• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥା ଓ ପରମ୍ପରାର ପର୍ବ ନୂଆଁଖାଇ । ଚାଷୀ ଓ ଚାଷର ପର୍ବ ନୂଆଁଖାଇ । ଏକତା ଓ ଭାଇଚାରାର ତିହାର । କରୋନା ପାଇଁ ଦୁଇ ବର୍ଷ ହେଲା ଫିକା ପଡିଥିଲା କୃଷି ଭିତ୍ତିକ ଏହି ଗଣପର୍ବ । ଏଥର ଧୁମଧାମରେ ପାଳନ କରିଛି ପୁରା ପଶ୍ଟିମ ଓଡିଶା । ମାଆ ସମଲେଇଙ୍କଠାରେ ନବାନ୍ନ ଲାଗି ପରେ ଲୋକେ ଘରେ ଘରେ ଏକାଠି ନୂଆ ଖାଇଛନ୍ତି । ଏହାପରେ ହୋଇଛି ଜୁହାର ଭେଟ୍ ।

ନିର୍ଦ୍ଧାରିତ ଶୁଭ ଲଗ୍ନରେ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ମାଆଙ୍କୁ ଅର୍ପଣ କରାଯାଇଛି ନୂଆ ଚାଉଳ । ଘଣ୍ଟ ଘଣ୍ଟା, ଦୁଲଦୁଲି ଓ ପଂଚବାଦ୍ୟରେ ପ୍ରକମ୍ପିତ ହୋଇଛି ମାଆ ସମଲେଇଙ୍କ ମନ୍ଦିର । ମାଆଙ୍କ ପାଖରେ ନୂଆ ଚାଉଳ ସହ ଭିନ୍ନ ଭିନ୍ନ ରକମର ନବାନ୍ନ ଲାଗି ହେବା ପରେ ପାର୍ଶ୍ୱ ଦେବଦେବୀଙ୍କ ପାଖରେ ଲାଗି କରାଯାଇଥିଲା । ଦୁଇ ବର୍ଷର ମହାମାରୀ କଟକଣା ପରେ ଏଥର ମାଆଙ୍କ ଦର୍ଶନ କରିବା ସହ ପ୍ରସାଦ ପାଇଛନ୍ତି ଶ୍ରଦ୍ଧାଳୁ । ସେହିପରି ପାଟଣାଗଡ଼ର ଇଷ୍ଟ ଦେବୀ ମାଆ ପାଟଣେଶ୍ୱରୀଙ୍କ ପାଖରେ ବି ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି ।

ମାଆ ସମଲେଇଙ୍କ ପାଖରେ ନବାନ୍ନ ଲାଗି ପରେ ଆରମ୍ଭ ହୋଇଥିଲା ନୂଆଖିଆ । ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗି କରି ଘରେ ଘରେ ନୂଆ ଖାଇଛନ୍ତି ସମସ୍ତେ । ନୂଆ ପୋଷାକ ପିନ୍ଧି ନୂଆ ପାତ୍ରରେ ପ୍ରଥମେ ନୂଆ ଖାଇଛନ୍ତି ଘରର ମୁଖିଆ । ଏହାପରେ ପରିବାରର ଅନ୍ୟ ସଦସ୍ୟ ଏକାଠି ବସି ନୂଆ ଖାଇଛନ୍ତି । କୁରେଇ ପତ୍ରରେ ଏକାଠି ବସି ନୂଆ ଖାଇଛନ୍ତି ବନ୍ଧୁ, ପରିବାର ଓ ପରିଜନ । ଘରର ବଡମାନଙ୍କୁ ଜୁହାର ହୋଇ ଆଶୀର୍ବାଦ ନେଇଛନ୍ତି । ନୂଆଁଖାଇ ଭେଟଘାଟରେ ପରସ୍ପରକୁ ଆଦର, ସମ୍ମାନ ଜଣାଇଛନ୍ତି । କନିଷ୍ଠଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତିର ଆଶୀର୍ବାଦ ଦେଇଛନ୍ତି ଗୁରୁଜନ ।

ନୂଆଁଖାଇ ଭୁଲାଇ ଦିଏ ବିଭେଦ ଆଉ ଯୋଡ଼ି ଦିଏ ସମ୍ପର୍କ । ସେଥିପାଇଁ ତ ଆଜିର ଦିନରେ ଏକାଠି ବସି ନୂଆଁ ଖାଇଥାନ୍ତି ବଲାଙ୍ଗିରର ସିଂହଦେଓ ପରିବାର । ଆଜି ଶୈଳଶ୍ରୀ ପ୍ୟାଲେସ୍‌ରେ ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ ଏବଂ କଳିକେଶ ସିଂହଦେଓଙ୍କ ପରିବାର ମିଶି ନୂଆଁ ଖାଇଛନ୍ତି । ଦଳ ଭିନ୍ନ ଭିନ୍ନ ହେଲେ ବି ରାଜନୀତିକୁ ପଛରେ ରଖି ପରମ୍ପରାକୁ ଏକାଠି ପାଳନ କରିଛନ୍ତି ରାଜପରିବାର ସଦସ୍ୟ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଖାଇ ଜୁହାର କହି ଓଡ଼ିଶା ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ନୂଆଁଖାଇ ଅବସରରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ମାଆ ସମଲେଶ୍ୱରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ଭିଡିଓ ବାର୍ତ୍ତା ଜାରି କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନୂଆଁଖାଇ ଜୁହାର କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।