• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅପେକ୍ଷାର ହେଲା ଅନ୍ତ । ଅନବସର ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୦ ମିନିଟ ପୂର୍ବରୁ ପାରିମାଣିକ ଓ ସର୍ବସାଧାରଣ ଦର୍ଶନ ବେଶ୍ ସମ୍ପନ୍ନ ହୋଇଥିଲା । ଏବେ କେବଳ ଅପେକ୍ଷା ଆସନ୍ତାକାଲିକୁ । ଯେତେବେଳେ ଭକ୍ତ ଏବଂ ଭଗବାନଙ୍କ ମିଳନରେ ଉତ୍ସବମୁଖର ହୋଇଉଠିବ ବଡ଼ଦାଣ୍ଡ, ଭକ୍ତିମୟ ପରିବେଶରେ ପୂରି ଉଠିବ ସାରା ଶ୍ରୀକ୍ଷେତ୍ର ।

ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ । ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅତି ପାଖରେ ପାଇ କୁଣ୍ଢେମୋଟ ଶ୍ରଦ୍ଧାଳୁର ମନ ଆଉ ପ୍ରାଣ । କିଏ ଦୁଃଖନାଶନଙ୍କୁ ନିଜ ଦୁଃଖ ବଖାଣିଛନ୍ତି ତ ଆଉ କିଏ ଭାବବିନୋଦିଆଙ୍କୁ ଯୋଡ଼ହସ୍ତ ମୁଦ୍ରାରେ ପ୍ରକାଶ କରୁଛନ୍ତି ମନର ଭାବ ଆଉ ଆବେଗକୁ । ୧୫ ଦିନର ଅଣସର ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ ।

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ନବଯୌବନ ବେଶରେ ଚକା ଆଖିକୁ ଦେଖି ଭକ୍ତ ହୋଇ ପଡ଼ିଥିଲେ ଭାବବିହ୍ୱଳ ଭକ୍ତ, ଶ୍ରଦ୍ଧାଳୁ ଏବଂ ସେବାୟତ ।

ନବଯୌବନ ଦର୍ଶନ ପାଇଁ ସିଂହଦ୍ୱାରରେ ବ୍ୟାରିକେଡ୍ ମାଧ୍ୟମରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିଲା । ସର୍ବସାଧାରଣ ଦର୍ଶନ ପରେ ଧୂଆଧୋଇ ହୋଇ ଚୂନ ପଡ଼ିଥିଲା ଓ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା ହୋଇଥିଲା । ରଥଯାତ୍ରା ପାଇଁ ଆଜି ମହାପ୍ରଭୁଙ୍କ ଅନେକ ବିଶେଷ ନୀତିକାନ୍ତି ଥିବାରୁ ସାଢ଼େ ୧୧ଟାରେ ବନ୍ଦ ରହିଥିଲା ଦର୍ଶନ । ଏପଟେ କିନ୍ତୁ ଉଛୁଳୁଛି ଶ୍ରୀମନ୍ଦିର ପରିସର, କମ୍ପୁଛି ବଡ଼ଦାଣ୍ଡ । ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭଜନ କୀର୍ତ୍ତନରେ କମ୍ପୁଛି ସାରା ଶ୍ରୀକ୍ଷେତ୍ର ।

ଅପଲକ ନୟନରେ ଚାହିଁ ରହିଛି, ସେହି ସିଂହଦ୍ୱାରକୁ । ଯେଉଁ ବାଟ ଦେଇ ଆସନ୍ତାକାଲି ବଡ଼ଭାଇ ବଳଭଦ୍ର ଏବଂ ସୁନାନାକି ଭଉଣୀ ସୁଭଦ୍ରାଙ୍କୁ ଧରି ବାହାରିବେ ମହାବାହୁ । ଆଉ ମାଉସୀ ମା’ଙ୍କ ଘରକୁ ଯିବେ ୩ ଭାଇ ଭାଉଣୀ । ତା’ପୂର୍ବରୁ ଆଜି ନବଯୌବନ ଦର୍ଶନ କରି ସାନ୍ନିଧ୍ୟ ପାଇଥିବା ଭକ୍ତ ପ୍ରାଣ ଏବେ ବିଭୋର ହୋଇଛି ବଡ଼ଦାଣ୍ଡରେ ।

ପୁରୀ ସହରରେ ଆଜି ଆଂଶିକ ମେଘାଛନ୍ନ ସହ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଥିବାରୁ ପୂର୍ବ ଅପେକ୍ଷା ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ତଥାପି ଖରା ସହ ଗୁଳୁଗୁଳିରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଶ୍ୱସ୍ତି ପାଇଁ ଛତା, ସେଡ୍ ସହ ପାନୀୟ ଜଳ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ତା’ସହ କହିଛନ୍ତି, ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ମଧ୍ୟ କରାଯିବ । ସହ ବିଦ୍ୟୁତକାଟ ଯେପରି ନହୁଏ, ସେଥିଲାଗି TPCODL ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ସହର ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ TPCODLକୁ କୁହାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । TPCODL ମଧ୍ୟ କହିଛି, ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୫ଶହ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଏସବୁ ଭିତରେ ଏବେ ଅପେକ୍ଷା, ଭକ୍ତଙ୍କ ଗହଣରେ ଆସନ୍ତାକାଲିର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ।

  • Reported by:
  • PRADEEP MAHANTY , MADHUSUDAN MISHRA