ଇଂରେଜ ଅମଳର କୁମ୍ଭମେଳା
ପ୍ରାଚୀନତାକୁ ପ୍ରତିଫଳିତ କରେ ସଂସ୍କୃତି ଓ ପରମ୍ପରା । ଆମ ସୁନ୍ଦର ଦେଶ ଭାରତର ବୈଶିଷ୍ଟ୍ୟତାକୁ ବହନ କରେ ତାର ଦୈନନ୍ଦିନ ଜୀବନ ସହ ଜଡ଼ିତ ପର୍ବପର୍ବାଣୀ । ଉତଥାନ ପତନ ଭାରତ ଇତିହାସରେ କିଛି ନୂଆ କଥା ନୁହେଁ । ଭାରତରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ । ଭାରତୀୟ ସଂସ୍କୃତି ପ୍ରାୟତଃ ଅନେକ ସଂସ୍କୃତିର ମିଶ୍ରଣ କହିଲେ ଚଳେ । ଭାରତୀୟମାନେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଓ ମେଳା ମହୋତ୍ସବରେ ସବୁବେଳେ ମସଗୁଲ ଥାଆନ୍ତି । କେଉଁଠି ନା କେଉଁଠି ଦେଶରେ ଧାର୍ମିକ ଆରାଧନା ଚାଲିଥାଏ । ବର୍ତ୍ତମାନ ପରି ପରାଧୀନ ଭାରତରେ ବି କୁମ୍ଭର ଆସ୍ଥା ଦେଖିବାକୁ ମିଳୁଥିଲା । ଇଂରେଜ ଶାସନ ସମୟରେ ମଧ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା । ଇଂରେଜ ଶାସକଙ୍କର ଭୟ ଥିଲା, ମେଳାକୁ ବିରୋଧ କଲେ ସ୍ଥିତି ଅଣାୟତ୍ତ ହୋଇପାରେ । କୁମ୍ଭମେଳାର ମାନ୍ୟତା ଓ ଇତିହାସ ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି ।
ଇଂରେଜ ସମୟର କୁମ୍ଭମେଳା
ସେତେବେଳେ ଭାରତ ବର୍ଷରେ ଚାଲିଥିଲା ଇଂରେଜ ଶାସନ . . . . ୧୮୦୧ରେ ଇଂରେଜ ଅକ୍ତିଆରରେ ଥିଲା ଆହ୍ଲାବାଦ । କୁମ୍ଭ ଓ ମାଘ ମେଳାରେ ସେତେବେଳେ ବି ପ୍ରବଳ ଭକ୍ତଙ୍କ ଭିଡ଼ ଲାଗୁଥିଲା । ଭାରତର ଧର୍ମ ଓ ପରମ୍ପରାର ମହତ୍ତ୍ୱ ନଜାଣି କୁମ୍ଭମେଳାକୁ ଟଙ୍କା ରୋଜଗାରର ମାଧ୍ୟମ କରିଥିଲେ ଚାଲାକ ଇଂରେଜ ସରକାର । ସେହିବର୍ଷ କୁମ୍ଭକୁ ଆସୁଥିବା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ଠାରୁ ଗୋଟିଏ ପଇସାର ଟ୍ୟାକ୍ସ ଆଦାୟ କରାଯାଇଥିଲା । ଏହା ପରଠାରୁ ପ୍ରତି କୁମ୍ଭମେଳାରୁ ଖୁବ ରୋଜଗାର କରୁଥିଲେ ଇଂରେଜ ଶାସକ ।
ପ୍ରଥମ ସନ୍ତାନଙ୍କୁ ଗଙ୍ଗାକୁ ଭେଟି ଦେଉଥିଲେ ଭକ୍ତ
