• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଷଷ୍ଠୀରେ ଧରାବତରଣ, ଆଜି ସପ୍ତମୀରେ ମହାମାୟାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୁଖରିତ ଚତୁର୍ଦିଗ । ମାଆଙ୍କ ଆବାହନୀରେ କମ୍ପୁଛି ପୀଠ ଓ ମଣ୍ଡପ । ଆଜି ଟ୍ୱିନ ସିଟିର ବିଭିନ୍ନ ପୂଜା ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମାଆଙ୍କ ସପ୍ତମୀ ପୂଜା । ତା’ ସହିତ ମଣ୍ଡପକୁ ଭକ୍ତଙ୍କ ଗହଳି ବଢ଼ିବା ଆରମ୍ଭ ହୋଇଛି । ପୂଜା ଭିଡ଼ରେ କେମିତି କେମିତି ସତର୍କତା ଅବଲମ୍ବନ କରିବେ, ସେ ନେଇ ଭୁବନେଶ୍ୱର ଡିସିପି ପରାମର୍ଶ ରଖିଥିବା ବେଳେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା । ପରେ ଅନ୍ୟାନ୍ୟ ବିଧି ବିଧାନରେ ପୂଜାସହ ହୋଇଛି ଚଣ୍ଡିପାଠ । ଏପଟେ କମନୀୟ ରୂପ ଲାବଣ୍ୟରେ ଝଟକୁଥିବା ମାଆଙ୍କ ଦର୍ଶନ ଲାଗି ମଣ୍ଡପଗୁଡ଼ିକୁ ଧିରେ ଧିରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଗହଳି ।

ସେହିଭଳି ରାଜଧାନୀର ବିଭିନ୍ନ ମଣ୍ଡପରେ ବି ରୀତିନୀତିରେ ଅନୁଷ୍ଠିତ ହୋଇଛି ମାଆଙ୍କ ମହାସପ୍ତମୀ ପୂଜା । ପାଗ ଭଲ ଥିବାରୁ ସକାଳୁ ସକାଳୁ ମଣ୍ଡପ ମୁହାଁ ହୋଇଥିଲେ ଭକ୍ତ । ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ ସାଙ୍ଗକୁ ସୁସଜ୍ଜିତ ମେଢ, ସୁଉଚ୍ଚ ତୋରଣ ଓ ସୁନ୍ଦର ସାଜସଜାର ବେଶ୍ ମଜା ନେଇଛନ୍ତି ଦର୍ଶକ ।

କଟକରେ ସୁନା-ଚାନ୍ଦି ମେଢ଼ ଭଳି ଭୁବନେଶ୍ୱରରେ ଏ ବର୍ଷ ବି ତୋରଣକୁ ନେଇ ହୋଇଛି ନାନାଦି ଏକ୍ସପେରିମେଣ୍ଟ । ରସୁଲଗଡ଼, ଝାରପଡ଼ା, ବମିଖାଲ, ଷ୍ଟେସନ ବଜାର, ସହିଦ ନଗର ଏବଂ ନୟାପଲ୍ଲୀ ଭଳି ବହୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦର୍ଶକଙ୍କ ମନ ମୋହୁଛି । ଏପଟେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଏଥର ରାଜଧାନୀର କିଛି ଆଗଧାଡ଼ିର ପୂଜା ମଣ୍ଡପ ଆପଣାଇଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମଣ୍ଡପର ପ୍ରତି ସ୍ଥାନକୁ ସିସିଟିଭି ନଜରରେ ରଖିବା ସହ ଚୋରି, ଛିନତାଇ ଭଳି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପ୍ରବେଶ, ପ୍ରସ୍ଥାନ ଓ ପାର୍କିଂ ଆଦି ସ୍ଥାନକୁ ମଧ୍ୟ ସିସିଟିଭି ପରିସରଭୁକ୍ତ କରାଯାଇଛି ।

କିଛି ମଣ୍ଡପରେ ମହିଳା ଭକ୍ତଙ୍କ ସହଜ ଓ ସୁରକ୍ଷିତ ଦର୍ଶନ ପାଇଁ ମହିଳା ସ୍ୱେଚ୍ଛାସେବୀଙ୍କୁ ବି ନିୟୋଜିତ କରାଯାଇଛି । ଏପଟେ ପୂଜା ସମୟରେ ଘରୁ ପଦାକୁ ବାହାରିବା ବେଳେ ରାଜଧାନୀବାସୀ କିଭଳି ସତର୍କତା ଅବଲମ୍ବନ କରିବେ, ସେ ସମ୍ପର୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଟିପ୍ସ ଜାରି କରିଛନ୍ତି ଡିସିପି ।

  • Reported by:
  • SOUMYA RANJAN SAHOO