନ୍ଦିରରେ ଚାଲିବ ଭିତର ଚନ୍ଦନ ନୀତି ।

ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ । ଅନେଇ ରହିଥିଲେ ଭୋଇ ଓ ବିଶ୍ୱକର୍ମା ମହାରଣା ସେବାୟତ । ଆଜ୍ଞାମାଳ ଦେଖି ତତକ୍ଷଣାତ୍ ନାହାକା ଚକ ସହ ସଂଯୋଗ କରିଥିଲେ ଦୁଇଟି ଲେଖାଏଁ ଚକ ।

ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା, ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ

ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜର ଚକଡେରା ନୀତି ସଂପନ୍ନ ହୋଇ ଆଜ୍ଞାମାଳ ଲାଗି ହେବା ପରେ ଦ୍ୱିତୀୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ଡେରା ହୋଇଥିଲା ଚକ-ଅଖ । ସେତେବେଳେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ, ହରିବୋଲ ଧ୍ୱନିରେ ଉଛୁଳି ପଡ଼ିଥିଲା ପରିବେଶ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମକୁ ଇତି ମଧ୍ୟରେ ୨୧ଦିନ ବିତିଲାଣି। ତିନି ରଥର ମୋଟ୍ ୪୨ଟି ଚକ ମଧ୍ୟରୁ ୩୦ଟିର ନିର୍ମାଣ ସରିଲାଣି ।

ଆଗକୁ ନେତ୍ରୋତ୍ସବ ପୂର୍ବରୁ ଆଉଥରେ ଆଜ୍ଞାମାଳ ଆସିବ, ଯେଉଁଦିନ ରଥଖଳାରୁ ସିଂଦଦ୍ୱାର ସମ୍ମୁଖକୁ ସୁସଜ୍ଜିତ ରଥତ୍ରୟଙ୍କୁ ନିଆଯିବ । ତେବେ ଏଥର ରଥ ନିର୍ମାଣ କାମ ନିର୍ଦ୍ଧାରିତ ସମୟର ଢେର ଆଗରୁ ସରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଥିବାବେଳେ ଭକ୍ତ ବି ଆଜିର ଅନନ୍ୟ ଦୃଶ୍ୟ ଦେଖି ଗଦ୍ ଗଦ୍ ହୋଇଛନ୍ତି ।

ସେପଟେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ସୁରକ୍ଷା ପାଇଁ ଏଥର ବି ହୋଇଛି ୫ଲକ୍ଷ ପର୍ଯ୍ୟନ୍ତ ବୀମା ବ୍ୟବସ୍ଥା । ରଥଖଳାରେ କୌଣସି ଅଘଟଣ ହେଲେ, ସେମାନଙ୍କୁ ମିଳିବ ସହାୟତା ରାଶି । ସେହିପରି ରଥ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଯେପରି ଶେଷ ହେବ ଓ ସେବାୟତଙ୍କ ନିଷ୍ଠାର ସମୟ ହୋଇଥିବାରୁ ରଥ ସେବକ ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରୀ ପାନ୍ଥନିବାସରେ ସାତ୍ତ୍ୱିକ ଭୋଜନ ବ୍ୟବସ୍ଥା ମଧ୍ୟ କରିଛି ।

ଆଜି ଭଉଁରୀ ଉତ୍ସବ ସହ ଶେଷ ହେଉଛି ଠାକୁରଙ୍କ ବାହାର ଚନ୍ଦନ ଚାପ । ଶେଷ ଦିନରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣଙ୍କ ସହ ଭୂଦେବୀ-ଶ୍ରୀଦେବୀ ଓ ପଞ୍ଚ ମହାଦେବ। ଚାପ ଦର୍ଶନ ପାଇଁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • Reported by:
  • PRADEEP MAHANTY , MADHUSUDAN MISHRA