୧୮୨୭ରୁ ୧୮୩୩ ମଧ୍ୟରେ ଜଣେ ଇଂରାଜୀ କଷ୍ଟମ୍ସ ଅଧିକାରୀଙ୍କ ପତ୍ନୀ ଫନି ପାର୍କର ଆହ୍ଲାବାଦକୁ ଆସିଥିଲେ । ସେ ତାଙ୍କ ପୁସ୍ତକ ‘Wanderings of a Pilgrim in Search of the Pictures’ ରେ ଲେଖିଛନ୍ତି - ‘ଯେତେବେଳେ ମୁଁ ଆହ୍ଲାବାଦରେ ପହଞ୍ଚିଲି, ସେଠାରେ ଏକ ଭବ୍ୟ ମେଳାର ଆୟୋଜନ ହୋଇଥିଲା । ଅନେକ ସଂଖ୍ୟାରେ ନାଗା ସାଧୁ ଏବଂବୈଷ୍ଣବ ସାଧୁମାନେ ଗଙ୍ଗାରେ ବୁଡ଼ ପକାଇବାକୁ ପହଞ୍ଚିଥିଲେ । ମୁଁ ସେଠାରେ ଅନେକ ନିଃସନ୍ତାନ ବିବାହିତ ମହିଳାଙ୍କୁ ଭେଟିଥିଲି । ସନ୍ତାନ ଆଶାରେ ସମସ୍ତେ ଗଙ୍ଗାରେ ବୁଡ଼ ପକାଇବାକୁ ଆସିଥିଲେ । ସନ୍ତାନ ପ୍ରାପ୍ତି ପରେ ପ୍ରଥମ ସନ୍ତାନକୁ ଗଙ୍ଗା ମାତାଙ୍କୁ ଉପହାର ଦେବାକୁ ମାନସିକ କରି ବୁଡ଼ ପକାଉ ଯାଉଥିଲେ ଶ୍ରଦ୍ଧାଳୁ ।
ଅଧିକ ପଢ଼ନ୍ତୁ : କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି
ରୁପା ପାତ୍ରରେ ଲଣ୍ଡନ ପଠାଯାଉଥିଲା ଗଙ୍ଗାଜଳ
ପ୍ରୟାଗର ଆଞ୍ଚଳିକ ଅଭିଲେଖାଗାରର ଦଲିଲ ଅନୁଯାୟୀ, ରୁପା ପାତ୍ରରେ ଲଣ୍ଡନ ପଠାଯାଉଥିଲା ଗଙ୍ଗାଜଳ । ୧୯୦୨ ମସିହାରେ ମହାରାଜା ସୱାଇ ମାଧବ ସିଂ ଦ୍ୱିତୀୟ ତାଙ୍କ ଜାହାଜ ଅଲିମ୍ପିଆରେ ଲଣ୍ଡନ ଯାଇଥିଲେ। ବ୍ରିଟିଶ ଅଧିକାରୀଙ୍କ ପାଇଁ ରୁପା ପାତ୍ରରେ ୮ ହଜାର ଲିଟର ଗଙ୍ଗା ପାଣି ଭର୍ତ୍ତି କରି ଲଣ୍ଡନ ନେଇଯାଇଥିଲେ ।
କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ରିଟିଶ ନିୟମ
୧୮୮୦ ମସିହାରେ କୁମ୍ଭକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିଜ୍ଞାପନ ଜାରି କରିଥିଲେ ଇଂରେଜ ସରକାର । ଯାତ୍ରୀମାନେ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ରାତି ବିତାଇପାରିବେ ବୋଲି ବିଜ୍ଞାପନରେ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମେଳାରେ ପ୍ରହରୀ ନିୟୋଜିତ କରାଯାଇଥିଲା । କେହି ନିୟମ ନମାନି ବାହାରେ ରାତ୍ରୀଯାପନ କଲେ କିମ୍ବା କୌଣସି ପ୍ରକାର ଅଘଟଣ ଘଟିଲେ, ନିଜେ ଦାୟୀ ରହିବେ ବୋଲି ବିଜ୍ଞାପନରେ ସ୍ପଷ୍ଟ କରାଯାଇଥିଲା ।
ଲୋକଙ୍କୁ ମହାମାରୀ ଓ ଡକାୟତଙ୍କ ଠାରୁ ରକ୍ଷା କରିବା ପାଇଁ ନିୟମ ଆଣିଥିଲେ ସରକାର । ତେବେ ଐତିହାସିକଙ୍କ ମତରେ କ୍ରାନ୍ତିକାରୀଙ୍କ ଭୟରେ ସରକାର ଏପରି ନିର୍ଦ୍ଦେଶ ଦେଉଥିଲେ । କୁମ୍ଭରେ କ୍ରାନ୍ତିକାରୀମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବେ ବୋଲି ସେମାନଙ୍କର ଭୟ ରହୁଥିଲା ।
