• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି । ପ୍ରଥମେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା । ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ସୁନା ଓ ରୂପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଛି । ପରମ୍ପରା ଅନୁସାରେ ଆଜିଠାରୁ ହିଁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ । ଏବେ ଶ୍ରୀନଅର ନିକଟରେ ଥିବା ରଥ ଖଳାରେ ହେବ ଶ୍ରୀଜିଉଙ୍କ ରଥ ନିର୍ମାଣ ।

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ, ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତି ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି ।

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠ ଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦ୍‌ବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

ଆଜି ଦିନର ଅନେକ ବିଶେଷତ୍ୱ ରହିଛି ।

  • ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ
  • ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରାର ଶୁଭାରମ୍ଭ
  • ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ
  • ପରଶୁରାମ ଓ ଜୟଦେବଙ୍କ ଜୟନ୍ତୀ
  • ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି
  • ସତ୍ୟ ଯୁଗର ତ୍ରେତୟା ଯୁଗର ଆରମ୍ଭ ଏହି ଦିନ ହୋଇଥିଲା ।
  • ସମ୍ବଲପୁରରେ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