ଦିବ୍ୟ ତଥା ଅଲୌକିକ ମହାକୁମ୍ଭ ଭକ୍ତି, ଶ୍ରଦ୍ଧା ଓ ବିଶ୍ଵାସର ଏକ ଅପୂର୍ବ ସଙ୍ଗମ । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ । ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି । ମହାକୁମ୍ଭ ସମୟରେ ପ୍ରୟାଗଠାରେ ତ୍ରିଦେବ ଯଥା ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଏହି ସମୟରେ ଗଙ୍ଗାରେ ବୁଡ଼ ପକାଇବା ଫଳରେ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ପୌରାଣିକ ମାନ୍ୟତା ଅନୁସାରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ । କୁମ୍ଭସ୍ନାନ ଏହି ଚାରୋଟିରେ ବିଜୟୀ ହେବାର ଫଳ ପ୍ରଦାନ କରିଥାଏ ।
ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ । କୁମ୍ଭରେ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ତଥା ଆଉ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଘାଣ୍ଟି ହେବାକୁ ପଡ଼େନି ବୋଲି କୁହାଯାଏ । କୁମ୍ଭମେଳା ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଭାରତର ପବିତ୍ର ନଦୀ କୂଳକୁ ଆକର୍ଷିତ କରିଥାଏ। ଏହି ଆୟୋଜନ ଆଧ୍ୟାତ୍ମିକତା, ପରମ୍ପରା ଓ ସମ୍ପ୍ରଦାୟର ଏକ ପର୍ଯ୍ୟାୟ ଅଟେ । କିନ୍ତୁ ଏହାର ବିଭିନ୍ନ ଆୟୋଜନ କୁମ୍ଭ, ଅର୍ଦ୍ଧ କୁମ୍ଭ, ପୂର୍ଣ୍ଣ କୁମ୍ଭ ଓ ମହାକୁମ୍ଭ ନିଜର ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ଧାରଣ କରନ୍ତି । ଆସନ୍ତୁ ଏଗୁଡ଼ିକ ଅନ୍ତର ସମ୍ପର୍କରେ ଜାଣିବା ।
Also Read
କୁମ୍ଭ ମେଳା
କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । କୁମ୍ଭ ମେଳା ୧୨ ବର୍ଷରେ ୪ ଥର ପ୍ରାୟାଗରାଜ, ହରିଦ୍ବାର, ନାଶିକ ଏବଂ ଉଜ୍ଜୟନୀରେ ଅନୁଷ୍ଠିତ ହୁଏ । ୧୨ ବର୍ଷର ଚକ୍ର ସମାପ୍ତ କରିବା ପରେ କୁମ୍ଭ ପୁଣି ଥରେ ପ୍ରତ୍ୟେକ ସହରକୁ ଫେରିଥାଏ ।
ଅର୍ଦ୍ଧ କୁମ୍ଭ
ଅର୍ଦ୍ଧ କୁମ୍ଭ ମେଳା ପ୍ରତି ଛଅ ବର୍ଷ ପରେ ପାଳନ କରାଯାଏ । ଅର୍ଦ୍ଧ କୁମ୍ଭ କେବଳ ପ୍ରୟାଗରାଜ ଏବଂ ହରିଦ୍ବାରରେ ଅନୁଷ୍ଠିତ ହେୁଏ । ଅର୍ଦ୍ଧର ଅର୍ଥ ହେଲା ଅଧା,ତେଣୁ ପ୍ରତି ୬ ବର୍ଷରେ ପଡ଼େ ଅର୍ଦ୍ଧ କୁମ୍ଭ ମେଳା । ପୂର୍ଣ୍ଣ କୁମ୍ଭ ତୁଳନାରେ ଛୋଟ ହୋଇଥିଲେ ସୁଦ୍ଧା ଏହାର ଧାର୍ମିକ ମହତ୍ୱ ଖୁବ ଅଧିକ । ଲକ୍ଷ ଲକ୍ଷ ଭକ୍ତ, ତପସ୍ୱୀ, ସାଧୁସନ୍ଥ ପାପ ଧୋଇବା ପାଇଁ ତଥା ଆଧ୍ୟାତ୍ମିକ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସଙ୍ଗମରେ ବୁଡ଼ ପକାନ୍ତି ।
