ଛାଡ଼ଖାଇ ବୋଲି ପ୍ରବଳ ଗହଳି, ଉଚ୍ଚା ରେଟ୍‌କୁ ବି ଖାତିର ନାହିଁ..!

କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।

Chhadakhai

ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ଜୟପୁର, ବାଲେଶ୍ୱର । ରାଜ୍ୟର ସବୁ ସହରାଞ୍ଚଳ ଆମିଷ ବଜାରରେ ଛାଡ଼ଖାଇ ଗହଳି । ଆଜି ବୁଧବାର ବାରିରେ ପଡ଼ିଥିଲା ଛାଡ଼ଖାଇ । ତେଣୁ କାର୍ତ୍ତିକରେ ଆମିଷ ଛାଡ଼ିଥିବା ଲୋକଙ୍କ ଭିଡ଼ ଲାଗିଥିଲା ଆମିଷ ମାର୍କେଟରେ । ରାଜଧାନୀର ପଟିଆରୁ ଆରମ୍ଭ କରି ୪ ନମ୍ବର ଆମିଷ ହାଟ ଯାଏଁ ସବୁଠି ପ୍ରବଳ ଭିଡ଼ । ଜୟଦେବ ବିହାରରୁ ବରମୁଣ୍ଡା, ସବୁଠି ଥିଲା ଗ୍ରାହକଙ୍କ ଖଚାଖଚ ଭିଡ଼ ।

ଲୋକଙ୍କ ଚାହିଦା ଅନୁସାରେ ଆଜି ଭେରାଇଟି ସାଙ୍ଗକୁ ମାଲ ବି ଅଧିକ ପରିମାଣର ଆଣିଥିଲେ ବ୍ୟବସାୟୀ । ଅବଶ୍ୟ ସାଧାରଣ ଦିନ ଅପେକ୍ଷା ଆଜି ଦିନର ଭାଉ ଟିକିଏ ଉଚ୍ଚା ରହିଥିଲା । ରୋହି ୧୮୦ ରୁ ୨୦୦, ଭାକୁର ୨୦୦ ରୁ ୨୫୦, ଚିଙ୍ଗୁଡ଼ି ୪୦୦ ରୁ ହଜାରେ, ଇଲିସି ୧ ହଜାରରୁ ୧୮୦୦, ଚିକେନ୍ ୨୦୦ ଏବଂ ମଟନ ଦର ୭୦୦ରୁ ୮୦୦ ଟଙ୍କା ମଧ୍ୟରେ ରହିଥିଲା । ଆମିଷ ବଜାରରୁ କିଏ ମାଛ ତ ଆଉ କିଏ ଚିକେନ୍ ଏବଂ ଆଉ କିଏ ମଟନ, ଚିଙ୍ଗୁଡ଼ି ଓ କଙ୍କଡ଼ାକୁ ପସନ୍ଦ କରୁଥିଲେ । ସେହିଭଳି କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।

ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ମାସ ବ୍ୟାପୀ ଘରେ ଘରେ ଆମିଷ ପ୍ରବେଶରେ ବାରଣ ରହିଥାଏ । ତେଣୁ ଆଜି ଛାଡ଼ଖାଇରେ ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମାଇଥିଲେ ଲୋକେ । ଅନ୍ୟ ସହର ଅପେକ୍ଷା ପୁରୀରେ ଦର ଅପେକ୍ଷାକୃତ କମ୍ ରହିଥିଲା । ସେପଟେ ରାଉରକେଲାରେ କିନ୍ତୁ ସକାଳର କିଛି ଘଣ୍ଟା ବେଶ୍ ଗହଳି ଚହଳି ଲାଗି ରହିଥିଲା । ସେହିଭଳି ଜୟପୁର ସହରରେ ମଧ୍ୟ ଲୋକଙ୍କ ଭିତରେ ଆମିଷ କିଣାକୁ ନେଇ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ତେଣେ ବାଲେଶ୍ୱରରେ ବଡ଼ି ଭୋରରୁ ଲାଗିଥିଲା ମାଛ ମାର୍କେଟରେ ଲୋକଙ୍କ ଗହଳି ।

କରୋନା କଟକଣା ଓ ବାର ଅବାର ପାଇଁ ଗଲା ଦୁଇ ବର୍ଷ ଧରି ଛାଡ଼ଖାଇ ପର୍ବ ଠିକରେ ପାଳନ କରିପାରନିଥିଲେ ଲୋକେ । କିନ୍ତୁ ଏଥର ସେସବୁ ପ୍ରତିବନ୍ଧକ ନଥିବାରୁ ରାଜ୍ୟର ଗାଁ ଗହଳି, ପୁରପଲ୍ଲୀ ଓ ସହର ବଜାର ସବୁଠି ଆମିଷ ମାର୍କେଟ୍‌ରେ ଭିଡ଼ ସାଙ୍ଗକୁ ଘରେ ଘରେ ଆମିଷ ତରକାରୀର ବାସ୍ନା ମହକି ଉଠିଛି ।