• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପବିତ୍ର ମହାକୁମ୍ଭ ମେଳାର ଭବ୍ୟ ଉଦଘାଟନ ହୋଇସାରିଛି । ଫେବୃଆରୀ ୨୬ ତାରିଖ ଯାଏ ଚାଲିବ ଏହି ମେଳା । ପାଖାପାଖି ୪୫ ଦିନ ଧରି ଚାଲିବ ଏହି ମହାକୁମ୍ଭ । ଗଙ୍ଗା, ଯମୁନା ଏବଂ ସରସ୍ୱତୀ (ଅଦୃଶ୍ୟ) ନଦୀର ସଙ୍ଗମସ୍ଥଳରେ ଏଥର ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁ ସାମିଲ ହେବାର ସମ୍ଭାବନା ରହିଛି । ଏହି ପବିତ୍ର ମହାକୁମ୍ଭରେ ବୁଡ ପକାଇବା ପାଇଁ ଏବଂ ସାଧୁସନ୍ଥଙ୍କ ସଂସର୍ଗ ଲାଭ ପାଇଁ ଦେଶବିଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଛନ୍ତି ।

କୁମ୍ଭମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସାଧୁ । ନାଗା ସାଧୁଙ୍କ ବିନା କୁମ୍ଭମେଳା ଏକ ପ୍ରକାର ଅସମ୍ଭବ କହିଲେ ଚଳେ । କୁମ୍ଭ ମେଳାରେ ଅଘୋରୀ ଓ ନାଗା ସାଧୁଙ୍କ ଚର୍ଚ୍ଚା ସବୁବେଳେ ହୋଇଥାଏ । ନାଗା ସାଧୁଙ୍କ ବେଶଭୂଷା ଏବଂ ଖାଇବା ପିଇବା ସାଧାରଣ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା । ପୁରୁଷଙ୍କ ପରି ମହିଳା ନାଗା ସାଧୁ ବି ଅଛନ୍ତି ।

କିଏ ଏବଂ କାହିଁକି ମହିଳାମାନେ ନାଗା ସାଧୁ ହୋଇଥାନ୍ତି ? କେମିତି ମହିଳାମାନେ ନାଗାସାଧୁ ହୋଇଥାନ୍ତି ? ଏମାନେ କେଉଁଠି ରୁହନ୍ତି ? କ’ଣ କରନ୍ତି, କ’ଣ ଖାଆନ୍ତି ? ଏମିତି ଅନେକ ପ୍ରଶ୍ନ ରହିଛି ଏଇ ମହିଳା ନାଗାସାଧୁଙ୍କୁ ନେଇ ।

ଭାରତରେ ପ୍ରାୟ ୫ଲକ୍ଷ ମହିଳା ନାଗାସାଧୁ ଅଛନ୍ତି । ଏହି ମହିଳା ନାଗାସାଧୁମାନେ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଈଶ୍ୱରଙ୍କୁ ସମର୍ପିତ କରି ଦେଇଥାନ୍ତି । ସେମାନଙ୍କ ଦୁନିଆ ମଧ୍ୟ ସମ୍ପୂର୍ଣ୍ଣ ଅଲଗା ଏବଂ ବିଚିତ୍ର ଅଟେ। ମହିଳା ନାଗାସାଧୁମାନେ ଗୃହସ୍ଥ ଜୀବନରୁ ଦୂରେଇ ରହିଥାନ୍ତି । ଦିନର ଆରମ୍ଭ ପୂଜାପାଠରୁ ହୋଇଥାଏ ଏବଂ ଶେଷ ମଧ୍ୟ ପୂଜାପାଠରେ ହୋଇଥାଏ । ଦୁନିଆ ସହ ଏମାନଙ୍କର କୌଣସି ସମ୍ପର୍କ ନ ଥାଏ । ଏମାନଙ୍କ ଜୀବନ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଥାଏ । ଅନେକ କଠୋର ପରୀକ୍ଷା ଦେବା ପରେ ଏହି ମହିଳାମାନେ ନାଗା ସାଧୁ ମାନ୍ୟତା ପାଇଥାନ୍ତି । ନାଗା ହେବା ପରେ ବି ଏମାନେ କଠୋର ନିୟମ ଓ ଅନୁଶାସନ ମଧ୍ୟରେ ରୁହନ୍ତି ।

ମହିଳା ନାଗା ସାଧୁ କିଏ ସୃଷ୍ଟି କରିଥାନ୍ତି ?