ପୂର୍ଣ୍ଣ କୁମ୍ଭ :
୧୨ ବର୍ଷ ପରେ ପାଳନ କରାଯାଉଥିବା କୁମ୍ଭ ମେଳାକୁ ପୂର୍ଣ୍ଣ କୁମ୍ଭ ମେଳା କୁହାଯାଇଥାଏ । ଚାରି ପବିତ୍ର ସ୍ଥାନ ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜୟନୀ ଓ ନାସିକରେ ଅନୁଷ୍ଠିତ ହୁଏ ପୂର୍ଣ୍ଣ କୁମ୍ଭ ମେଳା । ଏହି ଭବ୍ୟ ସମାରୋହରେ ଅନେକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମେ । ପ୍ରତ୍ୟେକ ସ୍ଥାନ ଏକ ସଂଗମ କିମ୍ବା ନଦୀ ସହ ସମ୍ବନ୍ଧିତ ହୋଇଥାଏ, ଏହି ସମୟରେ ବୁଡ଼ ପକାଇଲେ ଦୈବୀ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ବୃହସ୍ପତି ଓ ସୂର୍ଯ୍ୟ ଗ୍ରହର ସ୍ଥିତି ପୂର୍ଣ୍ଣ କୁମ୍ଭ ସମୟକୁ ନିର୍ଦ୍ଧାରିତ କରିଥାଏ, ଯାହା ଏହାକୁ ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସମାବେଶରେ ପରିଣତ କରେ ।
ମହାକୁମ୍ଭ :
ମହାକୁମ୍ଭ ସବୁଠାରୁ ବିରଳ ତଥା ସର୍ବଶ୍ରେଷ୍ଠ । ପ୍ରତି ୧୪୪ ବର୍ଷ ପରେ ଆୟୋଜିତ ହୋଇଥିବା କୁମ୍ଭ ମେଳାକୁ ମହାକୁମ୍ଭ କୁହାଯାଏ । ଏହା କେବଳ ପ୍ରୟାଗରାଜ୍ ଠାରେ ଆୟୋଜିତ କରାଯାଏ । ମହାର ଅର୍ଥ ହେଉଛି "ମହାନ" । ୧୨ ବର୍ଷର ପୂର୍ଣ୍ଣ କୁମ୍ଭର ୧୨ ଚକ୍ର ପରେ ମହାକୁମ୍ଭ ପଡ଼ିଥାଏ, ଯାହା ଅତ୍ୟନ୍ତ ଶୁଭ ଗ୍ରହ ସ୍ଥିତି ସହିତ ସମାନ୍ତରାଳ ହୋଇଥାଏ । ସମଗ୍ର ପୃଥିବୀରୁ ସାଧୁସନ୍ଥ ଏବଂ ଆଧ୍ୟାତ୍ମିକ ସନ୍ଧାନକାରୀଙ୍କ ସମେତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରେ ମହାକୁମ୍ଭ ।
କୁମ୍ଭ ଆୟୋଜନର ପ୍ରକ୍ରିୟା
ପ୍ରତ୍ୟେକ ୧୨ ବର୍ଷରେ ପୂର୍ଣ୍ଣକୁମ୍ଭର ଆୟୋଜନ ହୋଇଥାଏ । ଧରାଯାଉ ଉଜ୍ଜୟନୀରେ କୁମ୍ଭର ଆୟୋଜନ ହେଉଛି, ତା’ର ୩ ବର୍ଷ ପରେ ହରିଦ୍ୱାରରେ, ତା’ର ୩ ବର୍ଷ ପରେ ପ୍ରୟାଗରାଜରେ, ତା’ର ପରବର୍ତ୍ତୀ ୩ ବର୍ଷ ପରେ ନାସିକରେ କୁମ୍ଭର ଆୟୋଜନ କରାଯିବ । ଏହାର ୩ ବର୍ଷ ପରେ ପୁଣି ଥରେ ଉଜ୍ଜୟନୀରେ କୁମ୍ଭର ଆୟୋଜନ ହେବ । ଏହିପରି ଯେତେବେଳେ ହରିଦ୍ୱାରା, ନାସିକ ଓ ପ୍ରୟାଗରାଜରେ ୧୨ ବର୍ଷ ପରେ କୁମ୍ଭର ଆୟୋଜନ କରାଯିବ, ତେବେ ତାକୁ ପୂର୍ଣ୍ଣକୁମ୍ଭ କୁହାଯିବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦେବତାଙ୍କ ୧୨ ଦିନ ମନୁଷ୍ୟଙ୍କର ୧୨ ବର୍ଷ ସହ ସମାନ । ଏଥିପାଇଁ ପୂର୍ଣ୍ଣ କୁମ୍ଭର ଆୟୋଜନ ମଧ୍ୟ ପ୍ରତ୍ୟେକ ୧୨ ବର୍ଷ ଅନ୍ତରରେ ଆୟୋଜିତ ହୋଇଥାଏ ।
ମହାକୁମ୍ଭ ବିଷୟରେ . .
