Advertisment

Thakurani Jatra Mythology: ମଝି ରାତିରେ ମୁଣ୍ଡବାଳ ମୁକୁଳା କରି, କଳାଶାଢ଼ୀ ପିନ୍ଧି କିଛି ଦୂରରେ ଠିଆ ହୋଇ ଝିଅଟି କାହିଁକି କାନ୍ଦୁଛି?

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ କାହାଣୀ...

author-image
Sarojini Sankhua
ଅଦ୍ୟତନ ହୋଇଛି
ଠାକୁରାଣୀ ଯାତ୍ରାର ପୌରାଣିକ ଆଖ୍ୟାନ

mythological story behind famous thakurani jatra of ganjam

ଏ ହେଉଚି ବହୁତ ବର୍ଷ ତଳର କଥା। ସେଦିନ ଥିଲା ଚୈତ୍ର ମାସର ମଙ୍ଗଳବାର ଅନ୍ଧାର ରାତି। ରାତି ଅଧ ସମୟ। ଦେଶ ବେହେରା ବାହାରକୁ ଉଠି ଆସିଛନ୍ତି ପିସ୍ରାବ ଉଦ୍ଦେଶ୍ୟରେ। ସେଇ ରାତିର ଅନ୍ଧାର ଭିତରେ ସେ ଦେଖିଲେ, ଜଣେ ଝିଅ, ବୟସ ସତର କି ଅଠର ହେବ। ମୁଣ୍ଡବାଳ ମୁକୁଳା, କଳା ଶାଢ଼ୀଟିଏ ପିନ୍ଧିଚି। ଖଣ୍ଡେ ଦୂରରେ ଠିଆ ହୋଇ କାନ୍ଦୁଛି।

Advertisment

କାନ୍ଦ ଶୁଣି ବେହେରା ସଙ୍କୋଚରେ ପାଖକୁ ଯାଇ ପଚାରିଲେ— "ଝିଅ ତୁ କୋଉ ଗାଁର ! ଏ ଅନ୍ଧାରରେ ଏଠି ଠିଆ ହେଇଚୁ କାହିଁକି ?"

ଝିଅଟି ଉତ୍ତର ଦେଲା— "ବାପ ଘରକୁ ଯିବି ବୋଲି ଘରୁ ଗୋଡ଼ କାଢ଼ି ଆସିଲି। କନ୍ତୁ ବାଟବଣା ହୋଇ କୁଆଡ଼କୁ ଆସିଚି କୁଆଡେ ଯିବି ଜାଣି ପାରୁନି। ମୁଁ ଏବେ କଣ କରିବି?"

Advertisment

ବେହେରା କହିଲେ— "ହଉ ଝିଅ ତୁ ଆମ ଘରେ ରହ। ରାତି ପାହୁ ମୁଁ ତୋତେ ନେଇ ତୋ ବାପଘରେ ଛାଡ଼ିଦେଇ ଆସିବି। ଆଉ କଛି ଭାବ ନାହିଁ ମାଆ, ମୁଁ କ’ଣ ତୋ ବାପ ନୁହେଁ? ଆଚ୍ଛା, ତୋ ଲୁଗାପଟା କାହିଁ?"

ବେହେରାଙ୍କ ଏଇ କଥା ଶୁଣିବା ସାଙ୍ଗେ ସାଙ୍ଗେ ଝିଅଟି କିଛି ନକହି ଗାଁ ପାଖ ଛୋଟିଆ ଜଙ୍ଗଲ ଆଡ଼କୁ ଚାଲିଲା। ଆଗେ ଆଗେ ଝିଅଟି ଚାଲୁଥାଏ, ପଛରେ ବେହେରା। ଠିକ୍ ଗ୍ରାମ ଦେବତୀଙ୍କ ପୂଜା ମନ୍ଦିରର ପାଖାପାଖି ହେବା ପରେ ଆଉ ଝିଅଟି ଦଶିଲା ନାହିଁ। ବେହେର ଚାରିଆଡ଼କୁ ଚାହିଁଲେ। ସେ ତାହେଲେ କ’ଣ ସ୍ବପ୍ନ ଦେଖିଥିଲେ ! କିଛି ବୁଝି ନପାରି ବେହେରା ଘରକୁ ଫେରି ଆସି ଶୋଇଲେ।

