ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ । ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ । ପାଗ ଅନୁକୂଳ ଥିବାରୁ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Also Read
ଅଧିକ ପଢ଼ନ୍ତୁ: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ, ଚକା ଆଖିରେ ଆଖି ମିଶାଇ ଗଦଗଦ ମୁଖ୍ୟମନ୍ତ୍ରୀ
ସ୍ନାନ ମଣ୍ଡପରେ ଦାରୁଦିଅଁ । ହାତୀ ବା ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଇଏ ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି...ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳନରେ, ରତ୍ନବେଦୀରୁ ଧାଡ଼ିପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଶ୍ରୀଜିଉ । ଆଗ ଚକ୍ରରାଜ ସୁଦର୍ଶନ, ତା ପରେ ବଡ଼ଭାଇ ବଡ଼ଠାକୁର ବଳଭଦ୍ର, ଗେହ୍ଲି ଭଉଣୀ ସୁଭଦ୍ରା । ଆଉ ଶେଷରେ ହଲିଝୁଲି ମଞ୍ଚସ୍ନାନ ପାଇଁ ସ୍ନାନବେଦୀ ବିଜେ କରିଥିଲେ କାଳିଆ ସାଆନ୍ତ । ବିଭିନ୍ନ ନୀତିକାନ୍ତି ପରେ ସୁନାକୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସଂପନ୍ନ ହୋଇଥିଲା ଶ୍ରୀଜିଉଙ୍କ ସ୍ନାନ । ପରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଛେରା ପହଁରା କରିଥିଲେ । ଏହାପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ହାତୀବେଶରେ ସଜ୍ଜିତ ହୋଇଥିଲେ ତିନିଠାକୁର ।
ପହଣ୍ଡି ନୀତି ସକାଳ ୫ଟାରୁ ୭ଟା ଭିତରେ ସାରିବାକୁ ନୀତି ନିର୍ଘଣ୍ଟ ଥିଲେ ବି ତାହା ହୋଇ ପାରିନଥିଲା । ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା । ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ଚାଲି ପାଖାପାଖି ସକାଳ ୯ଟାରେ ସଂପନ୍ନ ହୋଇଥିଲା। ଫଳରେ ସେଇକ୍ରମରେ ଅନ୍ୟାନ୍ୟ ନୀତିରେ ବି ବିଳମ୍ବ ଘଟିଥିଲା ।
ଭକ୍ତ ଗହଣରେ ଭାବଗ୍ରାହୀଙ୍କୁ ଦିବ୍ୟସ୍ନାନ ଯାତ୍ରା ପାଇଁ ଟ୍ରାଫିକ୍ଠୁ ନେଇ ଆଇନ୍ ଶୃଙ୍ଖଳା...ପ୍ରବଳ ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭକ୍ତଙ୍କ ଉପରେ ଜଳ ସିଞ୍ଚନ...ସବୁ କିଛିକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଥିଲା ପୋଲିସ ପ୍ରଶାସନ । ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ହେତୁ ଶ୍ରୀଜିଉଙ୍କୁ ଜ୍ୱର ଆସିଥାଏ। ତେଣୁ ଆସନ୍ତାକାଲିଠୁ ଜ୍ବରରେ ପୀଡ଼ିତ ହୋଇ ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ପଜା ପାଇବେ ପଟିଦିଅଁ । ଆଉ ରତ୍ନସିଂହାସନରେ କାଳିଆ ସାଆଁନ୍ତଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ନପାଇ ଭକ୍ତ ଧାଇଁବେ ବ୍ରହ୍ମଗିରିର ଶ୍ର୍ରୀ ଅଲାରନାଥ ପୀଠ ।