Kartik Purnima 2024: କାଲି କାର୍ତ୍ତିକ ପୂର୍ଣ୍ଣିମା; ଚାଲିଛି ଜୋରଦାର ଡଙ୍ଗା ପ୍ରସ୍ତୁତି

କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ଆସନ୍ତକାଲି ଓଡ଼ିଆ ବଣିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ ହେବ ପବିତ୍ର ଡଙ୍ଗା ଭସା ଉତ୍ସବ । 

boat preparation for Kartik Purnima

ଆସନ୍ତକାଲି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ଓଡ଼ିଆ ବଣିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ ହେବ ପବିତ୍ର ଡଙ୍ଗା ଭସା ଉତ୍ସବ । ପୂର୍ଣ୍ଣିମା ବଡ଼ି ଭୋରରୁ ଡଙ୍ଗା ଭସାଇଥାନ୍ତି ଆବାଳବୃଦ୍ଧବନିତା । 

ସାଧାରଣତଃ କଦଳୀ ବାସୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି । କିଛିବର୍ଷ ହେବଗାଁ ମାନଙ୍କରେ କଦଳୀ ଗଛ ଆଉ ବାଡି ବଗିଚାରେ ଦେଖା ନ ଯିବା ଓ ପରିବେଶ ଉପଯୋଗୀ କଦଳୀ ବାହୁଙ୍ଗା ଡଙ୍ଗା ବଜାରରେ ଉପଲବ୍ଧ ହେଉ ନ ଥିବା ବେଳେ ଯଦି ବା ମିଳୁଛି, ତାହାର ଦାମ୍‌ ଅଧିକ ରହୁଛି । ତେଣୁ କମ୍‌ ଦାମ୍‌ରେ ମିଳୁଥିବା ଥର୍ମକୁଲ୍‌ ପ୍ରସ୍ତୁତ ଡଙ୍ଗା ନେବାକୁ ଲୋକେ ପସନ୍ଦ କରୁଛନ୍ତି । ଏଥିପାଇଁ ଡଙ୍ଗା ତିଆରିରେ ଲାଗିପଡିଲେଣି କାରିଗର । 

ଅଧିକ ପଢନ୍ତୁ: ଆଜି ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

ଅନ୍ୟପଟେ ଏ ବର୍ଷ ଆଉ ଦେଶୀ ସୋଲରେ ଡଙ୍ଗା ଦେଖିବାକୁ ମିଳୁନି । ଏ ବର୍ଷ ସୋଲ ବେଶୀ ନହେବା କାରଣରୁ କାରିଗରମାନେ ସୋଲ ସଂଗ୍ରହ କରିପାରି ନାହାନ୍ତି । ଫଳରେ ସୋଲ ଜାଗାରେ ଥର୍ମକୁଲ୍‌ ବ୍ୟବହାର କରି ଡଙ୍ଗା ତିଆରି କରୁଛନ୍ତି । କଟକ ଜିଲ୍ଲା ସାଲେପୁରର ଚନ୍ଦ୍ରାଦେଇପୁରରୁ ଦେଖିବାକୁ ମିଳିଛି ଏଭଳି ଘଟଣା ।

କାହିଁ କେଉଁ କାଳରୁ ପାରମ୍ପରିକ ଭାବରେ କୁଳ ବୃତ୍ତିକୁ ଅଗାକୁ ନେଇ ଚାଲିଛି ଡଙ୍ଗା ତିଆରି କାମ । ସୋଲ ଜାଗାରେ ଏ ବର୍ଷ ଥର୍ମକୁଲ୍‌ କଟାଯାଇ ସେଥିରେ ବିଭିନ୍ନ ରକମର ରଙ୍ଗରେ ଚିତ୍ରବିଚିତ୍ର କରାଯାଉଛି । ଅଠା ଦିଆଯାଇ ସେ ସବୁକୁ ଯୋଡ଼ା ଯାଉଛି । ଚନ୍ଦ୍ରାଦେଇପୁରରେ ରୁହନ୍ତି ଅନେକ ଡଙ୍ଗା କାରିଗର । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏମାନେ ବିଭିନ୍ନ ପ୍ରକାରର ଡଙ୍ଗା ତିଆରି କରନ୍ତି । ଡଙ୍ଗା କାମରେ ଦିନ ରାତି ଲାଗିପଡ଼ନ୍ତି ସମସ୍ତେ ।

ଏ ବର୍ଷ ସାଧରଣ ଡଙ୍ଗା ସାଙ୍ଗକୁ ମୟୁର ଡଙ୍ଗା, ହଂସ ଡଙ୍ଗା, ମନ୍ଦିର ଡଙ୍ଗା, ବିମାନ ଡଙ୍ଗାର ବେଶ ରହିଛି ଚାହିଦା । ଯଦିଓ କଞ୍ଚାମାଲ ଟିକେ ଅଧିକ ରେଟ ରହିଛି । ସେଥିପାଇଁ ଡଙ୍ଗାର ରେଟ ମଧ୍ୟ ଟିକେ ଉଚ୍ଚା କରିଛନ୍ତି କାରିଗର । ପାଗ ଅନୁକୂଳ ରହିଲେ ଏ ବର୍ଷ ଭଲ ଦୁଇ ପଇସା ବେପାର ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କାରିଗର । 

ଅଧିକ ପଢନ୍ତୁ: ଜାଣନ୍ତୁ ଜଳନ୍ଧରଙ୍କ ପତ୍ନୀ ବୃନ୍ଦା କିପରି ହେଲେ ତୁଳସୀ ବୃକ୍ଷ