ମେଳା ସଜାଇବା ପାଇଁ ଇଂଲଣ୍ଡରୁ ଆସୁଥିଲେ ଅଫିସର
କୁମ୍ଭମେଳାକୁ ସଫଳ କରିବା ପାଇଁ ଇଂଲଣ୍ଡରୁ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଡକାଯାଉଥିଲା। ଏହି ଅଧିକାରୀମାନେ ପ୍ରତିଦିନ ଭାରତ ସଚିବଙ୍କ ନିକଟକୁ ରିପୋର୍ଟ ପଠାଉଥିଲେ। ରାଜ୍ୟ ଅଭିଲେଖାଗାରର ୧୮୯୪ ଦଲିଲ ଅନୁଯାୟୀ, ଆହ୍ଲାବାଦର କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ କୁମ୍ଭ ପଇଁ ପ୍ରଶାସନିକ କାର୍ଯ୍ୟ କରାଯାଉଥିଲା । ମେଳାର ସୌନ୍ଦର୍ଯ୍ୟକରଣ ପାଇଁ ଇଂଲଣ୍ଡରୁ ତିନିଜଣ ଅଧିକାରୀଙ୍କୁ ଡକାଯାଇଥିଲା। କୁମ୍ଭରେ ଡ୍ୟୁଟି ପାଇଁ ଅଧିକାରୀମାନଙ୍କୁ ପରୀକ୍ଷା ଦେବାକୁ ପଡୁଥିଲା । ଏଥିପାଇଁ ଆଚରଣ ସଂହିତା ଜାରି କରାଯାଇଥିଲା।
ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସହିତ ଲୋକଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ ପୋଲିସ । ଏଥିପାଇଁ ଜଣେ ୟୁରୋପୀୟ କ୍ୟାଣ୍ଟନମେଣ୍ଟ ଇନ୍ସପେକ୍ଟର ଏବଂ ଦୁଇ ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଉଥିଲା । ଶୌଚାଳୟକୁ ସଫା କରିବା ପାଇଁ ବଡ଼ ବଡ଼ ପାତ୍ରରେ ମରକ୍ୟୁରିକ ପେରୋକ୍ସାଇଡ ରଖାଯାଉଥିଲା ।
କୁମ୍ଭମେଳାରୁ ଟ୍ୟାକ୍ସ ଆଦାୟ
୧୯୦୬ ସମୟର କଥା । ଜିଲ୍ଲା ମାଜିଷ୍ଟ୍ରେଟ୍ ଏଚ୍.ଭି ଲୋବେଟ କୁମ୍ଭମେଳା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ରିପୋର୍ଟ ଅନୁସାରେ, ୧୮୯୪ କୁମ୍ଭମେଳାରେ ମୁଣ୍ଡନ କରୁଥିବା ଭଣ୍ଡାରୀଙ୍କ ଠାରୁ ସରକାର ୧୧,୮୨୫ ଟଙ୍କା ୮ ଅଣା ଟ୍ୟାକ୍ସ ଆଦାୟ କରିଥିଲେ । ଅନ୍ୟପଟେ ସଙ୍ଗମରେ ଦାଢ଼ି କାଟୁଥିବା ଲୋକଙ୍କ ଠାରୁ ଆଦାୟ ହୋଇଥିଲା ୧୩୩୨ ଟଙ୍କା ୮ ଅଣା । ସେହିପରି ଫୁଲ ବିକ୍ରି କରୁଥିବା ମାଳି ମାନଙ୍କ ଠାରୁ ୧୬୦୦ ଟଙ୍କା ଟ୍ୟାକ୍ସ ସଂଗ୍ରହ କରାଯାଇଥିଲା । କୁମ୍ଭମେଳାରେ କ୍ଷୀର ଉପରେ ୧୦୬୪ ଟଙ୍କା, ଗୋଦାନରେ ୧୭୬ ଟଙ୍କା ଏବଂ ବାଛୁରୀ ଦାନ ଉପରେ ୯୭୬ ଟଙ୍କା ଶୁଳ୍କ ସଂଗ୍ରହ କରାଯାଇଥିଲା। ଡଙ୍ଗା ଚାଳକମାନେ ୩୩୧୧ ଟଙ୍କା ଦେଇଥିବାବେଳେ ହକରମାନେ ୧୪୪୦ ଟଙ୍କା ଏବଂ ଶଗଡ଼ ଚଳାଉଥିବା ଲୋକେ ୧୮୭୪ ଟଙ୍କା ପ୍ରଦାନ କରିଥିଲେ ।
