• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଂସଙ୍କ ପ୍ରବଳ ପ୍ରତାପରେ ଥରହର ହେଉଛି ମଥୁରା ନଗରୀ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଗତକାଲି ଅଭିନୀତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମ । ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି । ବାଟରେ ଉଗ୍ରସେନଙ୍କ ସହିତ ଦେଖା ହୋଇଛି । ମୃତ୍ୟୁ ଭୟରୁ ବାହାରି ପାରୁ ନାହାନ୍ତି ମହାରାଜା କଂସ । ଭଉଣୀ ଦେବକୀଙ୍କ ଗର୍ଭରୁ ଜାତ ୬ ଶିଶୁଙ୍କୁ ହତ୍ୟା ପରେ ମଧ୍ୟ ମଉଳିନି ରାକ୍ଷସ ପ୍ରବୃତ୍ତି ।

ଅନ୍ୟପଟେ ପ୍ରଭୁଙ୍କ ଅପାର କରୁଣାରୁ ୭ମ ଗର୍ଭ ହରଣ ପରେ ଅଷ୍ଟମ ଗର୍ଭରେ ପ୍ରଭୁଙ୍କର ଆବିର୍ଭାବ ଘଟିଥିଲା । ନବଜାତ କୃଷ୍ଣଙ୍କୁ ନେଇ ଗୋପପୁରରେ ଛାଡ଼ି ଆସିଛନ୍ତି ବାସୁଦେବ । ଏକ ଅଲୌକିକ ପ୍ରକ୍ରିୟାରେ ସପ୍ତମ ଗର୍ଭ ଦେବକୀଙ୍କ ପାଖରୁ ହରଣ ହୋଇ ବସୁଦେବଙ୍କର ଦ୍ୱିତୀୟ ପତ୍ନୀ ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହୋଇଛି ।

ଜଗତକର୍ତ୍ତାଙ୍କ ମାୟାବଳରେ କାରାଗାରର ସମସ୍ତ ରକ୍ଷୀ ଘୋର ନିଦ୍ରାରେ ଶୋଇଯିବା ପରେ ବନ୍ଦୀଶାଳାର ଦ୍ୱାର ଆପେ ଆପେ ଖୋଲି ଯାଇଛି । ଉଛୁଳା ଯମୁନା ନଦୀରେ ଯିବାକୁ ଉଦ୍ୟତ ହେବାବେଳେ ପୁଣି ଘଟିଥିଲା ଚମତ୍କାର । ପ୍ରଭୁଙ୍କୁ ଦେଖି ବାଟ ଛାଡ଼ି ଦେଇଥିଲା ଯମୁନା । ଭୀଷଣ ବର୍ଷାରେ କୃଷ୍ଣଙ୍କୁ ନେଇ ଗୋପପୁରକୁ ନେଇ ଯାତ୍ରା କରିଥିଲେ ବସୁଦେବ ।

ଗୋପପୁରରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳି କନ୍ୟାଙ୍କୁ ଧରି ଫେରିଛନ୍ତି ବସୁଦେବ । ଏହି ସବୁ ପ୍ରକ୍ରିୟା ମଧ୍ୟରେ ଆଜି ଅଭିନୀତ ହେବ ଗୋପପୁରରେ ନନ୍ଦୋତ୍ସବ, ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ । ନାରଦଙ୍କ ପରାମର୍ଶକ୍ରମେ କଂସଙ୍କ ଦ୍ୱାରା ଗୋପପୁରକୁ ପୁତନା ରାକ୍ଷସୀଙ୍କ ସହିତ ମଲ୍ଲ ପ୍ରେରଣ କରାଯିବ ।

ସେପଟେ କଂସ ମହାରାଜ ନଗର ପରିକ୍ରମା କରି ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି । ପ୍ରଜାଙ୍କ ମନୋରଂଜନ ପାଇଁ ରଙ୍ଗ ମହଲର ଉଦଘାଟନ କରିଛନ୍ତି । ସେଠାରେ ଜମିଛି ନୃତ୍ୟଗୀତର ଆସର ।