• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳିଆ ଭାବରେ ଗୋଟିଏ ମାସ ବନ୍ଧା ପଡ଼ିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ିବାକୁ ଚାହୁଁନି ମନ । ଜଗା ସହ ବନ୍ଧନର ସେ ମୋହ ତୁଟାଇବାକୁ ଟିକିଏ ବି ଇଛା ନାହିଁ । ହେଲେ ଚାହୁଁ ଚାହୁଁ କାର୍ତ୍ତିକ ଶେଷ ହେବା ପରେ ଏବେ ଘର ବାହୁଡ଼ା ସମୟ । ଧର୍ମମାସ କାର୍ତ୍ତିକରେ ପୁରୀ ଶ୍ରୀକ୍ଷେତ୍ରରେ ମାସେବ୍ୟାପୀ ଭଜନ, କୀର୍ତ୍ତନ, ଜଣାଣ ଓ ନିଷ୍ଠାର ସହ ବ୍ରତ, ଉପାସନା ପରେ ଆଜି ପୁରୀ ଛାଡ଼ିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ହଜାରରୁ ଅଧିକ ହବିଷ୍ୟାଳୀ ।

କାର୍ତ୍ତିକ ବ୍ରତ ଧାରିଣୀମାନେ ଆଜି ପ୍ରତ୍ୟୁଷରୁ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ସ୍ନାନ ଓ ଡଙ୍ଗାଭସା ପରେ ଚତୁର୍ଦ୍ଧା ବିଗ୍ରହଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ବ୍ରତ ସମାପନ କରିଥିଲେ । ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଘର ବାହୁଡ଼ା ବେଳେ କିଏ ପିଲା ପରିବାର ପାଇଁ ତ ଆଉ କିଏ ସାହି ପଡ଼େଶୀଙ୍କ ପାଇଁ ସଂଗ୍ରହ କରି ନେଉଥିଲେ ସେମାନଙ୍କ ବରାଦର ଜିନିଷ । ତା ଭିତରେ କିନ୍ତୁ କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା ।

ଏପଟେ ଆଜି ଶ୍ରୀମନ୍ଦିରରେ ଚନ୍ଦ୍ର ଗ୍ରହଣ ନୀତି ପାଇଁ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିହେବ କି ନାହିଁ, ତାକୁ ନେଇ ଅସଂଖ୍ୟ ଭକ୍ତ ଓ ହବିଷ୍ୟାଳୀଙ୍କ ମନରେ ଆଶା, ଆଶଙ୍କା ଲାଗି ରହିଥିଲା । କିନ୍ତୁ ଗତକାଲିଠୁ ପୁରୀ ଛୁଟି ଆସିଥିବା ଅଗଣିତ ଭକ୍ତ ଓ ପୁରୀ ଛାଡ଼ିବାକୁ ଥିବା ହଜାର ହଜାର ହବିଷ୍ୟାଳିଙ୍କ ସେ ଇଛାକୁ ପୂରଣ କରିଥିଲେ ଶ୍ରୀଜିଉ । ଫଳରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି କୃତ୍ୟକୃତ୍ୟ ହୋଇଥିଲେ ଶ୍ରଦ୍ଧାଳୁ ।

କାର୍ତ୍ତିକ ପୂର୍ଣ୍ଣିମା ଲାଗି ପୁରୀରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଜଗନ୍ନାଥ ବଲ୍ଲଭ ମଠ ନିକଟରୁ ବ୍ୟାରିକେଡର ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୁରୀରେ ୪୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।