ମହିଳା ନାଗାସାଧୁ ହେବା ପରେ ସବୁ ସାଧୁ, ସାଧ୍ୱୀମାନେ ତାଙ୍କୁ ‘ମାତା’ ବୋଲି କହିଥାନ୍ତି । ମାଈ ବାଡାରେ ମହିଳା ନାଗାସାଧୁମାନେ ରୁହନ୍ତି ଯାହାକୁ ଦଶନାମ ସନ୍ନ୍ୟାସିନୀ ଆଖଡା କୁହାଯାଇଥାଏ । ସାଧୁ ସନ୍ଥମାନଙ୍କ ମଧ୍ୟରେ ନାଗା ଏକ ପଦବୀ ଅଟେ । ସାଧୁମାନେ ବୈଷ୍ଣବ, ଶୈବ, ଉଦାସୀନ ସଂପ୍ରଦାୟରେ ବିଭକ୍ତ । ଏହି ତିନି ସଂପ୍ରଦାୟର ଆଖଡା ନାଗା ସାଧୁମାନେ ତିଆରି କରିଥାନ୍ତି ।

ଅଧିକ ପଢ଼ନ୍ତୁ:ଉଚ୍ଚତା ୭ ଫୁଟ୍, ବଡି ବିଲଡର ଭଳି ଚେହେରା; ମହାକୁମ୍ଭର ଆକର୍ଷଣ ‘ମସ୍କୁଲାର୍ ବାବା’

କେମିତି ହୁଅନ୍ତି ମହିଳା ନାଗାସାଧୁ ?

ପୁରଷ ନାଗା ସାଧୁମାନେ ଉଲଗ୍ନ ରହିପାରନ୍ତି । କିନ୍ତୁ ମହିଳା ନାଗା ସାଧୁମାନଙ୍କୁ ଉଲଗ୍ନ ରହିବା ପାଇଁ ଅନୁମତି ନାହିଁ । ପୁରୁଷ ନାଗା ସାଧୁମାନେ ୨ ପ୍ରକାରର । ବସ୍ତ୍ରଧାରୀ ଏବଂ ଦିଗମ୍ବର (ନିଃବସ୍ତ୍ର) । ହେଲେ ସମସ୍ତ ମହିଳା ନାଗା ସାଧୁ ବସ୍ତ୍ରଧାରୀ । ମହିଳା ନାଗା ସାଧୁଙ୍କୁ କପାଳରେ ତିଲକ ଲଗାଇବା ବାଧ୍ୟତାମୂଳକ । ମହିଳା ନାଗାସାଧୁମାନେ ଗେରୁଆ ରଙ୍ଗର କେବଳ ଗୋଟିଏ କପଡା ପିନ୍ଧନ୍ତି । ଏହି କପଡା ସିଲେଇ ହୋଇ ନଥାଏ । ମହିଳା ନାଗା ସାଧୁଙ୍କ ପୋଷାକକୁ ଗନ୍ତି କୁହାଯାଏ ।

ନାଗା ସାଧୁ ହେବାର ପ୍ରକ୍ରିୟା କ’ଣ ?