ପୂଜକଙ୍କ ପୂଜା ଗ୍ରହଣ କଲେନି ଦେବୀ

ଦେଶ ବେହେରା ହେଉଛନ୍ତି ଡେରା (ବସ୍ତ୍ର ନିର୍ମାଣ) ଗୋଷ୍ଠୀର ଜଣେ ଠାକୁରାଣୀ ଭକ୍ତ। ସେ ଠାକୁରାଣୀଙ୍କ ପୁରୁଣା ପୂଜକ। ସେଦିନ ସବୁଦିନ ପରି ପାହାନ୍ତାରୁ ବେହେରା ଶେଯରୁ ଉଠିଲେ। ନିତ୍ୟକର୍ମ ସାରି ଫୁଲ ନେଇ ଠାକୁରଣୀଙ୍କ ପୂଜା କରିବାକୁ ଗଲେ। କିନ୍ତୁ ବେହେରା ସେଠାରେ ଆହୁରି ଆଶ୍ଚର୍ଯ୍ୟ ହେଲେ। ଠାକୁରଣୀଙ୍କ ମଥାରେ କୌଣସି ଫୁଲ ଦେଲେ ବି ଖସିପଡ଼ିଲା। ଏମିତିକି ବହୁବାର ଚେଷ୍ଟାକଲେ ମଧ୍ୟ ଗୋଟିଏ ମନ୍ଦାର ଫୁଲ ବି ଠାକୁରାଣୀଙ୍କ ମଥାଉପରେ ରଖି ହେଲା ନାହିଁ।

ବେହେରା ମନଦୁଃଖରେ ସେଇଠାରେ ଅଧିଆ ପଡ଼ି ଏହାର କାରଣ ଜାଣିବା ପାଇଁ ଗୁହାରି କଲେ। ଦେବୀ ଶୂନ୍ୟବାଣୀ କଲେ ଯେ, ‘ବେହେରା ! ତୁ ମୋର ପରମ ଭକ୍ତ। ଆଜିଯାଏଁ ମୁଁ ତୁମ ପୂଜା ଆଗ୍ରହରେ ଗ୍ରହଣ କରି ଆସିଛି। କିନ୍ତୁ ଆଜିଠାରୁ ମୁଁ ଆଉ ତୋ ପୂଜା ଗ୍ରହଣ କରିବି ନାହିଁ। କାଲି ରାତିରେ ତମେ ମୋତେ ଝିଅ କରି ଦେଇଛ। ତୁ ମୋର ବାପ। ତୋ ଠାରୁ ମୁଁ କିପରି ପୂଜା ଗ୍ରହଣ କରିବି? ବାପ କ’ଣ ଝିଅର ପୂଜା କରେ? ଯାଅ ମୁଁ ତୁମର ଝିଅ, ଝିଅ ହୋଇ ମୁଁ ଏଠାରେ ରହିବି।’

ବେହେରା ପଚାରିଲେ- ‘ମା ତୁ କ’ଣ ଅପୂଜା ରହିବୁ? କିଏ ତୋର ପୂଜା କରିବ? ଖାଇବୁ କ’ଣ? ପିନ୍ଧିବୁ କ’ଣ? ଚଳିବୁ କେମିତି? ଉତ୍ତର ଆସିଲା- ‘ନା, ମୁଁ ଅପୂଜା ରହିବିନି। ତୁ ଏଠୁ ଗଲାବେଳେ ପ୍ରଥମେ ଯାହାକୁ ଦେଖିବୁ ତାକୁ ମୋ ପାଖକୁ ପଠାଇଦେବୁ, ସିଏ ହିଁ ମୋ ପୂଜା କରିବ।‘

