• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ହିନ୍ଦୁ ରୀତିନୀତି ଅନୁଯାୟୀ, ଆସ୍ଥା ଓ ବିଶ୍ୱାସକୁ ଆଧାର କରି ଆଜି ପିତୃପୁରୁଷଙ୍କ ତିନି ପକ୍ଷ ଏବଂ ମାମୁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ଅପରପକ୍ଷେ ପବିତ୍ର ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲା ବେଳେ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ପ୍ରତିମାରେ ଆଜି ଖଡିଲାଗି କରାଯାଇଛି ।

ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ । ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିତୃପୁରୁଷଙ୍କୁ ସପତ୍ନୀକ ଶ୍ରାଦ୍ଧ ଦେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । କାରଣ ବିଶ୍ୱାସ ରହିଛି ଅଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ଅମାବାସ୍ୟାରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀରେ ତିଳତର୍ପଣ ସହ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ଶାନ୍ତିମିଳେ । ପରିବାର ଉପରେ ପିତୃପୁରୁଷଙ୍କ ଶୁଭଦୃଷ୍ଟି ପଡ଼େ । ସେଇଥିପାଇଁ ଆଜି ସକାଳୁ ସକାଳୁ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିଯାଇଥିଲା ଗହଳି ।

ପିତୃପକ୍ଷଙ୍କୁ ପିଣ୍ଡଦାନର ଶେଷ ଦିନରେ ଭୁବନେଶ୍ୱର ବିନ୍ଦୁ ସାଗରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିଭଳି ଯାଜପୁର ବିରଜା ମନ୍ଦିରରର ନାଭିଗୟାରେ ମଧ୍ୟ ତିଳତର୍ପଣ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଛି ।

ପବିତ୍ର ମହାଳୟାରେ ଇଏ ସମ୍ବଲପୁରରୁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ବର୍ଷ ସାରା ମା’ ସମଲେଇ ଏଠି ସିନ୍ଦୁର ରଙ୍ଗରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ବର୍ଷକୁ ଗୋଟିଏ ଦିନ ମହାଳୟାରେ ହୁଏ ମାଆଙ୍କ ଧବଳମୁଖୀ ବେଶ । ମାଆଙ୍କଠି ଶଙ୍ଖ ଓ ଗୋପୀ ତିଳକରେ ଧବଳ ପ୍ରଲେପ ଦିଆଯାଏ । ଧଳା ରଙ୍ଗର ଫୁଲ ଅର୍ପଣ କରି ଧବଳବେଶରେ ସଜାଇ ଦିଆଯାଏ । ମାଆଙ୍କ ଏହି ବେଶକୁ ଗଙ୍ଗା ବେଶ ବି କୁହାଯାଏ ।

ଏପଟେ ଆଜି ଖଡିଲାଗି ଅମାବାସ୍ୟା ଥିବାରୁ ପରମ୍ପରା ଅନୁଯାୟୀ କଟକର ବିଭିନ୍ନ ପୂଜା ମଣ୍ଡପଗୁଡିକରେ ଜଗତଜନନୀ ମା ଦୁର୍ଗାଙ୍କ ମୃଣ୍ମୟ ପ୍ରତିମାରେ ଖଡିଲାଗି କରାଯାଇଛି । ଏହାପରେ ମୃଣ୍ମୟ ପ୍ରତିମାରେ ରଙ୍ଗ ଲଗା କାମ ଆରମ୍ଭ ହେବ । ଏଥିସହ ପୂଜା ମଣ୍ଡପରେ ପ୍ରସ୍ତୁତି ବି ଜୋରସୋରରେ ଆଗେଇ ଚାଲିଛି ।

ଅପରପକ୍ଷେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଗୁଡ଼ିକରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ଚାଲିଥିଲାବେଳେ କାଲିଠୁ ମାଆଙ୍କ ନବରାତ୍ରି ପୂଜା ଆରମ୍ଭ ହେବ ।