• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ଛେରାପହଁରା ସରିବା ପରେ ଆରମ୍ଭ ହୋଇଥିଲା ରଥଟଣା ।

     

  • ଆଷାଢ଼ରେ ବି ମୁଣ୍ଡ ଫଟା ଖରାରେ ସିଝୁଥିଲା ବଡ଼ଦାଣ୍ଡ ।

  • ହଠାତ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ ।

ପୁରୀ: ରଥ ରଜ୍ଜୁ କାନ୍ଧରେ ଯେତେବେଳେ ଆନନ୍ଦ ଲାଗିବନି । ସେଇଥି ପାଇଁ ତ ଖାତିର ନଥିଲା ଡହ ଡହ ଖରାକୁ କି ଡର ନଥିଲା ମୂଷଳ ଧାରାର ବର୍ଷାକୁ । ରଜ୍ଜୁ ଟାଣୁଥିଲେ, ରଥ ଗଡୁଥିଲା । ବଳିଆରଭୁଜଙ୍କ ପ୍ରେମରେ ସତେ ଯେମିତି ବିଭୋର ହୋଇ ଯାଇଥିଲେ ସେବକ । ଅନନ୍ୟ ସୌଭାଗ୍ୟ ପାଇ ଧନ୍ୟ ମଣୁଥିଲେ ନିଜକୁ, ଭଜୁ ଥିଲେ ଜଗା ନାମକୁ । ଗତକାଲି ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ଛେରାପହଁରା ସରିବା ପରେ ଆରମ୍ଭ ହୋଇଥିଲା ରଥଟଣା । ଆଷାଢ଼ରେ ବି ମୁଣ୍ଡ ଫଟା ଖରାରେ ସିଝୁଥିଲା ବଡ଼ଦାଣ୍ଡ । ହେଲେ ବି ତାତିର ସେ ତାଉକୁ ପଛ କରି ତାଳଧ୍ୱଜ ଓ ଦେବଦଳନ ରଥକୁ ଶ୍ରୀମନ୍ଦିର ସମ୍ମୁଖକୁ ଟାଣି ଚାଲିଥିଲେ ସେବାୟତ । ଆଉ ଏହା ଦେଖି କେମିତି ବା ସହନ୍ତେ ସେବକ ପ୍ରିୟ ମାଧବ ।

ମାଉସୀ ମାଆଙ୍କ ହାତରୁ ପୋଡ଼ ପିଠା ଖାଇ ସତେ ଯେମିତି ଇନ୍ଦ୍ର ଦେବକୁ ଦେଇଥିଲେ ବର୍ଷାର ଆଦେଶ । ହଠାତ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଚାହିୁଁ ଚାହୁଁ ମୂଷଳ ଧାରାରେ ବର୍ଷା । ସାମାନ୍ୟ କିଛି କ୍ଷଣର ବିରତି ପରେ ବର୍ଷାର ପରସରେ ଆହୁରି ପୁଲକିତ ହୋଇ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ ସେବକ । ଆଉ ସେ ଦୃଶ୍ୟ ଥିଲା ଅବର୍ଣ୍ଣନନୀୟ । ସାନ ହୁଅନ୍ତୁ କି ବରିଷ୍ଠ ଅବା ବୟସ୍କ । କାଳିଆର ଲୀଳାକୁ ଘୋଷି ହେଉଥିଲେ, ରଥ-ବାହୁଡ଼ାର ରଥଟଣା ଅଭୁଲା ଅନୁଭୁତି ବଖାଣି ଗଦ୍ ଗଦ୍ ହୋଇଯାଉଥିଲେ ।

ଖାଲି ସେବକ କାହିଁକି, ରଥଯାତ୍ରା ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କଠୁ ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀ, ସମସ୍ତଙ୍କ ପାଇଁ ବି ଯେମିତି ଏଥରର ଭକ୍ତଶୂନ୍ୟ ରଥଯାତ୍ରା ଆଣିଛି ଅନନ୍ୟ ଅନୁଭବ । ସେବାୟତ ସିନା ରଥ ଟାଣୁଥିଲେ, ହେଲେ ସେମାନଙ୍କୁ ସହଯୋଗରେ କେହି ବି ତିଳେମାତ୍ର ଅବହେଳା କରିନଥିଲେ । ପୁରୀ ଏସ୍‌ପି ହୁଅନ୍ତୁ କି ଜିଲ୍ଲାପାଳ, ରଥଯାତ୍ରାରୁ ବାହୁଡ଼ା ଯାତ୍ରା, ମହାପ୍ରଭୁଙ୍କ ରଥଲୀଳାରେ ନିଜକୁ ପ୍ରତ୍ୟକ୍ଷ ଭାବେ ସାମିଲ କରି ସାଉଁଟିଥିଲେ ଅଭୁଲା ଅନୁଭବ । ଏମିତିକି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଚର କ୍ରିଷନ କୁମାର ଗତକାଲି ବାହୁଡ଼ା ଯାତ୍ରାରେ ଗୁଣ୍ଡିଚା ମନ୍ଦିର ନିକଟରୁ ନନ୍ଦିଘୋଷ ରଥ ସାଥେ ସାଥେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ବାଟରେ ନିର୍ଘାତ ବର୍ଷାକୁ ସେ ବି ଆଦୌ ଭୁକ୍ଷେପ କରିନଥିଲେ । ଆଉ ବଡ଼ଦାଣ୍ଡରେ ସେକବଙ୍କ ମେଳରେ ଗୀତ ଗୋବିନ୍ଦ ଗାନରେ ବି ନିଜକୁ ହଜାଇ ଦେଇଥିଲେ ।