Advertisment

Mother’s Day: ଦିନେ ସବୁଥିଲା, ହେଲେ ଏବେ ଭଙ୍ଗା ଆଜବେଷ୍ଟସ୍ ଓ ଛିଣ୍ଡା ଅଖା ତଳେ କଟୁଛି ଏଇ ମା’ର ଜୀବନ

ମା’ଟିଏ ସାହାଟିଏ। ଯେତେ ଝଡ ଝଞ୍ଜା ଆସୁପଛେ କେବେ ବି ଦୋହଲେ ନାହିଁ ମା’ର ମନ। ସବୁ ଯନ୍ତ୍ରଣାକୁ ସହି ସେ ତା’ ସନ୍ତାନ ଆଖିରେ ଦେଖିଚାଲେ ସୁଖର ସପନ। ସେମିତି ଜଣେ ମା’ ହେଲେ ଯଶୋଦାମଣି। ଆସନ୍ତୁ ଜାଣିବା ତାଙ୍କ ଦୁଃଖ କାହାଣୀ।

author-image
Pramod Behera
ଅଦ୍ୟତନ ହୋଇଛି
Mother Yashodarani's agony

Mother Yashodarani's agony

ଭଗବାନ ସବୁବେଳେ ଦୁନିଆଁରେ ମା’କୁ ଦୁଃଖ, ଯନ୍ତ୍ରଣା ଓ ନିର୍ଯାତନା ସହିବାର ସାହସ ଏବଂ ଧୈର୍ଯ୍ୟ ଦେଇଛନ୍ତି। ସେଥିପାଇଁ ସେ ମା’। ସବୁର ଦୁଃଖ ଯନ୍ତ୍ରଣାକୁ ଯେ ନିଜ ଦେହରେ ସହିପାରେ। ଏମିତି ଜଣେ ମା’ର ଦୁଃଖ ଓ ହୃଦୟର ଯନ୍ତ୍ରଣା କଥା ଆମେ କହୁଛୁ ଯାହାକୁ ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ।

Advertisment

ଏହି ମା’ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଗଣ୍ଡର୍ଦ୍ଦା ପଞ୍ଚାୟତ ଶଙ୍କରପୁର ଗାଁର ଯଶୋଦାମଣୀ ମହାନ୍ତି। ସ୍ୱାମୀ ଘର ଛାଡି କେଉଁଆଡେ ଚାଲିଗଲେ ତାହା ଆଜିପର୍ଯ୍ୟନ୍ତ ଅଜଣା। ବଡପୁଅ ଅଫେରା ରାଇଜକୁ ଚାଲିଗଲା। ଘରେ ଏକମାତ୍ର ପାଗଳ ପୁଅକୁ ନେଇ ବଞ୍ଚିଥିବା ଯଶୋଦା ସବୁକିଛି ହରାଇଛନ୍ତି ସତ ହେଲେ ନିଜ ଧୈର୍ଯ୍ୟ ବଳରେ ଚାଲିଛନ୍ତି ବାଟ।

ଯଶୋଦାମଣୀ ମହାନ୍ତିଙ୍କ ଘର କହିଲେ ଉପରେ କେଇ ଖଣ୍ଡ ଭଙ୍ଗା ଆଜ୍‌ବେଷ୍ଟସ୍ ଆଉ ଚାରିପାଖ କାନ୍ଥ କହିଲେ ଘେରାଯାଇଥିବା ଛିଣ୍ଡା ଜରି ଅଖା। ଏହି ଛିଣ୍ଡା ଜରି ଅଖାରେ ଆବୃତ ଘର ପଛରେ ରହିଛି ବଡ କାହାଣୀ। ଏହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

Advertisment

ଯଶୋଦାଙ୍କ ସ୍ୱାମୀ ଦିବାକର ମହାନ୍ତି ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ଚାଷକରି ପୋଷୁଥିଲେ ପରିବାର। ସନ୍ଧ୍ୟାରେ ଗାଁ ମନ୍ଦିରରେ ଭଜନ କୀର୍ତ୍ତନରେ ଥିଲା ତାଙ୍କ ଆନନ୍ଦ। ହେଲେ ଦିବାକର ହଠାତ୍‌ ଦିନେ ଘରଛାଡି କେଉଁ ଆଡେ ଚାଲିଗଲେ ଯେ ଆଜିକୁ ପାଞ୍ଚ ଛଅ ବର୍ଷ ହେଲାଣି ଆଉ ଫେରୁନାହାଁନ୍ତି। ଯେତେ ଖୋଜାଖୋଜି କଲାପରେ ବି ତାଙ୍କ ପତ୍ତା ମିଳୁନି।