ଇଂରେଜ ଶାସନ କାଳରେ ଅଧିକାଂଶ ଶ୍ରଦ୍ଧାଳୁ ଚାଲି ଚାଲି କିମ୍ବା ଶଗଡ଼ ଗାଡ଼ିରେ ସଙ୍ଗମସ୍ଥଳକୁ ବୁଡ଼ ପକାଇବାକୁ ଯାଉଥିଲେ । ସେସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ଚୋର ଡକାୟତଙ୍କର ମଧ୍ୟ ପ୍ରବଳ ଭୟ ଥିଲା । ଏହାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ ନିର୍ମାଣ କରାଯାଉଥିଲା । ଏଥିପାଇଁ ପାଖାପାଖି ବର୍ଷକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଉଥିଲା ।
ଇଂରେଜଙ୍କୁ ଲୁଚାଇ ରାତାରାତି କୂଅ ଖୋଳି ଦେଇଥିଲେ ସାଧୁ
୧୯୧୮ରେ ସାଧୁମାନେ ଆଖଡ଼ା ସହ ଶିବିରରେ କୂଅ ଖୋଳିବା ପାଇଁ ଦାବି କରିଥିଲେ । ସେହି ସମୟରେ ସାଧୁମାନଙ୍କୁ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ହେଲେ ବ୍ରିଟିଶ ସରକାର ସାଧୁଙ୍କ ଦାବିକୁ ଗ୍ରହଣ କରିନଥିଲେ । ବ୍ରିଟଶ ହୁକୁମତ ବିରୋଧରେ ଯାଇ ହିନ୍ଦୁ ମହାସଭା, ବଡ଼ ପଞ୍ଚାୟତି, ନିର୍ମଳ ଆଖଡ଼ାର ଶିବିରରେ ରାତାରାତି କୂଅ ଖୋଳି ଦେଇଥିଲେ ସାଧୁସନ୍ଥ । ସେତେବେଳେ କୁମ୍ଭମେଳା ପାଇଁ ୧୮୫ଟି ଟ୍ୟାପ ସହ ମାତ୍ର ୨୭ଟି ପାଣି ଟାଙ୍କି ବ୍ୟବସ୍ଥା କରାଯାଇଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏହା ସମୁଦ୍ରେକୁ ଶଙ୍ଖେ ପରି ଥିଲା ।
ଅଧିକ ପଢ଼ନ୍ତୁ : ଆରମ୍ଭ ହେଲା ମହାକୁମ୍ଭ ମେଳା, ସଂଗମ ତଟରେ ବୁଡ଼ ପକାଇଲେ ସାଧୁ ସନ୍ଥ ଓ କୋଟି କୋଟି ଶ୍ରଦ୍ଧାଳୁ
କୁମ୍ଭ ପାଇଁ ୪ ଟି ହସ୍ପିଟାଲ ନିର୍ମାଣ ହୋଇଥିଲା
୧୯୦୬ ମସିହାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ କୁମ୍ଭମେଳାରେ ହଇଜା ବ୍ୟାପି ଯାଇଥିଲା । ଏହାର ମୁକାବିଲା ପାଇଁ ଗୋଟିଏ ଡାକ୍ତରଖାନା ନିର୍ମାଣ କରିଥିଲେ ଇଂରେଜ ସରକାର । ସେବର୍ଷ କୁମ୍ଭମେଳାରେ ୨୦୭ ଜଣ ଲୋକ ହଇଜାରେ ପ୍ରାଣ ହରାଇଥିଲେ । ସେହିପରି ନିଶ୍ୱାସ ନେବାରେ କଷ୍ଟହେବାରୁ ଏବଂ ନିମୋନିଆରେ ୧୬୭ ଜଣଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟପଟେ ମହାମାରୀ ଭୟ ଯୋଗୁଁ ୧୯୧୮ କୁମ୍ଭରେ ଚାରୋଟି ଡାକ୍ତରଖାନା ନିର୍ମାଣ କରାଯାଇଥିଲା । ମୁଖ୍ୟ ଡାକ୍ତରଖାନା ୧୦୦ ଶଯ୍ୟାବିଶିଷ୍ଟ ହୋଇଥିବା ବେଳେ ଅବଶିଷ୍ଟ ତିନୋଟି ୨୫ ଟି ଶଯ୍ୟାବିଶିଷ୍ଟ ଥିଲା । ମେଳା ପରିଚାଳକଙ୍କ ନିକଟରେ ଔଷଧ ଏବଂ ଚିକିତ୍ସା ଉପକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମହାମାରୀ ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ଯାଞ୍ଚ କରାଯାଉଥିଲା।
ଚେୟାରମ୍ୟାନ୍ ଥିଲେ ଜବାହରଲାଲ୍ ନେହରୁ
୧୯୨୪ ସମୟର କଥା । ପ୍ରୟାଗରାଜରେ ଅର୍ଦ୍ଧକୁମ୍ଭ ମେଳା ଲାଗିଥାଏ । ସେତେବେଳେ ଜବାହରଲାଲ ନେହରୁ ଆହ୍ଲାବାଦ ମ୍ୟୁନିସିପାଲିଟି କର୍ପୋରେସନର ଚେୟାରମ୍ୟାନ୍ ଥିଲେ । ତାଙ୍କ ଆତ୍ମକଥାରେ ପବିତ୍ର କୁମ୍ଭମେଳା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଜବାହରଲାଲ ନେହରୁ । ବ୍ରିଟିଶ ଶାସନ କାଳରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ବାରଣ କରାଯାଇଥିଲା । ହେଲେ ବ୍ରିଟିଶ ସରକାରଙ୍କ ବିରୋଧରେ ଯାଇ ମହାନ୍ ରାଷ୍ଟ୍ରଭକ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ମଦନ ମୋହନ ସିଂ ମାଲବ୍ୟ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
ଖବରକାଗଜରୁ ଏ ସମ୍ପର୍କରେ ଜାଣିବା ପରେ ଜବାହରଲାଲ ନେହରୁ ବି ସେଠାରେ ପହଞ୍ଚିଥିଲେ । ୨୦୦ ଲୋକଙ୍କୁ ଧରି ମଦନ ମୋହନ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଯୋଶରେ ଆସି ସେଥିରେ ଯୋଗ ଦେଇଥିଲେ ନେହରୁ । ସେପଟେ ସଙ୍ଗମରେ ଯେପରି ଶ୍ରଦ୍ଧାଳୁ ବୁଡ଼ ନପକାଇ ପାରିବେ, ସେଥିପାଇଁ ଇଂରେଜ ସରକାର କାଠର ବାଡ଼ ତିଆରି କରିଦେଇଥିଲେ । ତଥାପି ମଦନ ମୋହନଙ୍କ ନେତୃତ୍ୱରେ ସମସ୍ତେ ଆଗକୁ ବଢ଼ୁଥିଲେ । ହେଲେ ସାମ୍ନାରେ ଛିଡ଼ା ହୋଇଥିବା ବ୍ରିଟିଶ ପୋଲିସ ସଙ୍ଗମସ୍ଥଳ ପର୍ଯ୍ୟନ୍ତ କାହାକୁ ଛାଡ଼ୁ ନଥିଲେ । ଅନେକ ବାଧାବିଘ୍ନ ସତ୍ତ୍ୱେ ସମସ୍ତେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇଥିଲେ । ତେବେ ବାରଣ ସତ୍ତ୍ୱେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଇଂରେଜ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736754876.jpg)