ଏଠି ବାରିକ କରନ୍ତି ଠାକୁରାଣୀ ପୂଜା

ବେହେରା ଯିବା ପୁର୍ବରୁ ପଚାରିଲେ- ‘ମାଆ ! ମୋତେ ତ ତୋ ପୂଜା କରିବାକୁ ଦେଲୁନି। ତାହେଲେ ତୋ ସହ ମୋର କ’ଣ ଏ ଶେଷ ଦେଖା? ଠାକୁରାଣୀ ଆଶ୍ଵାସନା ଦେଇ କହିଲେ, ‘ନା ବାପା, ମୁଁ ଦୁଇ ବର୍ଷରେ ଥରେ ତୁମ ଘରକୁ ଯିବି। ତୁମେ ମୋତେ ଡାକିନେବ। କିଛିଦିନ ହସ ଖୁସିରେ କଟାଇ, ପୁଣି ଏଠିକି ଚାଲି ଆସିବି। ବେହେରା ମନ୍ଦିରରୁ ବାହାରକୁ ଆସି ଦେଖନ୍ତି ତ ବାରିକଟିଏ ଆଗରେ ଠିଆ ହେଇଚି। ବେହେରା ତାକୁ ଦେଖି ସବୁ କଥା କହି ଠାକୁରାଣୀ ପୂଜା କରିବା ପାଇଁ ରାଜି କରାଇଲେ। ସେଇ ଦିନଠୁ ଠାକୁରାଣୀ ପୂଜା ବାରିକମାନେ କରି ଆସୁଛନ୍ତି। ଠାକୁରାଣୀ ତାଙ୍କ କଥା ରଖନ୍ତି। ଦୁଇ ବର୍ଷରେ ଥରେ ଶୁଭ ମୂହୁର୍ତ୍ତ ଦେଖି ବେହେରା ଠାକୁରାଣୀଙ୍କୁ ନିମନ୍ତ୍ରଣ କରନ୍ତି ଓ ଠାକୁରାଣୀ ବାପଘରକୁ ବୁଲି ଆସନ୍ତି। ପାଞ୍ଚ, ସାତ, ପନ୍ଦର, ଏକୋଇଶି ଯେତେଦିନ ଇଚ୍ଛା ସେତେ ଦିନ ରୁହନ୍ତି। ଏ ହେଉଚି ବ୍ରହ୍ମପୁରର ଠାକୁରାଣୀ ପର୍ବର କିମ୍ବଦନ୍ତୀ।

ବ୍ରହ୍ମପୁରର ଠାକୁରାଣୀ

ଠାକୁରାଣୀ ବ୍ରହ୍ମପୁରର ପ୍ରଧାନ ଅଧିଷ୍ଠାତ୍ରୀ ଦେବୀ। ଶକ୍ତି ଉପାସନା ଓଡ଼ିଶାର ଏକ ଅଭିନବ ବୈଶିଷ୍ଟ୍ୟ ପ୍ରଦର୍ଶନ କରେ। ଓଡ଼ିଶାରେ ପଞ୍ଚଦେବୀ ଉପାସନା ବହୁକାଳରୁ ପ୍ରଚଳିତ। ଏହି ପଞ୍ଚଦେବୀଙ୍କ ନାମରେ ଓଡିଶାର ବିରଜା, ପୁରୁଷୋତ୍ତମ, ଏକାମ୍ର, ଚନ୍ଦ୍ରଭାଗା, ଚଣ୍ଡିଖୋଲ ନାମରେ ପାଞ୍ଚଟି ‘କ୍ଷେତ୍ର’ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ଏକା ସେତିକି ନୁହେଁ, ଦଶ ମହାବିଦ୍ୟାର ସ୍ୱରୂପ ଭାବେ ସମଲେଇ, ମଙ୍ଗଳା, ଭଗବତୀ, ଶାରଳା, ହିଙ୍ଗୁଳା, ଭଟ୍ଟାରିକା, ଚର୍ଚ୍ଚିକା, ତାରା, ବିରଜା ଓ ତାରିଣୀ ନାମରେ ଦଶମହାଦେବୀଙ୍କର ଉପାସନା ହୋଇ ଆସୁଛି।

ତାଛଡ଼ା, ଓଡିଶାର ଗାଁ ଗାଁରେ କଲ୍ୟାଣକାରୀ ରୂପେ ହିଙ୍ଗୁଳା, ବାସେଳୀ, ହାଡ଼ବାଈ, ପିତାବଳୀ, କଦମ୍ବଖଣ୍ଡି, ଜହ୍ନି ଖାଇ, କାକୁଡିଖାଇ, ଝାଡ଼ୁଆଣୀ ପ୍ରଭୃତି ନାମରେ ଅସଂଖ୍ୟ ଗ୍ରାମଦେବୀ ପ୍ରତିଷ୍ଠିତ। ତା ମଧ୍ୟରୁ ଦକ୍ଷିଣ ଓଡ଼ଶା ବ୍ରହ୍ମପୁର ଗ୍ରାମ ବା ଏବେକାର ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ‘ଠାକୁରଣୀ’ ଅନ୍ୟତମ। ଏ ହେଉଛନ୍ତି ବ୍ରହ୍ମପୁରର ଗ୍ରାମଦେବତୀ, ଅଧିଷ୍ଠାତ୍ରୀ, ରକ୍ଷାକାରିଣୀ। ତାଙ୍କ ଉପରେ ଏଠାକାର ଅଧୀବାସୀଙ୍କର ଅଗାଧ ବିଶ୍ଵାସ ରହିଛି। ଏଠାରେ ମହାଶକ୍ତି ଉଗ୍ରଚଣ୍ଡୀ ଓ ସର୍ବମଙ୍ଗଳା ଉପସ୍ଥିତ। ତାଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରନ୍ତି ଓ ତାଙ୍କ ପାଖରେ ଭୋଗ ବାଢ଼ନ୍ତି।

ଠାକୁରାଣୀ ପର୍ବ ଓ ଖମ୍ବ ପୋତା

ଏଠାରେ ପ୍ରତି ଦୁଇବର୍ଷରେ ଥରେ ମହା ଜାକଜମକରେ ଏକ ପର୍ବ ଅନୁଷ୍ଠିତ ହୁଏ। ଏହାକୁ ଠାକୁରଣୀ ପର୍ବ କୁହାଯାଏ। ଏହି ସମୟରେ ଠାକୁରାଣୀ ବାପ ଘରକୁ ଆସନ୍ତି। ଦେଶବେହେରା ଠାକୁରାଣୀଙ୍କ ବାପା। ଠାକୁରାଣୀ ନିଜ ପୀଠ ମନ୍ଦିରରୁ ମାଟିକୁମ୍ଭ ମଧ୍ୟରେ ବିରାଜମାନ କରି ଗଲାବେଳେ ଶଙ୍ଖ, ଘଣ୍ଟା, କାହାଳୀ ଆଦି ଧ୍ବନିରେ ଚତୁର୍ଦ୍ଦିଗ ମୁଖରିତ ହୁଏ। ଏଥିପାଇଁ ଶୁଭ ମୁହୂର୍ତ୍ତ ଦେଖି ଏକ ଖମ୍ବ ପୋତାଯାଏ। ସେହିଦିନ ଠାକୁରଣୀ ବାହାରକୁ ବିଜେ କରନ୍ତି।

ଠାକୁରାଣୀ ପର୍ବରେ ଝିଅଙ୍କ ଗୁରୁତ୍ଵ

କିମ୍ବଦନ୍ତୀ ଅନୁସାରେ, ଦେଶ ବେହେରାଙ୍କ ଝିଅ ଭାବରେ ବାପଘରକୁ ପ୍ରତି ଦୁଇବର୍ଷକୁ ଥରେ ଆସିବା ପରେ ହିଁ ଠାକୁରାଣୀ ଯାତ୍ରା ପାଳନ ହେଉଥିବାରୁ ଏହି ଅଞ୍ଚଳର ଝିଅମାନଙ୍କୁ ବିଶେଷ ଶ୍ରଦ୍ଧା ଓ ସମ୍ମାନ ଦିଆଯାଇଥାଏ। ବିବାହିତା ଝିଅ ମାନଙ୍କୁ ଓ ସେମାନଙ୍କ ଶ୍ୱଶୁର ଘର ଲୋକମାନଙ୍କୁ ଯାତ୍ରା ସମୟରେ ନିମନ୍ତ୍ରଣ କରିବା ପାଇଁ ଝିଅଙ୍କ ବାପାମାନେ ମାନସିକ ରଖିଥାନ୍ତି। ଝିଅ, ଜ୍ୱାଇଁ ତଥା ଝିଅର ସନ୍ତାନ ଓ ସଂପର୍କୀୟମାନଙ୍କୁ ନୂଆଲୁଗା ଓ ଉପହାର ସାଧ୍ୟମତେ ଦେବାକୁ ମାନସିକ ରଖିଥାନ୍ତି।

ପ୍ରବାଦ ଅଛି, ଏହିଯାତ୍ରା ସମୟରେ ଯାହା ଘରକୁ ଯେତେ ଅଧିକ ଅତିଥି ଆସନ୍ତି ତାଙ୍କୁ ସେତେ ପୂଣ୍ୟ ମିଳେ। ଏହାବ୍ୟତୀତ ଠାକୁରାଣୀ ଯାତ୍ରା ସମୟରେ ଯାତ୍ରାନୁଷ୍ଠାନ ସହ ସମସ୍ତ କାର୍ଯ୍ୟ ମହିଳାମାନଙ୍କ ଦ୍ୱାରା ହିଁ ସମ୍ପାଦିତ ହୋଇଥାଏ। ମା’ଙ୍କ ମୂଳମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା’ଙ୍କୁ ଆଣିବା, ପ୍ରତିଦିନ ସନ୍ଧ୍ୟାରେ ଘଟ ପରିକ୍ରମା କରିବା, ଝୋଟି ମୁରୁଜ ଓ ଝାଡୁରେ ପ୍ରତି ରାତି ପାହାନ୍ତାରେ ଅସ୍ଥାୟୀ ମଣ୍ଡପ ଚାରିପାଖ ସଫା କରିବା, ଅସ୍ଥାୟୀ ମଣ୍ଡପରେ ପ୍ରତିଦିନ ଧର୍ମଝଣ୍ଡାରେ ହଳଦୀ ଚନ୍ଦନ ଲେପନ, କୁଙ୍କୁମ ପୂଜା ବା ଭୁବନେଶ୍ୱରୀ ପୂଜାରେ ବସିବାଠାରୁ ଆରମ୍ଭ କରି ପୁଣିଥରେ ମା’ଙ୍କ ଘଟକୁ ଧରି ମା’ଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା, ଏ ସମସ୍ତ କାର୍ଯ୍ୟ ଯାତ୍ରା ସମୟରେ ଲକ୍ଷ ଲକ୍ଷ ମହିଳାଙ୍କ ଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ। ମାହିଳାମାନେ ଦୁଇବର୍ଷ ପୂର୍ବରୁ ମାନସିକ ରଖିଥାନ୍ତି, କିଏ କେଉଁ କାମ କରିବ। କିଏ ପୁତ୍ର କନ୍ୟା କିମ୍ବା ପରିବାରର ମଙ୍ଗଳ ପାଇଁ ତ ଆଉକିଏ ସନ୍ତାନ ଲାଭ ପାଇଁ ଏ ମାନସିକ ରଖିଥାନ୍ତି।

Maa Budhi Thakurani Ganjam Budhi Thakurani Yatra Berhampur Ghata Procession Of Maa Budhi Thakurani
Advertisment
Advertisment