ଆଜି ଦଶମୀ ତିଥିରେ ନୁଆ ଖାଇଲେ କଳାହାଣ୍ଡିର ଗଡଜାତ ଅଞ୍ଚଳବାସୀ, କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ନିକଟରେ ଲାଗିହେଲା ନବାନ୍ନ ,ଉତ୍ସବମୁଖର ଗଡଜାତ ଅଞ୍ଚଳ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ମାଣିକେଶ୍ଵରୀଙ୍କ ନିକଟରେ ନୁଆ ଲାଗିଲା ପରେ ଗଡଜାତ ଅଞ୍ଚଳବାସୀ ଆଜି ଧୁମଧାମରେ ନୂଆଖାଇ ପାଳନ କରିଛନ୍ତି ।
Also Read
ଆଜି ସକାଳୁ ସକାଳୁ ମାଣିକେଶ୍ଵରୀ ମନ୍ଦିର ନିକଟରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଲଗ୍ନ ଅନୁସାରେ ଆଜି ସକାଳ ୮.୨୦ ରୁ ୯.୪୦ଟା ମଧ୍ୟରେ ମାଣିକେଶ୍ବରୀ ନିକଟରେ ନବାନ୍ନ ଭୋଗ ଲାଗିବା ପରେ ୯.୪୫ରେ ମନ୍ଦିର ମୁଖ୍ୟ ଦୁଆର ଖୋଲା ଯାଇଥିଲା । ଭକ୍ତ ମାନେ ମାଆ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିବା ନୂଆ,ଧାନ,ଚୁଡା,ଗୁଡ ଆଦି ଘରକୁ ନେବା ପରେ ସମସ୍ତେ ସପରିବାର ଆଜି ନୂଆ ଖାଇଛନ୍ତି ।
ଆଜି ସମସ୍ତ ପୁଜା କାର୍ଯ୍ୟ ସମାପନ ହେବା ପରେ ଭବାନୀ ପାଟଣା ସହରବାସୀ ନୁଆ ଖାଇଛନ୍ତି । ଆଉ ଏହି ଦିନକୁ ସମସ୍ତେ ଅପେକ୍ଷା କରିଥାନ୍ତି ଯିଏ ଯେଉଁଠି ଥାଉ ନା କାହିଁକି ନୂଆଖାଇ ଦିନ ସମସ୍ତେ ଏକ ହୋଇ ସବୁ ମାନ ଅଭିମାନ ରାଗ ରୁସା ସବୁ ଭୁଲି ନୂଆଖାଇ ମନାଇଛନ୍ତି ।
ମାଟି ଓ ମଣିଷର ଯେଉଁ ସଂପର୍କ ରହିଛି ସେହି ସଂପର୍କରୁ ଉର୍ଦ୍ଦ୍ୱରେ ଏହି ଗଣପର୍ବ ନୂଆଖାଇ । ଭାତୃଭାବ, ତ୍ୟାଗପୂତ ଭାବନା, ମିଳନ ଓ ବିଶ୍ୱାସର ଅତୁଟ ବନ୍ଧନ, ସଂପର୍କ ଓ ପ୍ରତିବଦ୍ଧତା,ପର ଆପଣାରୁ ଉର୍ଦ୍ଦ୍ୱରେ ସମସ୍ତଙ୍କୁ ଆପଣେଇ ନେବାର ଯୋଉଁ ମହାନ ବାର୍ତ୍ତା ଦେଇଥାଏ, ତାହା ହିଁ ନୂଆଖାଇର ପ୍ରକୃତ ସ୍ୱରୂପ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଡଜାତ ଅଞ୍ଚଳରେ ନୁଆଖାଇ ଉତ୍ସବ ପାଳନ ହୋଇଛି । ଯାହା ସମାଜ ମଧ୍ୟରେ ଭାତୃତ୍ୱଭାବ ଓ ପରିବାରକୁ ଏକତ୍ରିତ ରଖିବାକୁ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି ।