Advertisment

ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି

ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ।

author-image
Sujit kumar Swain
undefined

Confusion Over Calendar and Almanac for Diwali

ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ହଟୁନି ଦ୍ବନ୍ଦ୍ବ। ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ ନୀତି ହେବାକୁ ଥିବା ବେଳେ, ଅନେକ ଆଜି ପୟାଶ୍ରାଦ୍ଧ ସହ ବଡ଼ବଡୁଆ ଡାକିଛନ୍ତି । ପଞ୍ଜିକାରଙ୍କ ଭିତରେ ସମନ୍ବୟ ଅଭାବରୁ ବାରମ୍ବାର ଏଭଳି ସ୍ଥିତି ଉପୁଜୁଥିବାରୁ ଏକ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଜ୍ୟୋତିର୍ବିଦ୍ ଓ ପଞ୍ଜିକାର। 

Advertisment

ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ। ପଞ୍ଜିକା ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଆଜି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ କାଲି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି। ହେଲେ ଜ୍ୟୋତିର୍ବିଦ୍ ଓ ଗବେଷକଙ୍କ ମତ, ଆଜି ଅପରାହ୍ଣ ସାଢ଼େ 3ଟା ପରେ ଅମାବାସ୍ୟା ପ୍ରବେଶ କରିଥିବାରୁ ଆଜି ବଡ଼ବଡୁଆ ଡାକ ନାହିଁ। ଅପରପକ୍ଷେ ଚତୁର୍ଦ୍ଦଶୀ ଥିବାରୁ ଆଜି ରାତିରୁ କେବଳ କାଳୀପୂଜା ହେବା କଥା। ଅମାବାସ୍ୟା ତିଥି ଆସନ୍ତାକାଲି ଉଭୟ ସକାଳ ଓ ସଂଧ୍ୟା ଯାଏଁ ରହୁଥିବାରୁ କାଲି ହିଁ ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ସ୍ଥିର ହୋଇଛି। କିନ୍ତୁ ପଞ୍ଜିକା ବିଭ୍ରାନ୍ତିରୁ ପର୍ବପର୍ବାଣୀ ପାଳନରେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି। ଏହା ଉପରେ ଆଇନମନ୍ତ୍ରୀ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ସମସ୍ତ ହସ୍ତକ୍ଷେପ କରି ବାଟ ବାହାର କରିବାକୁ ଦାବି କରିଛନ୍ତି ଜ୍ୟୋତିର୍ବିଦ୍।

ଏପଟେ ନଭେମ୍ବର ୧ରେ ଦୀପାବଳି ଓ ପୟାଶ୍ରାଦ୍ଧ ବିଧିସମ୍ମତ ଦର୍ଶାଇଛି ପୂଜାପଣ୍ଡା ନିଯୋଗ । ଏନେଇ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଏକ ଚିଠି କରାଯାଇ ଦର୍ଶାଯାଇଛି ଯେ, ତିଥି ନକ୍ଷତ୍ରକୁ ନେଇ ଥିବା ଦ୍ବନ୍ଦ୍ବ ଦୂର ପାଇଁ ଏକ ପଞ୍ଜିକା ସମନ୍ବୟ କମିଟି ରହିଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏଇ କମିଟିରେ ମୁକ୍ତିମଣ୍ଡପ ପଣ୍ଡିତ ସଭା, ଦଇତାପତି ନିଯୋଗ, ପୂଜାପଣ୍ଡା ନିଯୋଗ, ଗଜପତିଙ୍କ ପ୍ରତିନିଧି, ଗବେଷକ, ପଞ୍ଜିକାର ଗଣନାକାର, ପ୍ରକାଶକମାନଙ୍କ ଉପସ୍ଥିତିରେ ପାଣ୍ଡୁଲିପିର ତର୍ଜମା କରାଯାଇ ପଞ୍ଜିକା ସବୁ ପ୍ରକାଶ ପାଏ। କିନ୍ତୁ ସବୁ ଗଣନାକାର ଓ ପ୍ରଶାସକ ଏଇ ସମନ୍ବୟ ବୈଠକକୁ ଆସୁ ନଥିବାରୁ ପଞ୍ଜିକା ପଞ୍ଜିକା ଭିତରେ ସାମଞ୍ଜସ୍ୟ ରହୁନି, ପର୍ବପର୍ବାଣୀ ତିଥି ନିର୍ଦ୍ଧାରଣ ଭିନ୍ନ ଭିନ୍ନ ରହୁଛି। 

Advertisment

ତେଣୁ ଏସବୁର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପ୍ରୟାସ କରାଯାଉ ବୋଲି ଦାବି କରିଛି ପୂଜାପଣ୍ଡା ନିଯୋଗ। ପଞ୍ଜିକାର ମଧ୍ୟ ପର୍ବପର୍ବାଣୀ ତିଥି ନିର୍ଦ୍ଧାରଣରେ ଏକମତ ପାଇଁ ସରକାରଙ୍କ ସହଯୋଗ ଚାହିଁଛନ୍ତି । ପ୍ରତିଥର ପର୍ବପର୍ବାଣୀ ପାଳନ ବେଳେ ଏ ତିଥି ଦ୍ବନ୍ଦ୍ବରୁ କେବେ ମୁକ୍ତି ମିଳୁଛି ଏବଂ ପ୍ରକାଶିତ ପାଞ୍ଜିଗୁଡ଼ିକରେ କେବେ ଏକମତ ଆସୁଛି ତା ଉପରେ ନଜର ।

Diwali Diwali Celebrations
Advertisment
Advertisment