• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଛେନାପୋଡ଼...ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା l  ଛେନାପୋଡ଼କୁ ଦେଖିଦେଲେ ପାଟିରୁ ଗଡ଼ିଯାଏ ଲାଳ l ଥରେ ଯିଏ ଏହାକୁ ଖାଇଛି ଆଉ ଥରେ ଖାଇବାକୁ ମନ କରିଛି l ଏହି ସୁସ୍ୱାଦୁ ବ୍ୟଞ୍ଜନଯୁକ୍ତ ଛେନାପୋଡ଼କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା l ନୟାଗଡ଼ରୁ ସୃଷ୍ଟି ଏହି ଛେନାପୋଡ଼କୁ ଏବେ ଲୋକାଭିମୁଖୀ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ l ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପ୍ରତିବର୍ଷ ପାଳନ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ l ଏଥିପାଇଁ ସୋସିଆଲ ମିଡିଆ ରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି l ସ୍ୱେଚ୍ଛାସେବୀ ଅନୁଷ୍ଠାନ helping Hand ପକ୍ଷରୁ ଏପ୍ରିଲ ୧୧ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ୨୦୨୨ ମସିହାରୁ ଆରମ୍ଭ ହୋଇଛି ଉଦ୍ୟମ l

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼ l ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ ସହରର ସ୍ୱର୍ଗତ ସୁଦର୍ଶନ ସାହୁ ଏହି ସୁଆଦିଆ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ l

କେହି କେହି, ସୁଦର୍ଶନଙ୍କ ବାପା ବିଦ୍ୟାଧର ସାହୁ ସ୍ରଷ୍ଟା ବୋଲି କହିଥାନ୍ତି l ନୟାଗଡ଼ କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଂଚାଇବାକୁ ଉଦ୍ୟମ କରିଥିଲେ l ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡ଼ପିଠା ପ୍ରସ୍ତୁତ କରିଥିଲେ । ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି l

ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ନୟାଗଡ଼ ର ଛେନାପୋଡ଼ ଓଡିଶା କୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି l ନୟାଗଡ଼ ବିଧାୟକ ଅରୁଣ ସାହୁ ମଧ୍ୟ ଛେନାପୋଡ଼କୁ ଭୌଗୋଳିକ ମାନ୍ୟତା ପାଇଁ MSME ମନ୍ତ୍ରୀଙ୍କୁ ଭେଟି ଦାବି ବି ଜଣାଇଛନ୍ତି l ସେହିପରି ନୟାଗଡ଼ର ମଧୁବୈଶ୍ୟ ସମାଜ ଆଦି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଜିଆଇ ଟ୍ୟାଗ ପାଇଁ ଦାବୀ କରାଯାଇଛି l

ପ୍ରତିବର୍ଷ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ ଆରମ୍ଭ ହୋଇଛି l ଏପରିକି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ ଦପ୍ତରରେ ଛେନାପୋଡ଼ ଦିବସକୁ ପାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଏପଟେ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ପୁରା ଦମରେ ଲାଗିଛି ନୟାଗଡ଼ ଜିଲ୍ଲା ପ୍ରଶାସନl

  • Reported by:
  • Jayendra Behera