କିଛି ମାସ ପରେ ବଡପୁଅ ସନ୍ତୋଷ ହଠାତ୍‌ ଗାଁ ପାଖରେ ଥିବା ନଦୀରେ ପଡି ମୃତ୍ୟୁବରଣ କଲେ। ତାକୁ ନିଆଁ ଦେଇଥିବା ସାନ ଭାଇ ବିଜୟ କେଇ ମାସ ଭିତରେ ପାଗଳ ହୋଇଗଲେ। ଏହା ପରେ ବି ଯଶୋଦା ଧୈର୍ଯ୍ୟଚ୍ୟୁତ ହୋଇନାହାଁନ୍ତି। ସବୁ ଦୁଃଖକୁ ଭୁଲି ନିଜ ପାଗଳ ପୁଅକୁ ନେଇ ଚାଲିଛନ୍ତି ବାଟ।

ସାନ ପୁଅ ବିଜୟ ବେତନଟୀ କଲେଜରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ମେଧାବୀ ଛାତ୍ର ମଧ୍ୟ। ହେଲେ ପାଗଳ ହେବାପରେ ସେ ଏବେ ଘରେ ମା’ ଉପରେ ବୋଝ ହୋଇଛନ୍ତି। ଦୁଃଖ କଷ୍ଟ ଭିତରେ ଏକମାତ୍ର ଝିଅକୁ ବାହାଦେଇଛନ୍ତି ଯଶୋଦା। ପ୍ରଥମେ ଯଶୋଦାଙ୍କ ଶାଶୁ, ପରେ ସ୍ୱାମୀ ଘର ଛାଡି ଚାଲିଗଲେ ଆଉ ତାପରେ ପୁଅର ଦୁଃଖ।

ଗୋଟିଏ ଗୋଟିଏ ଦୁଃଖ ଯନ୍ତ୍ରଣାକୁ ହୃଦୟରେ ସହି ଚାଲିଛନ୍ତି ଯଶୋଦା। ନିଜେ ବଞ୍ଚିବା ପାଇଁ ପାଖରେ ଅର୍ଥ ନାହିଁ, ତା’ ଭିତରେ ଘରର ଏହି ଅବସ୍ଥାକୁ ଦେଖିଲେ ଯେ କେହିବି ଭାଙ୍ଗିପଡିବ। ହେଲେ ଜଣେ ମା’ ହିସାବରେ ସେ ତାଙ୍କ ଧୈର୍ଯ୍ୟକୁ କେବେ ବି ହରାଇ ନାହାଁନ୍ତି।

ସ୍ୱାମୀର ଫେରିବା ବାଟକୁ ଚାହିଁ ରହିଛନ୍ତି ଯଶୋଦା। ହାତରେ ଆଜି କାଚକୁ ଅକ୍ଷୁଣ୍ଣ ରଖିଛନ୍ତି ଆଉ ସ୍ୱାମୀଙ୍କ ଶୁଭମନାସୀ ସବୁଦିନ ମୁଣ୍ଡରେ ପିନ୍ଧୁଛନ୍ତି ସିନ୍ଦୁର। ଏବେ ତାଙ୍କ ଗୋଟିଏ ଚିନ୍ତା କିଏ ତାଙ୍କ ସ୍ୱାମୀକୁ ଫେରାଇ ଆଣିବ ଓ ମେଧାବୀ ପାଗଳ ପୁଅକୁ ଭଲ କରିଦେବ।

ଏହାରି ଭିତରେ ସାହି-ପଡିଶା ଓ ଗାଁ ଲୋକଙ୍କଠାରୁ ମାଗିଯାଚି ଘର ଚଳାଉଛନ୍ତି ଯଶୋଦାମଣୀ। ବଡ ପୁଅର ମୃତ୍ୟୁ ପରେ ବୋହୂ ବି ଘରଛାଡି ଚାଲିଗଲା। ଜଣେ ମା’ ହିସାବରେ ଏକମାତ୍ର ପୁଅ ପାଗଳ ହୋଇଥିଲେ ବି ତା’ର ଚିକିତ୍ସା ପାଇଁ ସମସ୍ତଙ୍କ ଆଗରେ ନିବେଦନ କରୁଛନ୍ତି ସେ। ପରିବାରରେ ଜଣଙ୍କ ପରେ ଜଣଙ୍କୁ ହରାଇ ନିସଃଙ୍ଗ ହୋଇପଡିଛନ୍ତି ସିନା ଯଶୋଦାମଣୀ ହେଲେ ତାଙ୍କର ଅସୀମ ଧୈର୍ଯ୍ୟ ଆଜି ବି ତାଙ୍କ ପାଖରେ ରହିଛି।

Mothers' Day
Advertisment
Advertisment