ଧାର୍ମିକ ମାନ୍ୟତା ଅନୁସାରେ ପ୍ରତ୍ୟେକ ୧୪୪ ବର୍ଷରେ ପ୍ରୟାଗରାଜରେ ମହାକୁମ୍ଭର ଆୟୋଜନ କରାଯାଏ । ଏଇଠି ପ୍ରଶ୍ନ ଉଠେ ୧୪୪ ବର୍ଷ କିପରି ? ୧୨ ସହ ୧୨ ଗୁଣନ କଲେ ହୁଏ ୧୪୪ । ବାସ୍ତବ କଥା ହେଲା ୧୨ଟି କୁମ୍ଭ ରହିଛି, ଏଥିମଧ୍ୟରୁ ୪ଟି ପୃଥିବୀରେ ଓ ଶେଷ ୮ଟି ବେଦଲୋକରେ ଆୟୋଜିତ ହୁଏ । ଏଥିପାଇଁ ପ୍ରତ୍ୟେକ ୧୪୪ ବର୍ଷରେ ପ୍ରୟାଗରାଜରେ ମହାକୁମ୍ଭର ଆୟୋଜନ କରାଯାଏ । ଏଥିପାଇଁ ଅନ୍ୟ କୁମ୍ଭ ତୁଳନାରେ ମହାକୁମ୍ଭର ଅଧିକ ମାନ୍ୟତା ଥିବା କୁହାଯାଏ ।
ଗ୍ରହର ଗୋଚର ଓ ସ୍ଥାନ ସହ ଏମିତି ଯୋଡ଼ି ହୋଇଛି କୁମ୍ଭ
କୁମ୍ଭ ରାଶିରେ ବୃହସ୍ପତିଙ୍କ ପ୍ରବେଶରେ ଓ ମେଷ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶରେ ହରିଦ୍ୱାରରେ କୁମ୍ଭର ଆୟୋଜନ କରାଯାଏ । ହରିଦ୍ୱାର ଏବଂ ପ୍ରୟାଗରାଜରେ ଦୁଇଟି କୁମ୍ଭମେଳା ମଧ୍ୟରେ ୬ ବର୍ଷ ଅନ୍ତରାଳରେ ଅର୍ଦ୍ଧକୁମ୍ଭ ସଂଗଠିତ ହୁଏ । ସେହିପରି ମେଷ ରାଶି ଚକ୍ରରେ ବୃହସ୍ପତି ଓ ସୂର୍ଯ୍ୟ ଏବଂ ମକର ରାଶିର ଚନ୍ଦ୍ରର ପ୍ରବେଶରେ ଅମାବାସ୍ୟା ଦିନ ପ୍ରୟାଗରାଜରେ କୁମ୍ଭମେଳା ଆୟୋଜିତ ହୁଏ । ଅନ୍ୟ ଏକ ଗଣନା ଅନୁସାରେ ମକର ରାଶିରେ ସୂର୍ଯ୍ୟ ଏବଂ ବୃଷ ରାଶିରେ ବୃହସ୍ପତିଙ୍କ ପ୍ରବେଶରେ ପ୍ରୟାଗରେ କୁମ୍ଭପର୍ବ ଆୟୋଜିତ ହୋଇଥାଏ ।
ନାସିକ ଓ ଉଜ୍ଜୟନୀରେ କେତେବେଳେ ହୁଏ ?
ସିଂହ ରାଶିରେ ବୃହସ୍ପତିଙ୍କ ପ୍ରବେଶ ହେବା ପରେ କୁମ୍ଭ ପର୍ବ ଗୋଦାବରୀ କୂଳରେ ନାସିକରେ ଅନୁଷ୍ଠିତ ହୁଏ । ଅମାବାସ୍ୟା ଦିନ ବୃହସ୍ପତି, ସୂର୍ଯ୍ୟ ଓ ଚନ୍ଦ୍ର କର୍କଟ ରାଶିରେ ପ୍ରବେଶ କରିବା ଦ୍ୱାରା ଗୋଦାବରୀ କୂଳରେ କୁମ୍ଭମେଳା ହୋଇଥାଏ । ସେହିପରି ସିଂହ ରାଶିରେ ବୃହସ୍ପତି ଓ ମେଷ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ପରେ ଉଜ୍ଜୟନୀରେ ଅନୁଷ୍ଠିତ ହୁଏ କୁମ୍ଭ ପର୍ବ । ଏହା ବ୍ୟତୀତ କାର୍ତ୍ତିକ ଅମାବାସ୍ୟା ଦିନ ସୂର୍ଯ୍ୟ ଓ ଚନ୍ଦ୍ର ସାଥୀରେ ଥିଲେ ଏବଂ ତୁଳା ରାଶିରେ ବୃହସ୍ପତିଙ୍କ ପ୍ରବେଶରେ ମୋକ୍ଷଦାୟୀ କୁମ୍ଭ ଉଜ୍ଜୟନୀରେ ଆୟୋଜିତ ହୁଏ ।