Maha Kumbh Concludes Today: ମହାଶିବରାତ୍ରିରେ ମହାକୁମ୍ଭରେ ଶେଷ ଅମୃତ ସ୍ନାନ; ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ

୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି ।

ଆଜି ସରିବ ପ୍ରୟାଗରାଜ ମହାକୁମ୍ଭ ।

ଅନ୍ତିମ ଦିନରେ ପହଞ୍ଚିଛି ଧର୍ମନଗରୀ ପ୍ରୟାଗରାଜର ମହାମିଳନର ପର୍ବ ମହାକୁମ୍ଭ ମେଳା । ଆଜି ମହାଶିବରାତ୍ରିରେ ତୀର୍ଥରାଜ ପ୍ରୟାଗରାଜରରେ ଶେଷ ଅମୃତ ସ୍ନାନ ଯୋଗ ରହିଛି । ଏହି ଅନ୍ତିମ ସ୍ନାନ ସହ ୪୫ ଦିନିଆ ମହାକୁମ୍ଭ ମେଳାରେ ଯବନିକା ପଡ଼ିବ । ଶେଷ ସ୍ନାନ ଥିବାରୁ କୁମ୍ଭନଗରୀରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି ।

ଶ୍ରଦ୍ଧାଳୁମାନେ ପ୍ରୟାଗରାଜର ବିଭିନ୍ନ ଘାଟରେ ଶାନ୍ତିଶୃଙ୍ଖଳାରେ ସ୍ନାନ କରୁଛନ୍ତି । ପ୍ରଶାସନ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ସ୍ନାନ ଘାଟରେ ମୁତୟନ ହୋଇଛନ୍ତି ପୋଲିସ । ପୂରା ଅଞ୍ଚଳକୁ ନୋ ଭେହିକିଲ୍ ଜୋନ୍ କରାଯାଇଛି । ଭିଡ଼ ପାଇଁ ଭିଭିଆଇପି ପ୍ରୋଟକଲକୁ ମଧ୍ୟ ରଦ୍ଦ କରାଯାଇଛି ।

ଗତ ଜାନୁଆରୀ ୨୬ରେ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ବେଳେ ଦଳାଚକଟା ଘଟଣା ପରେ ଉତ୍ତରପ୍ରଦେଶ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଭିନ୍ନ ଆଖଡାର ଦିବ୍ୟତା ଓ ସାଧୁସନ୍ଥଙ୍କ ଆଶୀର୍ବାଦ ବିଶ୍ବର ଏହି ସର୍ବବୃହତ ମେଳାକୁ ଐତିହାସିକ କରି ଦେଇଛି ।

ଅଧିକ ପଢ଼ନ୍ତୁ : ମହାକୁମ୍ଭକୁ ଯାଇ ପାରିନଥିବା ବ୍ୟକ୍ତିଙ୍କ ପାଇଁ ଏମିତି ସେବା ଆଣି ଚର୍ଚ୍ଚାରେ ଯୁବକ

୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି । ସୂଚନାଯୋଗ୍ୟ ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜର ମହାକୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ୨୦୨୭ରେ ଉତ୍ତରାଖଣ୍ଡରେ ଅର୍ଦ୍ଧ ମହାକୁମ୍ଭ ମେଳା ଆୟୋଜିତ ହେବ ।

ଚଳିତ ବର୍ଷ ଧର୍ମନଗରୀ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ତ୍ରିବେଣୀ ସଂଗମ ଜନସମୁଦ୍ର ପାଲଟିଥିଲା । ଅନେକ ନେତା, ମନ୍ତ୍ରୀ ଓ ଭିଆଇପି ମଧ୍ୟ ପ୍ରୟାଗରାଜ ଯାଇ ବୁଡ଼ ପକାଇଥିଲେ । ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହୋଇଥିଲା । ତଥାପି, ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ ।

କେବଳ ଭାରତ ନୁହେଁ, ଦୁନିଆର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୁମ୍ଭ ମେଳାରେ ଯୋଗଦେବାକୁ ଆସନ୍ତି । କୁମ୍ଭମେଳା ସମୟରେ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କୁମ୍ଭର ଆକ୍ଷରିକ ଅର୍ଥ ହେଉଛି ପାତ୍ର । ଏହି ପବିତ୍ର ମେଳା ମୁନିଋଷିଙ୍କ କାଳରୁ ଅନୁଷ୍ଠିତ ହେଉଛି । 

ଅଧିକ ପଢ଼ନ୍ତୁ: କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିନ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !