/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651503473.jpg)
ଅକ୍ଷୟ ତୃତୀୟା
ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିବ୍ୟ ମୁହୁର୍ତ୍ତରେ ଯେକୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। କୃଷକମାନେ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାକୁ ପାଳନ କରିଥାନ୍ତି।
ଚାଷୀ ଭାଇ, କ୍ଷେତର ଐଶାନ୍ୟ କୋଣରେ ନୈବେଦ୍ୟ ଦେଇ ମୁଠାମୁଠା ବିହନ ବୁଣିଥାଏ। ଏହାକୁ ଅକ୍ଷିମୁଠି କହନ୍ତି। ଏପଟେ ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ସକାଳଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ।
ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ। ଏଥିପାଇଁ ଶ୍ରୀନହର ସମ୍ମୁଖରେ ରଥନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରଥଖଳା ଉପରେ ଚାଳି ପକାଯାଇଛି। ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି। ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଶହ ଖଣ୍ଡ କାଠ ରଥଖଳାକୁ ଆସିସାରିଛି।
ଆଜିଠୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବ ଚନ୍ଦନ ଯାତ୍ରା। ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ।
ନରେନ୍ଦ୍ର ପୁଷ୍କରିଣୀରେ ରହିଥିବା ସମସ୍ତ ୫ଟି ଡଙ୍ଗାକୁ କଢାଯିବା ପରେ ବିଶ୍ବକର୍ମା ମହାରଣା ଓ ଭୋଇ ସେବାୟତଙ୍କ ଦ୍ୱାରା ଡଙ୍ଗା ମରାମତି କରାଯାଇ ନନ୍ଦା ଓ ଭଦ୍ରା ଚାପ ନିର୍ମାଣ କରାଯାଇଛି। ଆଜି ଅପରାହ୍ଣ ୩ଟା ୩୦ ସୁଦ୍ଧା ଠାକୁର ବିମାନକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)