• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଯାହାକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ  ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । 

ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ତେଣୁ ଏହି ପରମ୍ପରା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ। ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ। ପରେ ଶିଶୁପାଳଙ୍କୁ ବନ୍ଦନ ମୁକ୍ତ କରିବେ ବଳରାମ।

ଦେଖନ୍ତୁ ଭିଡିଓ | ରଜରେ ରାମ ରାଜାଙ୍କ ରାଜାଭିଷେକ

ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ। ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ ହେବ।

ସେପଟେ ଚାରିଦ୍ବାର ଖୋଲିବା ପରେ ଏବେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ । ଗତ ତିନି ଦିନ ଧରି ରଜ ସାଙ୍ଗକୁ ସପ୍ତାହାନ୍ତ ଛୁଟି କାରଣରୁ ପୁରୀ ପାଲଟିଛି ଜନସମୁଦ୍ର । ଶ୍ରୀଜୀଉଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ । ପୁରୀରେ ବଢୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ବଡ଼ ଆହ୍ବାନ। ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି ଓଡ଼ିଶାର ବିଜେପି ସରକାର । ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଦିନକ ପରେ ପୁଣି ଏହା ଉପରେ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା। ପୁରୀରେ ଭକ୍ତଙ୍କ ଭିଡ଼ ବହୁ ଗୁଣିତ ହେବାର ସଂଭାବନା ରହିଛି। 

OTV is now on Whatsapp

Join and get latest news update delivered to you via whatsapp

Join Now