• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଶୀତଳଷଷ୍ଠୀ ଅବସରରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି । ଦେବ ଦେବ ମହାଦେବ ଧରିଛନ୍ତି ଦେବୀ ପାର୍ବତୀଙ୍କ ହାତ । ପାରମ୍ପରିକ ରୀତିନୀତି ସହ ବେଦୀରେ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ବାହାଘର ହୋଇଛି । ସକାଳ ସୁଦ୍ଧା କିଛି ପଡ଼ାରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ଆଉ କିଛି ପଡାରେ ବିବାହ ଚାଲିଛି। ଆଜି ଦେବ ଦମ୍ପତ୍ତିଙ୍କର ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ।

ଅଧିକ ପଢ଼ନ୍ତୁ: ଶିବ-ପାର୍ବତୀଙ୍କ ମିଳନକୁ କାହିଁକି କୁହାଯାଏ ଶୀତଳ ଷଷ୍ଠୀ ?

ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଶିବାଳୟରୁ ଭୋଳାବାବା ବରଯାତ୍ରୀମାନଙ୍କୁ ସାଙ୍ଗରେ ଧରି ବିବାହ ଶୋଭାଯାତ୍ରାରେ ବାହାରି ଥିଲେ। ଏଥିପାଇଁ ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ବିମାନରେ ଆସୀନ କରାଯାଇଥିଲା। ପରେ ମହା ଆଳତି ଓ ବନ୍ଦାପନା ହୋଇଥିଲା। ବାଜା,ବାଣ ଓ ରୋଷଣୀ ସହ ନାଚଗୀତରେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଯାଇଥିଲା।

ଅଧିକ ପଢ଼ନ୍ତୁ: କେବେ ଓ କାହିଁକି ପାଳନ ହୁଏ ଶୀତଳଷଷ୍ଠୀ ? କେଉଁଠୁ ହୋଇଥିଲା ଆରମ୍ଭ, ଜାଣନ୍ତୁ...

ଖୁବ୍‌ ଜାକଜମକରେ ବିବାହ ଶୋଭାଯାତ୍ରା ଗୋଟିଏ ପରେ ଗୋଟିଏ ପଡା ଅତିକ୍ରମ କରି କନ୍ୟା ଘରେ ପହଞ୍ଚିଥିଲା । ବାଟବରଣୀ ପରେ ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ବିବାହ ସମ୍ପନ୍ନ ହୋଇଛି ।

ମହାପ୍ରଭୁଙ୍କ ମୁକୁଟ ତ୍ରିପଣି ଲାଗି ହେବା ପରେ ପାଲିଙ୍କି ବିମାନରେ ବିଜେ କରିଥିଲେ । ଏହାପରେ ବିରାଟ ଶୋଭାଯାତ୍ରାରେ କେଦାରଗୌରୀ ମନ୍ଦିରକୁ ଯାଇଥିଲେ ମହାପ୍ରଭୁ ଲିଙ୍ଗରାଜ। ବାଟବରଣି କରି ମହାପ୍ରଭୁ ଲିଙ୍ଗରାଜଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମନ୍ତ୍ର ଉଚ୍ଚାରଣ ସହ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ କରାଯାଇଥିଲା।