• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ। ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ଅର୍ଥାତ ସମୟ ଦିନ ୪ଟା ୪ମିନିଟ ୫୫ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପାଳିଆ ସେବକଙ୍କ ସହଯୋଗ କାମନା କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ୧ଘଣ୍ଟା ୧୯ ସେକେଣ୍ଡର ଚନ୍ଦ୍ର ଗ୍ରହଣକୁ ଦେଖିବାର ସୁଯୋଗ ରହିଛି। ୬ଟି ରାଶି ପାଇଁ ଏହା ଅଶୁଭ ଥିବାବେଳେ ୬ଟି ରାଶି ପାଇଁ ଶୁଭଫଳ ରହିଛି ବୋଲି କହିଛନ୍ତି ଜ୍ୟୋତିର୍ବିଦ ।

ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ।

କିନ୍ତୁ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ଵତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ ।

ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ । ଏହା ୬ଟି ରାଶି ପାଇଁ ଶୁଭ ହୋଇଥିବାବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ । ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ପାଇଁ ଅଶୁଭ ଥିବାବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନପାଇଁ ଶୁଭ ଫଳଦାୟକ ବୋଲି କହିଛନ୍ତି ଜ୍ୟୋତିର୍ବିଦ । ସେପଟେ କୁମାରପୂର୍ଣ୍ଣିମାର ଠିକ୍ ପରଦିନ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ। ସେଥିପାଇଁ ପାଳିଆ ମାନେ ନୀତିକାନ୍ତି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତ।

  • Reported by:
  • MADHUSUDAN MISHRA