• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ହେଉଛି ପବିତ୍ର ଦୋଳ ଯାତ୍ରା ଅର୍ଥାତ ଦୋଳପୁର୍ଣ୍ଣିମା । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଯାତ୍ରା । ଆଉ ଦୋଳପୂର୍ଣ୍ଣିମାର ବିଶେଷତ୍ୱ ହେଉଛି ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳନ୍ତି । ଗୋଟିଏ ପଟେ ମହାପ୍ରଭୁ ସୁନାବେଶ ଦର୍ଶନ ଥିବା ବେଳେ ଅନ୍ୟପଟେ ସକାଳ ଧୁପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି ।

ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର । ମହାପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳନ୍ତି ଭକ୍ତ । ଉଭୟ ଭକ୍ତ ଆଉ ଭଗବାନ ଫଗୁର ରଙ୍ଗରେ ଏକାକାର ଦିଶୁଥାନ୍ତି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।

ସେପଟେ ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ସୁନା ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜୀୟୁ । ନିତି ନିର୍ଘଣ୍ଟ ଅନୁସାରେ ଭୋର ସାଢେ ତିନିଟା ସମୟରେ ଭିତର ଛଅ ଦ୍ୱାର ଫିଟା ନିତି ସାରିବା ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ହୋଇଥାଏ । ଏହା ସରିବା ପରେ ମହାପ୍ରଭୁଙ୍କର ସୁନା ବେଶ ହୋଇଥାଏ । କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ହରିଡା ମାଳ, ତବିଜ ମାଳ ଆଦି ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ସକାଳଧୁପ ବଢିବା ପରେ ମହାପ୍ରଭୁ ଅତି ଚମତ୍କାର ବେଶ ସୁନାବେଶରେ ଦର୍ଶନ ଦେଇଥାନ୍ତି । କୋଭିଡ୍ କଟକଣା ଥିବାରୁ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବେ ହଜାର ହଜାର ଭକ୍ତ ।