ମହିଳା ନାଗା ସାଧୁ ହେବାର ପ୍ରକ୍ରିୟା ଯେତିକି କଠିନ, ସେମାନଙ୍କ ଜୀବନ ଶୈଳୀ ମଧ୍ୟ ସେତିକି କଠିନ । ନାଗା ସାଧୁ ହେବା ପାଇଁ ମହିଳାଙ୍କୁ କଠିନ ପରୀକ୍ଷା ଦେବାକୁ ପଡିଥାଏ । ନାଗାସାଧୁ ବାର ସନ୍ନ୍ୟାସିନୀ ହେବା ପାଇଁ ମହିଳାଙ୍କୁ ୬ରୁ ୧୦ ବର୍ଷ କଠିନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ । ଏହାବ୍ୟତୀତ ତାଙ୍କ ଗୁରୁଙ୍କୁ ବିଶ୍ୱାସ ଦେବାକୁ ପଡିଥାଏ ଯେ, ସେମାନେ ନାଗା ସାଧୁ ହେବା ପାଇଁ ଯୋଗ୍ୟ ଏବଂ ସେମାନେ ଈଶ୍ୱରଙ୍କ ପାଖରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଏହା ପରେ ଗୁରୁ ହିଁ ସେମାନଙ୍କୁ ନାଗା ସାଧୁ ହେବା ପାଇଁ ଅନୁମତି ଦେଇଥାନ୍ତି । ସେତିକି ନୁହେଁ, ନାଗା ସାଧୁ ମାନ୍ୟତା ଦେବା ପୂର୍ବରୁ ସେମାନଙ୍କ ଅତୀତ, କେଉଁ ପରିବାରରୁ ଆସିଛନ୍ତି ଆଦି ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥାଏ ।

ମହିଳା ନାଗା ସାଧୁଙ୍କୁ ପ୍ରଥମେ ମୁଣ୍ଡନ ହେବାକୁ ପଡିଥାଏ

ନାଗା ସାଧୁ ହେବା ପୂର୍ବରୁ ତାଙ୍କର ଅତୀତକୁ ଦେଖି ସ୍ଥିର କରାଯାଇଥାଏ ସେମାନେ ଈଶ୍ୱରଙ୍କ ପ୍ରତି କେତେମାତ୍ରାରେ ସମର୍ପିତ । ନାଗା ସାଧୁ ହେବା ପରେ ଏମାନେ କଠିନ ତପସ୍ୟା କରିପାରିବେ କି ନାହିଁ । ନାଗା ସାଧୁ ହେବା ପୂର୍ବରୁ ମହିଳାଙ୍କୁ ଜୀବିତ ଅବସ୍ଥାରେ ନିଜର ପିଣ୍ଡଦାନ କରିବାକୁ ପଡିଥାଏ ଏବଂ ମୁଣ୍ଡନ ବି ହୋବାକୁ ପଡିଥାଏ । ମହିଳାମାନଙ୍କର ସବୁଠାରୁ ବେଶି ନଜର ଥାଏ ସେମାନଙ୍କ କେଶ ଉପରେ । ତେଣୁ ନାଗା ସାଧୁ ହେବା ପୂର୍ବରୁ ପ୍ରଥମେ ସେହି କେଶକୁ ହିଁ କାଟିଦେବାକୁ ପଡିଥାଏ । ମହିଳାମାନେ କେବଳ ନିଜ ପିଣ୍ଡଦାନ କରିଥାନ୍ତି । କିନ୍ତୁ ପୁରୁଷମାନଙ୍କୁ ୧୬ ପିଣ୍ଡଦାନ କରିବାକୁ ପଡିଥାଏ । ନିଜ ସମେତ ପରିବାର ଲୋକଙ୍କର ପିଣ୍ଡଦାନ କରିଥାନ୍ତି । ପିଣ୍ଡଦାନ ପରେ ସେମାନଙ୍କର ମୃତ୍ୟୁ ଘଟିଥାଏ । ଆଉ ନାଗା ସାଧୁ ହେବା ପୂର୍ବରୁ ସେମାନଙ୍କର ପୁନର୍ଜନ୍ମ ଘଟିଥାଏ ବୋଲି ବିଶ୍ୱାସ ରହିଛି । 

ଅଧିକ ପଢ଼ନ୍ତୁ: କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣ କୁମ୍ଭ ଓ ମହାକୁମ୍ଭ ମଧ୍ୟରେ ପାର୍ଥକ୍ୟ କ’ଣ...

