• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚଳଚଞ୍ଚଳ ଯାଜପୁରର ହରିପୁର । ପ୍ରସିଦ୍ଧ ରାହାସ ଯାତ୍ରା ଲାଗି ଉଠୁଛି ପଡ଼ୁଛି ସାରା ଅଞ୍ଚଳ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରତିଦିନ ଶହଶହ ଲୋକଙ୍କ ସମାଗମ ହେଉଛି । ମଠ ମନ୍ଦିର ଏବଂ କୁଞ୍ଜରେ ପୂଜା ପାଇଛନ୍ତି ରାଧାକୃଷ୍ଣ ଏବଂ ମଦନମୋହନ ।

ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ । କାହିଁ କେଉଁ କାଳରୁ ଏହି ପରଂପରା ଚାଲି ଆସୁଥିବାବେଳେ ଯାତ୍ରା ଦେଖିବାକୁ ଆଖପାଖ ଅଂଚଳ ସହ ଜିଲା ବାହାରୁ ଲୋକଙ୍କ ସୁଅ ଛୁଟିଥାଏ । କାରିଗରମାନେ ଅନେକ ଦିନ ଆଗରୁ ଲାଗିପଡିଥାନ୍ତି କୁଂଜ ଓ ମୂର୍ତ୍ତି ତିଆରି କାମରେ । ତେବେ ଚଳିତ ବର୍ଷ ଏହି ଯାତ୍ରା ଆଡମ୍ବର ସହକାରେ ପାଳନ କରାଯାଉଛି ।

କିମ୍ବଦନ୍ତୀ ଅନୁସାରେ ପଂଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏଇଠି କିଛି ସମୟ ଅଟକିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ବାନ୍ଧି ରଖିଥିଲେ । ସେବେ ଠାରୁ ଏହି ଅଂଚଳରେ ପାଳିତ ହୋଇ ଆସୁଛି ରାହାସ ଯାତ୍ରା । ଆଉ ଏଥିପାଇଁ ଜନଗହଳିକୁ ନଜରରେ ରଖି ଅନେକ ବ୍ୟବସାୟିକ ଷ୍ଟଲ ଖୋଲିଥିବାବେଳେ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏଥିସହ ଅପେରା ପାର୍ଟି ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ।

ତେବେ ପରମ୍ପରାକୁ ସମ୍ମାନ ଜଣାଇ ଅନେକ ବର୍ଷ ଧରି ଚାଲିଆସୁଛି ଏହି ଯାତ୍ରା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାହାସ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • Reported by:
  • Gulam