• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉଠିଲା ବାବା ଲିଙ୍ଗରାଜଙ୍କ  ପୀଠରେ ମହାଦୀପ । ବାବାଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ରୀତିନୀତି ଅନୁସାରେ ମନ୍ଦିର ଚୂଡାକୁ ମହାଦୀପ ଉଠାଯାଇଛି । ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୩ ଘଣ୍ଟା ବିଳମ୍ୱ ହୋଇଥିଲେ ମଧ୍ୟ ବାବା ଲିଙ୍କରାଜଙ୍କ ମହାଦୀପ ଶାନ୍ତିଶୃଙ୍ଖଳାରେ ଉଠାଯାଇଛି ।  ଆଜି ପବିତ୍ର ମହାଶିବରାତ୍ରି ଥିବାରୁ ବାବାଙ୍କ ପୀଠରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ସାରା ରାଜ୍ୟରେ ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତ ମାନେ ମହାଦୀପକୁ ଅପେକ୍ଷା କରିଥିବା ବେଳେ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିଛି । ଆଜି ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ସଂଧ୍ୟା ନଇଁବା ପରେ ଜନ ସମୁଦ୍ର ପାଲଟିଥିଲା ଲିଙ୍ଗରାଜଙ୍କ ପୀଠରେ । ନିର୍ଜଳ ଉପବାସ ରଖିବା ସହ ହଜାର ହଜାର ଭକ୍ତ ଦୀପ ଜାଳି ଶିବଙ୍କ ଉପାସନାରେ ମଗ୍ନ ରହିଥିଲେ । ସମସ୍ତେ ମହାଦୀପ ଉଠିବାକୁ ଅପେକ୍ଷା ବି କରିଥିଲେ ।

ସେହିପରି ପୁରୀ ଲୋକନାଥ ପୀଠରେ ବି ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଧୂପ, ଦୀପ ଓ ନୈବେଦ୍ୟ ଦେଇ ବାବା ଲୋକନାଥଙ୍କ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ । ଏଠି ଶିବରାତ୍ରୀ ଅବସରରେ ହରିହର ଭେଟର ଅପୂର୍ବ ପରମ୍ପରା ବି ରହିଛି । ମହାପ୍ରଭୁ ଲୋକନାଥ ଶ୍ରୀମନ୍ଦିରରୁ ପଂକ୍ତି ଭୋଗ ସାରି ରାତି ୧୧ଟା ଭିତରେ ଲୋକନାଥ ମନ୍ଦିରରେ ପହଞ୍ଚିବା ପରେ ସଂପନ୍ନ ହେବ ଏହି ନୀତି । ଏହାପରେ ରାତି ୩ଟା ପାଖାପାଖି ଉଠିବ ମହାଦୀପ ।

ଅନ୍ୟପକ୍ଷରେ ଜାଗରରେ ଭଦ୍ରକର ଆରଡ଼ି ଧାମ ବି ଲୋକାରଣ୍ୟ ହୋଇଉଠିଛି । ଏଠାରେ ଭୋର ୩ଟା ୧୫ରେ ମହାଦୀପ ଉଠିବାକୁ ଥିବାରୁ ସେହି ସମୟଙ୍କୁ ଅପେକ୍ଷା କରିଛନ୍ତି ଭକ୍ତବୃନ୍ଦ । ଏପଟେ ଭକ୍ତଙ୍କ ଗହଳିଚହଳି ଭିତରେ ପୂରି ଉଠୁଛି କଟକର ଧବଳେଶ୍ୱର ପୀଠ । ଏଥର ଝୁଲା ପୋଲ କିମ୍ବା ଡଙ୍ଗା ନୁହେଁ, ମହାନଦୀ ଭିତର ଦେଇ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।