• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଠାକୁରମାନଙ୍କ ପହଣ୍ଡି ସାଙ୍ଗକୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ରଥ ପ୍ରସ୍ତୁତ... ପଥ ପ୍ରସ୍ତୁତ... ସିଂହଦ୍ୱାର ଆଗରେ ତିନି ରଥଙ୍କ ଅପେକ୍ଷା, କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆଠାକୁର । ସକାଳୁ ମହାପ୍ରଭୁଙ୍କ ନିୟମିତ ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜା ପଣ୍ଡାମାନେ ଶୋଭାଯାତ୍ରାରେ ଆସିଥିଲେ ବଡ଼ ଦାଣ୍ଡକୁ । ତେଲିଙ୍ଗି ବାଜାର ନାଦ ଓ ବିଜେ କାହାଳୀର ଗର୍ଜନରେ କଂପି ଉଠିଥିଲା ପରିବେଶ । ଆଜ୍ଞାମାଳ ଅର୍ପଣ ପରେ ଭକ୍ତମାନେ ଉତ୍ସାହର ସହ ସିଂହଦ୍ୱାରକୁ ଟାଣି ଆଣିଥିଲେ ତିନି ରଥକୁ ।

ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟଣାଯିବାବେଳ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ସେପଟେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଠାକୁରଙ୍କ ଘୋଷଯାତ୍ରା ପ୍ରସ୍ତୁତି ।

ତେଣେ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଯାତ୍ରାରେ ବାହାରିବାକୁ ଚଞ୍ଚଳ ହେଲେଣି ଚତୁର୍ଦ୍ଧା ମୂରତି । ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟାକୁଳ ହେଲେଣି ଭଗବାନ । ସେବକମାନେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରୁଛନ୍ତି । ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ-ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳ ଆଳତି, ୭ଟା ୧୦ରେ ସୂର୍ଯ୍ୟ ପୂଜା, ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ପରେ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ବା ଖେଚୁଡ଼ି ଭୋଗ ଲାଗି ହେବ। ତାପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବା ପରେ ଠିକ୍ ୪ଟାରେ ରଥ ଟଣା ପାଇଁ ସ୍ଥିର ହୋଇଛି ।

ଏବେ ଅପେକ୍ଷା ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ସେଇ ମହାମିଳନର ମହାପର୍ବକୁ । ମହାପ୍ରଭୁଙ୍କ ଘୋଷଯାତ୍ରାକୁ ।

  • Reported by:
  • MADHUSUDAN MISHRA