• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧରାପୃଷ୍ଠରେ ପୂଜା ପାଉଛନ୍ତି ମା ଶକ୍ତି ସ୍ୱରୂପିଣୀ । ଘଣ୍ଟ ଘଣ୍ଟା, ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ବିଧି ଅନୁସାରେ ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା । ୯ ଦିନିଆ ପୂଜାର ଆଜି ଶେଷ ଦିନ । ତେଣୁ ସବୁଠି ଭକ୍ତିମୟ ପରିବେଶ । ମହାନବମୀରେ ଜଗତଜନନୀଙ୍କ ଦର୍ଶନ କରି ଅପାର କରୁଣା ଲାଭ କରୁଛି ଭକ୍ତ। ପୂଜା ଯେତିକି ସରି ସରି ଆସୁଛି, ଲୋକଙ୍କ ମଧ୍ୟରେ ସେତିକି ବଢୁଛି ଉତ୍ସାହ ଉଦ୍ଦିପନା । ଟୁଇନ୍ ସିଟିରେ ପୂଜା ମାହୋଲ କାହିଁରେ କଣ । ସନ୍ଧ୍ୟା ହେବା ମାତ୍ରେ ଜନସମୁଦ୍ର ପାଲଟିଯାଉଛି ପୂଜା ପେଣ୍ଡାଲ ।

ଦଶଭୂଜାଙ୍କ ନବମୀ ପୂଜା ଅବସରରେ କଟକରେ ରହିଛି ଦହି ପଖାଳ ଭୋଗର ପରମ୍ପରା। ମହିଷାସୁରକୁ ବଧ କରିବା ପରେ ଉଗ୍ର ରୂପ ଧାରଣ କରିଥାନ୍ତି ମା ଦୁର୍ଗା। ତେଣୁ ଶୀତଳ ଦହି ଓ ଅନ୍ନ ଅର୍ପଣ କରି ଶାନ୍ତ କରାଯାଏ ମହାମାୟାଙ୍କୁ। ବର୍ଷ ବର୍ଷ ଧରି ମାଙ୍କ ପାଖରେ ଏଭଳି ଦହି ପଖାଳ ଭୋଗ କରୁଛି କଟକ ମଙ୍ଗଳାବାଗ ପୂଜା କମିଟି। ମାଆଙ୍କୁ ଅର୍ପଣ କରାଯାଉଥିବା ଏହି ସୁସ୍ୱାଦୁ ଦହି ପଖାଳର ପ୍ରସ୍ତୁତି ବି ନିଆରା ।

କେବଳ ଦହିପଖାଳ ନୁହେଁ କଟକରେ ନବମୀ ପୂଜାରେ ମାଙ୍କ ପାଖରେ ମାଛ ଭୋଗର ଅନନ୍ୟ ପରମ୍ପରା ବି ରହିଛି। ଅଲିଶା ବଜାର ପୂଜା ମଣ୍ଡପରେ ୨୦୦ ଶହ ବର୍ଷ ଧରି ଏହି ପରମ୍ପରା ଜାରି ରହିଛି । ଅଷ୍ଟମୀ ଦିନ ମାଙ୍କ ଆଜ୍ଞାମାଳ ଯାଇ କୈବର୍ତ୍ତ ଡଙ୍ଗାରେ ଲାଗିଲା ପରେ ଧୀବର ମାନେ ମାଛ ଧରିଥାନ୍ତି। ମାଆଙ୍କ ପାଖରେ ଭୋଗ ଲାଗି ପାଇଁ ମହାନଦୀରୁ ସ୍ୱତନ୍ତ୍ର ଭାବେ ଆସିଥାଏ ମାଛ । ଏଠାରେ ପାଖାପାଖି ୫ ହଜାର ଭକ୍ତଙ୍କ ପାଇଁ ପ୍ରତିବର୍ଷ ମାଛ ଭୋଗ ପ୍ରସ୍ତୁତ କରାଯାଉଛି ।

ନାରୀଙ୍କୁ ସମ୍ମାନ ହେଉ ଅବା କନ୍ୟା ରତ୍ନଙ୍କୁ ପୂଜା କରି ପୁଣ୍ୟ ଅର୍ଜନ। ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି କନ୍ୟା ପୂଜନ। ୯ ଜଣ କୁମାରୀ କନ୍ୟାଙ୍କୁ ନବଦୁର୍ଗା ରୂପରେ ପୂଜା କରାଯାଇଛି। ନବରାତ୍ର ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁ ନବକନ୍ୟାଙ୍କୁ ପୂଜା କଲେ ବ୍ରତ ସଫଳ ହୁଏ ବୋଲି ବିଶ୍ବାସ ରହିଛି। 

ସେପଟେ ପାଦରେ ଅଳତା ଓ ମଥାରେ ଚନ୍ଦନ ଦେଇ କନ୍ୟା ରତ୍ନଙ୍କୁ ବନ୍ଦନା କରାଯାଇଛି । ନବମୀ ତିଥିରେ ମା ଦୁର୍ଗାଙ୍କୁ ଆରାଧନା ପରେ କନ୍ୟା ପୂଜନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପିଲାଙ୍କୁ ନୂଆ ବସ୍ତ୍ର ଦେଇଛନ୍ତି, ଖାଦ୍ୟ ପରସିଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ନିଜ ବାସଭବନରେ ସ୍ୱତନ୍ତ୍ର କନ୍ୟା ପୂଜନର ଆୟୋଜନ କରିଛନ୍ତି । ଶିଶୁ କନ୍ୟାଙ୍କ ପାଦ ଧୋଇ, ପୂଜା କରି ନୂଆ ବସ୍ତ୍ର ପ୍ରଦାନ କରିଛନ୍ତି ।

ବିଶ୍ୱାସ ରହିଛି ମାଆ ଦୁର୍ଗାଙ୍କ ସନ୍ତୁଷ୍ଟି ଲାଗି ନବମୀ ତିଥିରେ କନ୍ୟା ପୂଜନ କଲେ ପୂଣ୍ୟ ମଳିଥାଏ । ତେଣୁ ନିଜ ବାସଭବନରେ ଶିଶୁ କନ୍ୟାଙ୍କୁ ପୂଜା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। କନ୍ୟା ରତ୍ନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିବା ସହ ସେମାନଙ୍କ ସହ ଏକାଠି ବସି ଖାଇଛନ୍ତି ମୁଖ୍ୟମନ୍ତ୍ରୀ ।