• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ପୀଠରେ ଆରମ୍ଭ ହୋଇଛି ନବ ଦିନାତ୍ମକ ଚଇତି ଯାତ୍ରା । ଅଗ୍ନି ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ । ସେପଟ ମାଆ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଚଳଚଂଚଳ ବ୍ରହ୍ମପୁର। ଆଜି ମଧ୍ୟ ରାତ୍ରରେ ମା’ ଆସିବେ ବାପ ଘରକୁ । ଦେଶୀ ବେହେରା ସାହିର ଅସ୍ଥାୟୀ ମନ୍ଦିରରେ ବିରାଜିବ ମାଆଙ୍କ ଘଟ । 

ତାଳଚେର ରେ ମା’ ଅଗ୍ନିରୂପାଙ୍କ ଆବିର୍ଭାବ। ଉଭାସ୍ଥଳରେ ଅଗ୍ନି ରୂପରେ ଦର୍ଶନ ଦେଉଛନ୍ତି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା । ଆରମ୍ଭ ହୋଇଛି ନବ ଦିନାତ୍ମକ ଚଇତି ଯାତ୍ରା । ଏଥିପାଇଁ ଚଳଚଂଚଳ ଗୋପାଳ ପ୍ରସାଦ ସ୍ଥିତ ମା’ ହିଙ୍ଗୁଳାଙ୍କ ଭବ୍ୟ ପୀଠ । ମନ୍ଦିରର ପୂର୍ବ ଦିଗରେ ଅବସ୍ଥିତ ଅରା ବାଉଁଶ ବଣି ନିକଟରେ ବିଜେ କରିଛନ୍ତି ମାଆ । ଦର୍ଶନ ପାଇଁ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ଼ । ଶ୍ରଦ୍ଧାର ସହ ଭକ୍ତ ମା’ଙ୍କୁ ଅର୍ପଣ କରିଛି ନୈବେଦ୍ୟ । ତେବେ ପୂଜାର୍ଚ୍ଚନା ବେଳେ ମା’ଙ୍କ ଚଳନ୍ତି ପ୍ରତିମାକୁ ସ୍ପର୍ଶ କରିବା ଉପରେ କଟକଣା ଲଗାଇଛି ମନ୍ଦିର ପ୍ରଶାସନ । ଆସନ୍ତା ୧୨ ତାରିଖରେ ଶୀତୁଳା ଯାତ୍ରା ସହ ପୂଜା ସମାପନ ହେବ । 

ବ୍ରହ୍ମପୁରରେ ଦୁଇ ବର୍ଷ ପରେ ଝିଅ ଆସିବ ବାପ ଘରକୁ । ଆଉ ଏହି ଝିଅ ହେଉଛନ୍ତି ସାକ୍ଷାତ ବୁଢୀ ଠାକୁରାଣୀ । ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସାହ କାହିଁରେ କ’ଣ । ପରମ୍ପରା ଅନୁସାରେ ଧେଣ୍ଡୁରା ପିଟି ଜଣାଇ ଦିଆଯାଇଛି ପୁରା ଅଂଚଳକୁ । ଆଜି ମଧ୍ୟରାତ୍ରରେ ମା’ ଆସିବେ ବାପ ଘର ଦେଶି ବେହେରା ସାହିକୁ । ମାଆଙ୍କ ଅତି ପସନ୍ଦର ଇଟାମଳା ଫୁଲ ସହ ଚାଙ୍ଗୁଡି ନେଇ ଡକରା ହେବ । ତାପରେ ମାଆଙ୍କ ଘଟକୁ ଆଣି ସ୍ଥାପନ କରାଯିବ ଅସ୍ଥାୟୀ ପୀଠରେ । ଗତଥର କେବଳ ପରମ୍ପରା ରକ୍ଷା କରି ପୂଜା ହୋଇଥିଲେ ବି ବନ୍ଦ ରହିଥିଲା ଯାତ୍ରା । ଏଥର ଧୂମଧାମରେ ପାଳନ ହେବ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ।

ଜଳେଶ୍ୱରରେ ଏପଟେ ଆରମ୍ଭ ହୋଇଛି ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଜୀଉଙ୍କ ଚଡକ ପର୍ବ । ମଧ୍ୟରାତ୍ରରେ ପାଟଭକ୍ତ ଓ ଦେଉଳିଆଙ୍କ ସହ ୧୩ ଜଣ ପଇତା ଧାରଣ କରିବା ପରେ ପଟୁଆରରେ ଯାଇ ପଡ଼ା ବାଉଁଶ ଛେଦନ କରାଯାଇଥିଲା । ଆଜିଠୁ ଘଟ ଉତ୍ତୋଳନ ସହ ଚନ୍ଦନେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ବାବାଙ୍କ ଦର୍ଶନ ପାଇଁ ସୁଅ ଛୁଟିଛି ଶ୍ରଦ୍ଧାଳୁଙ୍କର । ମହାମାରୀ କରୋନାର ୩ ବର୍ଷ ପରେ ସର୍ବସାଧାରଣ ମେଳା ଲାଗିଛି ।

(ଜଳେଶ୍ୱରରୁ ଅଜିତ କୁମାର ଦାସ, ତାଳଚେରରୁ ମନିଲ ମହାରଣାଙ୍କ ସହ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ)