• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆଙ୍କ କରିସ୍ମା ଦେଖିବ ଦିଲ୍ଲୀର କର୍ତ୍ତବ୍ୟ ପଥ । ଓଡ଼ିଶା ର କଳା ଓ ସଂସ୍କୃତି, ତା ସହିତ ଓଡ଼ିଆଙ୍କ ପ୍ରତିଭା । ଦର୍ଶକଙ୍କୁ ଅଭିଭୂତ କରିବ ଜଗନ୍ନାଥଙ୍କ ମାଟିର ମହକ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହର ନାରୀଶକ୍ତି ଥିମ୍‌ରେ ବନ୍ଦେ ଭାରତମ୍ କାର୍ଯ୍ୟକ୍ରମରେ, ଓଡ଼ିଶୀ ଓ ଝୁମର୍ ନୃତ୍ୟ ସହିତ ପୁରୀ ସାହିଯାତ ପରିବେଷଣ କରିବେ ପ୍ରାୟ ୨୦ ଜଣ ଓଡ଼ିଆ ନୃତ୍ୟଶିଳ୍ପୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ୪୭୯ ଜଣ ନୃତ୍ୟଶିଳ୍ପୀ ଏକାଠି କଳା ପ୍ରଦର୍ଶନ କରିବାକୁ ଥିବା ବେଳେ, ସର୍ବଭାରତୀୟ ସ୍ତରରେ ଶାସ୍ତ୍ରୀୟ ବର୍ଗର କୋରିଓଗ୍ରାଫି କରିଛନ୍ତି ଦୁଇ ଓଡ଼ିଆ, ଓଡ଼ିଶୀ ନୃତ୍ୟଗୁରୁ କବିତା ଦ୍ୱିବେଦୀ ଓ ନିବେଦିତା ମହାପାତ୍ରଙ୍କ ସମେତ ୪ ମହିଳା ନୃତ୍ୟାଙ୍ଗନା ।

ଯେଉଁ ଝିଅମାନେ ଝୁମର ନୃତ୍ୟ ପରିବେଶଣ କରିବେ, ସେମାନଙ୍କୁ ଦେଖିଲେ କେହି କେବେ କହିପାରିବେନି ସେମାନେ ବାପା ମାଆ ଛେଉଣ୍ଡ । କାରଣ ସେମାନଙ୍କ ମୁହଁରେ ଭରି ରହିଛି ହସ ଓ ଆଖିରେ । ରହିଛି ଉତ୍ସାହ ଓ ଗଭୀର ଆତ୍ମବିଶ୍ୱାସ । ଜୀବନର ସବୁ ଅନିଶ୍ଚିତତା, ଦୁଃଖ ଓ କ୍ଳେଶକୁ ଏଡ଼ାଇ କେନ୍ଦୁଝରର ଅଖ୍ୟାତ ପଲ୍ଲୀରୁ ୫ ଜଣ ଝିଅ ରାଜଧାନୀ ଦିଲ୍ଲୀକୁ ଛୁଟି ଆସିଛନ୍ତି, କର୍ତ୍ତବ୍ୟପଥରେ ଝୁମର୍ ନାଚିବାକୁ । ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା ।

କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୁହେଁ ଶୌର୍ଯ୍ୟ ଓ ବୀରତ୍ୱ ପ୍ରଦର୍ଶନରେ ବି ପଛରେ ନାହାନ୍ତି ଓଡ଼ିଆ । ଓଡ଼ିଶାର ଗର୍ବ ସୋନାଲି ସାହୁ । ସର୍ବଭାରତୀୟ ସ୍ତରର NCC ବାଳିକା କଣ୍ଟିନ୍‌ଜେଣ୍ଟର ନେତୃତ୍ୱ ନେବେ ସୋନାଲି । ଚଳିତ ସାଧାରଣତନ୍ତ୍ର ଦିବସର ଥିମ୍ ନାରୀଶକ୍ତି ଥିବା ବେଳେ, ସୋନାଲି ୧୪୮ ଜଣିଆ ବାଳିକା କ୍ୟାଡେଟ୍‌ଙ୍କ ପରେଡ୍‌ର କଣ୍ଟିନ୍‌ଜେଣ୍ଟ କମାଣ୍ଡର୍ ଦାୟିତ୍ୱ ତୁଲାଇବେ । ତାଙ୍କ ସମେତ ଏହି ଟିମ୍‌ରେ ୯ ଜଣ ଓଡ଼ିଆ ଝିଅ ଅଛନ୍ତି ।

ରିପବ୍ଲିକ୍ ଡେ ପରେଡ୍‌ର ରୋମାଞ୍ଚକର ଆକର୍ଷଣ ଡେୟାର୍ ଡେଭିଲ୍ ସୋ । ବାଇକ୍ ଉପରେ ଭଳି କି ଭଲି ଫର୍ମେସନ୍ ଚମତ୍କୃତ କରେ ସେନା ଯବାନଙ୍କ ଅଭୂତପୂର୍ବ ସନ୍ତୁଳନ ଦକ୍ଷତା । ତେବେ ଜାଣିଲେ ଗର୍ବିତ ହେବେ, ଏହି କୋର୍ ଅଫ୍ ସିଗ୍ନାଲ୍‌ର ଡେୟାର୍ ଡିସ୍‌ପ୍ଲେ ଟିମ୍‌ରେ ଅଛନ୍ତି ଅନେକ ଓଡ଼ିଆ ଯବାନ ।

ଏବର୍ଷ କର୍ତ୍ତବ୍ୟପଥରେ କରିସ୍ମା ଦେଖାଇବାକୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିନଥିଲେ କଣ ହେଲା, ଓଡ଼ିଶାର ପ୍ରତିଭାମାନେ କେଉଁ ଗୁଣରେ କମ୍ କି ?