• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁନା ଚାନ୍ଦି ମେଢ଼େରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା । ପୁଣି ପୂର୍ବ ପରି ଜମିବ କଟକର ଦୁର୍ଗାପୂଜା । ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମୂର୍ତ୍ତି କାମ ସହ ତୋରଣ ଏବଂ ଆନୁସଙ୍ଗିକ କାର୍ଯ୍ୟ ବି ଆଗେଇ ଚାଲିଛି । ତା ସହ ଚାନ୍ଦି ମେଢ଼ ସଫା ସଫି କାମ ବି ଜୋରସୋର୍‌ରେ ଚାଲିଛି । କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ମାଆଙ୍କ ମୂର୍ତ୍ତିରେ ସୁନା ଚାନ୍ଦି ମେଢ଼ ଲାଗି ପାରିନଥିଲା । ଏବର୍ଷ ସୁନା ଚାନ୍ଦି ମେଢ଼ରେ ଝଟକିବେ ମାଆ । ଏଥିଲାଗି କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।

ପୂଜା ପାଖେଇ ଆସୁଥିବା ବେଳେ ଏବେଠୁ ମେଢ଼ ସଫେଇ କାମରେ ଲାଗି ଗଲେଣି କାରିଗର । ଚାନ୍ଦି ମେଢ଼କୁ ପଲିସ୍ କରିବା ସହ ତାକୁ ନୂଆ ରୂପରେ ସଜ୍ଜିତ କରୁଛନ୍ତି । ଚଳିତ ବର୍ଷ କିଛି ସ୍ଥାନରେ ନୂଆ କରି ଚାନ୍ଦି ମେଢ଼ ମଧ୍ୟ ହେଉଛି । ଏଥିଲାଗି କାରିଗରଙ୍କ ହାତକୁ ଫୁରସତ ନାହିଁ । କଲେଜ ଛକରେ ଚଳିତ ବର୍ଷ ପ୍ରଥମ କରି ନୂଆ ଚାନ୍ଦି ମେଢ଼ ହେଉଛି । ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ଓଜନର ଚାନ୍ଦିରେ ସୁସଜ୍ଜିତ ହେବେ ଦେବୀ ଦଶଭୂଜା । ଶେଖ ବଜାରର ଚାନ୍ଦି କାରିଗରମାନେ ଏହି ମେଢ଼ ନିର୍ମାଣ କରୁଛନ୍ତି । ମେଢ଼ ନିର୍ମାଣରେ ଲାଗିଛନ୍ତି ୧୫ରୁ ଅଧିକ କାରିଗର । ଏଥିଲାଗି ଖର୍ଚ୍ଚ ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା ।

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି । କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ମାଆଙ୍କ ମୂର୍ତ୍ତିରେ ଲାଗିପାରି ନଥିଲା ସୁନା ଚାନ୍ଦି ମେଢ । ଏଥର କଟକଣା କୋହଳ ହୋଇଥିବାରୁ ବେସ୍ ଜାକଜମକର ସହ ପୂଜା ଆୟୋଜନ ପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଆଗଭର ଅଛନ୍ତି । ଖାନନଗର, ହରିପୁର, ଦୋଳମୁଣ୍ଡାଇ, ଚାଉଳିଆଗଞ୍ଜ ଭଳି ପ୍ରମୁଖ ପୂଜା ମଣ୍ଡପରେ ଚାଲିଛି ଚାନ୍ଦି ମେଢ ସଫେଇ କାମ । ଫଳରେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କୁ ଏଥର କାମ ମିଳିଛି ।

ପୂଜା ପାଇଁ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ଏବଂ ଆନୁସଙ୍ଗିକ କାମ ମଧ୍ୟ ଆଗେଇ ଚାଲିଛି । ପୂର୍ବରୁ ୨୬ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭ରେ ପହଞ୍ଚିବ । ୨ ବର୍ଷ ପରେ ଦଶହରା ପାଇଁ କଟକ ସହରରେ ବେଶ ଭିଡ ଜମିବ ବୋଲି ଆଶା କରାଯାଉଛି ।

(ରିପୋର୍ଟ-ବିଶ୍ୱଜିତ ଆଚାର୍ଯ୍ୟ)