ମହିଳା ନାଗାସାଧୁ କ’ଣ କରନ୍ତି ?

ମୁଣ୍ଡନ ହେବା ପରେ ମହିଳା ସାଧୁମାନେ ନଦୀରେ ସ୍ନାନ କରିଥାନ୍ତି । ସ୍ନାନ ପରେ ପୂରା ଦିନ ସେମାନଙ୍କୁ ଭଗବାନଙ୍କ ନାମ ଜପ କରବାକୁ ପଡିଥାଏ । ପୁରୁଷଙ୍କ ପରି ମହିଳା ନାଗା ସାଧୁମାନେ ଶିବଙ୍କୁ ପୂଜା କରିଥାନ୍ତି । ସକାଳୁ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସେମାନେ ଭଗବାନ ଶିବଙ୍କୁ ଜପ କରନ୍ତି । ସନ୍ଧ୍ୟାରେ ଦତ୍ତାତ୍ରେୟ ଭଗବାନଙ୍କ ଆରାଧନା କରିଥାନ୍ତି । ମଧ୍ୟାହ୍ନରେ ଭୋଜନ ପରେ ପୁଣି ଶିବଙ୍କ ନାମ ଜପ କରିଥାନ୍ତି ।

ମହିଳା ନାଗାସାଧୁ ହେବା ପାଇଁ କେତେ ସମୟ ଲାଗିଥାଏ ?

ଜଣେ ମହିଳା ସନ୍ନ୍ୟାସୀଙ୍କୁ ନାଗା ସାଧୁ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ପାଖାପାଖି ୧୦ ବର୍ଷ ଲାଗିଥାଏ । ଏମାନେ କନ୍ଦମୂଳ, ଫଳ, ଜଡିବୁଟି ଓ ବିଭିନ୍ନ ପ୍ରକାରର ପତ୍ର ଖାଇଥାନ୍ତି । 

କୁମ୍ଭ ମେଳାରେ ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗାମାନେ ଶାହି ସ୍ନାନ କରିଥାନ୍ତି । ସେମାନଙ୍କ ରହିବା ପାଇଁ ଅଲଗା ଅଲଗା ଆଖଡା ବ୍ୟବସ୍ଥା କରାଯାଇଛି । ତେବେ ପୁରୁଷ ନାଗା ସାଧୁମାନେ ସ୍ନାନ ପରେ ନଦୀରେ ବୁଡ ପକାଇବା ପାଇଁ ଯାଇଥାନ୍ତି । ଆଖଡାରେ ମହିଳା ନାଗା ସାଧୁମାନଙ୍କୁ ମାଆ, ଅବଧୂତାନୀ ବା ନାଗିନ ବୋଲି କହିଥାନ୍ତି । ଏମାନେ ସାଧାରଣତଃ ଜଙ୍ଗଲରେ ଏବଂ ଆଖଡାରେ ରୁହନ୍ତି ।

ମୁଣ୍ଡ ନୁଆଁନ୍ତି ନାହିଁ କି ପର ନିନ୍ଦା କରନ୍ତି ନାହିଁ

ନାଗା ସାଧୁ କୌଣସି ବ୍ୟକ୍ତିଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁନ୍ତି ନାହିଁ କି କାହାର ନିନ୍ଦା କରନ୍ତି ନାହିଁ । କେବଳ ବରିଷ୍ଠ ସାଧୁମାନଙ୍କଠାରୁ ତଥା ନିଜ ଗୁରୁଙ୍କଠାରୁ ଆଶୀର୍ବାଦ ନେବା ସମୟରେ ମୁଣ୍ଡ ନୁଆଁଇଥାନ୍ତି । ଏହି ନିୟମକୁ ସମସ୍ତ ପୁରୁଷ ଏବଂ ମହିଳା ନାଗା ସାଧୁମାନେ ମାନିଥାନ୍ତି ।

ଅଧିକ ପଢ଼ନ୍ତୁ:ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ...

(ବି.ଦ୍ର- ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ ।) 

OTV is now on Whatsapp

Join and get latest news update delivered to you via whatsapp

Join Now