Advertisment

ପଞ୍ଚୁକରେ ଅବଢ଼ା ରେଟ୍ ଡବଲ୍, ଚଢ଼ା ଦରରେ ଭକ୍ତଙ୍କୁ ଶୋଷଣ

ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିିଛି

author-image
Chandan Shishu
Puri Mahaprasad

Puri Mahaprasad

ଅବଢ଼ା ଡବଲ୍ ରେଟ୍। ପଞ୍ଚୁକରେ ଭକ୍ତଙ୍କୁ ମାରୁଛି କରେଣ୍ଟ। ଅନ୍ନ, ଡାଲି, ବେସର, ମହୁର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଯାହାକୁ ହାତ ମାରିବ, ଛୋଟ କୁଡୁଆଟାକୁ ବି ଶହେ। ବଡ଼ କୁଡୁଆ ଦର ନକହିବା ଭଲ ଅଢ଼େଇ ଶହ ତଳକୁ କିଛି ନାହିଁ। ସେଥିରେ ପୁଣି ଇଚ୍ଛା ପାଇଲେ ନିଅ, ନହେଲେ ଯାଅ କାର୍ତ୍ତିକ ଆରମ୍ଭରେ ମହାପ୍ରସାଦ ଦର ଯାହା ଥିଲା, ପଞ୍ଚୁକ ବେଳକୁ ଧାଏଁ କରି ଦୁଇଗୁଣା ବଢ଼ିଗଲା ଅବଢ଼ାର ଏ ବେଲଗାମ୍ ଦର ଶୁଣି ସାଧାରଣ ଭକ୍ତଟିଏ ଆଉ ପେଟପୁରା ଖାଇବାକୁ କି ଘରକୁ ଟିକେ କିଣି ନେବାକୁ ବି ମନ କରୁନି।

Advertisment

ତେଣେ ଅବଢ଼ାର ଏ ଅମୂଲ ମୂଲ ଦର ପାଇଁ ଦଲାଲ ରାଜକୁ ବି ଦାୟୀ କରୁଛନ୍ତି ଭକ୍ତ ଓ ସୁଆର ସେବକ। ଯେହେତୁ ଏବେ କେବଳ ସିଂହଦ୍ୱାର ବ୍ୟାରିକେଡ୍ ଦେଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉଛି ଓ ବାକି ତିନି ଦ୍ୱାର ବନ୍ଦ ରହିଛି, ତେଣୁ ଆନନ୍ଦ ବଜାର ଯାଇ କେବଳ ଅବଢ଼ା କିଣିବା ସମ୍ଭବ ହେଉନି ଯାହାର ଭରପୁର ଫାଇଦା ଉଠାଉଛନ୍ତି ଦଲାଲ। ଆନନ୍ଦବଜାରରୁ କମ୍ ଦରରେ ଅବଢ଼ା କିଣି ଆଣି ଉତ୍ତରଦ୍ୱାର ଆଗରେ ଚଢ଼ା ଦରରେ ବିକୁଛନ୍ତି। ଭକ୍ତ ବାଧ୍ୟ ହୋଇ ଏମିତି ଅବସ୍ଥାରେ ମହାପ୍ରସାଦ ପାଉଛନ୍ତି, ଯାହାକୁ ନେଇ ବଢିଛି ଅସନ୍ତୋଷ। ସୁଆର ମହାସୁଆର ନିଯୋଗ ସଂପାଦକ କହିଛନ୍ତି ଉତ୍ତର ଦ୍ୱାରରୁ ଦଲାଲଙ୍କୁ ହଟାଯାଉ ଓ ଭକ୍ତଙ୍କୁ ସେପଟେ ଆନନ୍ଦବଜାରକୁ ଛଡ଼ାଯାଉ। ଜିଲ୍ଲାପାଳ କହିଛନ୍ତି ଅନୁଧ୍ୟାନ କରିବୁ।

ଏଣେ ପଞ୍ଚୁକ ଦ୍ୱିତୀୟ ଦିନରେ ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିିଛି। ହଜାର ହଜାର ଦର୍ଶନାର୍ଥୀ ବ୍ୟାରିକେଡ୍ ଦେଇ ମନ୍ଦିର ପ୍ରବେଶ କରୁଛନ୍ତି। ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ୍ ଲାଗିଛି। ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ାଯାଉଛି। ତେବେ ଗତକାଲି ଯେପରି ନୀତି ବିଳମ୍ବ ଯୋଗୁଁ ଦର୍ଶନାର୍ଥୀଙ୍କୁ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍‌ରେ କଲବଲ ହେବାକୁ ପଡ଼ିଲା, ତାର ପୁନରାବୃତ୍ତି ରୋକିବାକୁ ଯତ୍ନବାନ ହୋଇଛି ଜିଲ୍ଲା ପ୍ରଶାସନ। ନିଜେ ଜିଲ୍ଲାପାଳ ଆଜି ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରି କହିଛନ୍ତି-ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ବ୍ୟାରିକେଡକୁ ମରିଚିକୋଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।

Advertisment

ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ ସହ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ଯେପରି ଅଧିକରୁ ଅଧିକ ସଂଖ୍ୟାରେ ଭକ୍ତ ବିନାଦ୍ୱିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ସମନ୍ବୟ ରଖି ଟିମ୍ ଓ୍ୱାର୍କରେ କାମ ଚାଲିଛି। ନୀତିକାନ୍ତିରେ ବି ଶୃଙ୍ଖଳା ଆଣିବାକୁ କୁହାଯାଇଛି। ପଞ୍ଚୁକର ଦ୍ୱିତୀୟ ଦିନରେ ଆଜି ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଖୋସା ଯାଇଛି ଯାହାକୁ ଦେଖି ଭକ୍ତ ବିହ୍ବଳିତ ହୋଇଛନ୍ତି।

ଏପଟେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ବି ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଲକ୍ଷ୍ମୀନୃସିଂହ ବେଶ ପରେ କାର୍ତ୍ତିକ ପୂର୍ଣ୍ଣମୀରେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ ମହାପ୍ରଭୁ ଯାହାକୁ ଦର୍ଶନ ଲାଗି ଭିଡ଼ ଆହୁରି ବଢ଼ିବା ସମ୍ଭାବନା ରହିଛି।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ର)

Srimandir Abadha
Advertisment
Advertisment